କରୋନା କାଳରେ କାନ୍ଦୁଛନ୍ତି ମୂର୍ତ୍ତି କାରିଗର; ରୋଜଗାର ବନ୍ଦ, ମଜୁରୀ କରିବା ପାଇଁ ଯିବେ ଦାଦନ

ବଲାଙ୍ଗୀର : କରୋନା ଯୋଗୁ ଜୀବନ ଜୀବିକା ଠପ୍‍ ହୋଇଯାଇଛି। ଏଥିରୁ ବାଦ ପଡି ନାହାନ୍ତି ମୂର୍ତ୍ତି କାରିଗର। କରୋନା ବର୍ଷକର ରୋଜଗାର ଛଡେଇ ନେଇଥିବା ବେଳେ ବେଶ ଚିନ୍ତାରେ ବଲାଙ୍ଗିର ସହରର ମୂର୍ତ୍ତି କାମ କରୁଥିବା ପରିବାରମାନେ। ରୋଜଗାର ସମ୍ପୁର୍ଣ୍ଣ ବନ୍ଦ ହୋଇଯିବା ପରେ ଏବେ ପେଟକୁ ମୁଠାଏ ଦାନା ଯୋଗାଡ ପାଇଁ ଦାଦନ ଯିବାକୁ ସଜବାଜ ହେଲେଣି।

ବଲାଙ୍ଗୀର ସହରର ଠିକାଦାର ପଡା। ଏଠି ମାଟିରେ ତିଆରି ଦ୍ୱୀପ ଠାରୁ ଆରମ୍ଭ କରି ଦେବାଦେବୀଙ୍କ ମୂର୍ତ୍ତି ସବୁ କିଛି ତିଆରି ହୁଏ। ଏତେ ବଡ ବଲାଙ୍ଗିର ସହର ଭିତରେ କେବଳ ଏହି ପଡାରେ ପ୍ରାୟ ୩୦ କୁମ୍ଭାର ପରିବାର ବାସ କରୁଛନ୍ତି। ଏମାନଙ୍କ ବର୍ଷ ତମାମ ଆୟର ପନ୍ଥା କେବଳ ମାଟିକାମରୁ ହିଁ ଆସିଥାଏ। କିନ୍ତୁ ଏଥର କରୋନା ସବୁକିଛି ବିଗାଡି ଦେଲା। ଏହି ପଡାରେ ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ମୂର୍ତ୍ତି କାମ କରି ଆସୁଛନ୍ତି ପ୍ରଦୀପ କୁମାର ରଣା। ବୟସ ଷାଠିଏ ଛୁଇଁଲାଣି। ତଥାପି କାମରେ ଫୁରସତ ନଥାଏ। ହେଲେ ଏବେ ଗଲା ୪ ମାସ ହେଲା ଖାଲି ବସି ବସି ସମୟ କାଟୁଥିବା କୁହନ୍ତି। ସେ କୁମ୍ଭାର ସମାଜରୁ ଆସୁଥିବା ବେଳେ ୧୯୮୦ ମସିହାରୁ ମାଟି କାମ କରି ଆସୁଛନ୍ତି। ସେ ସମୟରେ କଟକର ଚଷା ପଡାରୁ ମୂର୍ତ୍ତିକାରିଗର ନିତ୍ୟାନନ୍ଦ ପରିଡା ଓ ଗୁରୁବାରୁ ପରଡା ବଲାଙ୍ଗିରକୁ ଆସି ମୂର୍ତ୍ତି ଗଢି ଯାଉଥିଲେ। ସେମାନଙ୍କୁ ଠାରୁ କାମ ଶିଖିଥିଲେ ବୋଲି ସେ କୁହନ୍ତି। ଏତେ ବର୍ଷର କାମ କଲା ଭିତରେ କେବେ ଏମିତି ପରିସ୍ଥିତି ସୃଷ୍ଟି ହୋଇନଥିଲା। ପ୍ରଥମ କରି ଏଭଳି ସମୟର ଆମେ ସାମ୍ନା କରୁଛୁ ବୋଲି କହିଥିଲେ। ରୋଜଗାର ଶୂନ ହୋଇଥିବା ବେଳେ ଏବେ ଆମେ ଖାଇବୁ କଣ ବୋଲି କୁହନ୍ତି। କେବଳ ମାଟିକାମ ନୁହେଁ ରାମଳୀଳା, ଲକ୍ଷ୍ମୀପୂରାଣ, ବିରାଟ ପର୍ବ ତଥା ଅନ୍ୟନ୍ୟ ଲୋକ ନାଟ୍ୟ ପାଇଁ ମଧ୍ୟ ମୁଖା ତିଆରି କରନ୍ତି। ଗଲା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ପ୍ରାୟ ୫୦ ହଜାର ଟଙ୍କାର ସାମଗ୍ରୀ କିଣିଥିଲେ। ଏହା ସହ ଆଗୁଆ ନଡା ମଧ୍ୟ କିଣା ଯାଇଥିଲା। କିନ୍ତୁ କିଛି ବି ଅର୍ଡର ଆସିନଥିବାରୁ ସେ ସବୁ ଘରେ ପଡିଛି। ଯଦି ଏହା ଅବ୍ୟବହୃତ ହୁଏ ତାହା ହେଲେ ହଜାର ହଜାର ଟଙ୍କା ମୋର ନଷ୍ଟ ହୋଇଯିବ ବୋଲି ସେ କହିଥିଲେ। ତାଙ୍କୁ ତାଙ୍କ କାର୍ଯ୍ୟରେ ସ୍ତ୍ରୀ ବିମଳା ଓ ଝିଅ ଯାଜ୍ଞସେନୀ ସହଯୋଗ କରନ୍ତି। ଏହା ସହ ୫/୬ ଜଣ ମଜୁରୀ ମଧ୍ୟ କରୁଥିଲେ। କରୋନା ଯୋଗୁଁ ସେମାନେ ମଧ୍ୟ କାମ ହରେଇଲେ। ସ୍କୁଲ, କଲେଜ,କୋଚିଂ, ବିଭିନ୍ନ କାର୍ଯ୍ୟାଳୟ ବନ୍ଦ ଥିବା ବେଳେ ପଡା ମାନଙ୍କର ଯୁବକ ସଂଘମାନେ ମଧ୍ୟ ଆଗୁଆ ଟଙ୍କା ଦେଇ ମୂର୍ତ୍ତି ଗଢାଉଥିଲେ। ହେଲେ ଏଥର କେହି ଆସିନଥିବାରୁ କାହାକୁ ମୂର୍ତ୍ତି ବିକ୍ରି କରିବୁ ବୋଲି ସେ ଦୁଃଖର ସହ କୁହନ୍ତି।
ଏବେ ଖାଇବାକୁ ଦୁଇ ଓଳି ଦାନା ଖୋଜା ପଡୁଥିବା ବେଳେ ବେଶ ଦୟନୀୟ ଅବସ୍ଥାକୁ ଆସିଲେଣି କୁମ୍ଭାର ପରିବାର। ଏ ନେଇ ଜିଲା ପ୍ରଶାସନ ସାହାର୍ଯ୍ୟ ସହଯୋଗ ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

Comments are closed.