ମହାବିଦ୍ୟାଳୟର ଅଧ୍ୟାପକ ହେଲେ ବି ଭୁଲି ନାହାନ୍ତି ଚାଷ କାମ : ହଳ ଲଙ୍ଗଳ ଧରି ଉଦାହରଣ ସୃଷ୍ଟି କରିଛନ୍ତି ଓଡିଆ ଅଧ୍ୟାପକ

ବଲାଙ୍ଗୀର (ବିଭୁକଲ୍ୟାଣ ଗଡତ୍ୟା): ପ୍ରଥମେ ନିଜେ ପାଠ ପଢିଲେ। ପିଲାଙ୍କୁ ପଢେଇବା ପାଇଁ ଚାକିରୀ ଖଣ୍ଡିଏ କଲେ। ସହରର ଚାକଚକ୍ୟ ଭିତରେ ରହିଥିଲେ ହେଁ ଭୁଲି ନାହଁନ୍ତି ନିଜ ଜନ୍ମ ମାଟି ମା’କୁ। ମହାବିଦ୍ୟାଳୟରେ ଅଧ୍ୟାପନା କରି ଅଧ୍ୟାପକ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ନିଜ ଗାଁ ବିଲକୁ ଗଲେ ଜଣେ ସାଧାରଣ ଚାଷୀ ହୋଇ ଯାଆନ୍ତି। ଜଣେ ସାଧାରଣ ମଣିଷ ଭାବେ ସାଧାରଣ ଜୀବନ ଯାପନ କରନ୍ତି। ସମସ୍ୟାଟିଏ ଆସିଲେ ସମାଧାନର ରାସ୍ତା ବାହାର କରିବା ପାଇଁ ଚେଷ୍ଟା କରନ୍ତି। ଅନ୍ୟମାନଙ୍କୁ ଉପଦେଶ ଦେବା ପୂର୍ବରୁ ନିଜେ ଉଦାହରଣ ସୃଷ୍ଟି କରିଛନ୍ତି ଓଡିଆ ଅଧ୍ୟାପକ କୌତୁକ ପନ୍ଦର।

ବଲାଙ୍ଗୀର ସହରର ବିଭିନ୍ନ ସାହିତ୍ୟ ସଭା, ସାହିତ୍ୟ ତର୍କବିତର୍କ, କବି ସମ୍ମିଳନୀ ତଥା ଆଦିବାସୀ ସଂପ୍ରଦାୟର ଗବେଷଣା ମୂଳକ କର୍ମଶାଳାରେ ବେଶ ବାରି ହୋଇ ପଡନ୍ତି ଓଡିଆ ଅଧ୍ୟାପକ ଶ୍ରୀ ପନ୍ଦର। ୨୦୧୧ ମସିହାରୁ ଓଡିଶା ଲୋକ ସେବା ଆୟୋଗ ଦ୍ୱାରା ଚୟନ ହୋଇ ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟରେ ଓଡିଆ ଅଧ୍ୟାପକ ଭାବେ କାର୍ଯ୍ୟରତ। ବଲାଙ୍ଗୀରର ସାହିତ୍ୟ କର୍ମଶାଳାରେ ଜଣେ ଚିହ୍ନା ମୁହଁ। ତାଙ୍କ ମୂଳ ଗାଁ ହେଉଛି କଲାହାଣ୍ଡି ଜିଲା ମ.ରାମପୁର ବ୍ଲକ ମାଣିକେରା ପଞ୍ଚାୟତ ଅନ୍ତର୍ଗତ ଉପର ନୂଆ ଗାଁ। ଓଡିଆ ଭାଷା ଓ ସାହିତ୍ୟ ବିଭାଗରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓ କଳାଥୀର୍ଥ ଡିଗ୍ରୀ ଗ୍ରହଣ କରିଛନ୍ତି। ତେବେ ଏ ସବୁ ଭିତରେ ନିଜ ପାରମ୍ପାରିକ ଚାଷକୁ ଛାଡି ପାରିନାହାଁନ୍ତି ଏହି ଓଡିଆ ଅଧ୍ୟାପକ।

ଆଜି ମଧ୍ୟ ତାଙ୍କ ଛୁଟି ସମୟରେ ଗାଁକୁ ଯାଇ ଚାଷ କରୁଥିବା କୁହନ୍ତି। ଏଠି ସିନା ଅଧ୍ୟାପକ। ହେଲେ ଗାଁକୁ ଗଲେ ଜଣେ ଚାଷୀ। ମୁଣ୍ଡରେ ପଗଡି ମାରନ୍ତି। ଖଦିଆ ମାରି ବିଳକୁ ଓହ୍ଲାଇ ଯାଆନ୍ତି। ବାଡି ଟିଏ ଧରି ହଲ ଲଙ୍ଗଲ କରନ୍ତି। ଏବେ ଚାଷ ସମୟ ହୋଇଥିବାରୁ ଗାଁରେ ଥିବା ୧୦ ଏକର ଚାଷ ଜମିରେ ଚାଷ ପ୍ରତ୍ୟେକ ବର୍ଷ ଭଳି ଚାଷ କରି ଆସୁଛନ୍ତି। ଛୋଟ ସମୟରୁ ହିଁ ଚାଷ ସହ ଜଡିତ। ଅଧ୍ୟାପକ ଶ୍ରୀ ପନ୍ଦର ଗୋଁଣ୍ଡ ସମ୍ପ୍ରଦାୟର ହୋଇଥିବା ବେଳେ ଆଦିବାସୀ ପଦ୍ଧତିରେ ପୂର୍ବପୁରୁଷଙ୍କୁ ଆଧାର କରି ଚାଷ କରି ଆସୁଛନ୍ତି। ଆପଣ ଜଣେ ବ୍ୟକ୍ତି ଅଧ୍ୟାପନା ଓ ଚାଷ କିଭଳି ଭାବେ ଏହି ଦାୟିତ୍ୱ ଏକା ଥରକେ ତୁଲେଇ ପାରୁଛନ୍ତି ବୋଲି ପଚାରିବାରୁ ଜଣେ ଅଧ୍ୟାପକ ଭାବେ ଦେଶର ଭବିଷ୍ୟତ ମାନବ ସମ୍ବଳ ଆମମାନଙ୍କ ହାତରେ।

ଶିକ୍ଷା ଜୀବନକୁ ବଦଳେଇ ଦେଇ ପାରେ। ସାମାଜିକ ପରିବର୍ତ୍ତନ ଆଣେ। ତେଣୁ ଏଥିରେ ଦ୍ୱିମତ ନାହିଁ। ଏଇ ୮/୯ ବର୍ଷର ଅଧ୍ୟାପନା ଭିତରେ ଅନେକ ଛାତ୍ରଛାତ୍ରୀଙ୍କୁ ନିଜ ହାତରେ ଗଢିଛି। ଭଲ ମଣିଷଟିଏ କରିବାର ପ୍ରୟାସ କରିଛି। ଦ୍ୱିତୀୟ କଥା ହେଉଛି ଚାଷ। ଚାଷ ହେଉଛି ଜୀବନ ଜୀବିକାର ଜୀବନ। ଅଧିକାଂଶ ଭାରତୀୟ ଚାଷ ଉପରେ ନିର୍ଭରଶୀଳ। ଚାଷ ନକଲେ ଆମେ ଖାଇବା କଣ। ଏହା ନହେଲେ ସମସ୍ତେ ଭୋକ ଓପାଷରେ ରହିବା ଥୟ। ଜୀବନ ଥିବା ଯାଏଁ ଚାଷ କରୁଥିବି। ତେଣୁ ଚାଷ କାର୍ଯ୍ୟ କରିବା ପାଇଁ ମୁଁ ପିଲାଙ୍କୁ ଉପଦେଶ ଦିଏ। ହେଲେ ଯେ କୌଣସି ଉପଦେଶ ଦେବା ପୂର୍ବରୁ ନିଜେ ଉଦାହରଣଟିଏ ହେବା ଆବଶ୍ୟକ ବୋଲି ସେ କୁହନ୍ତି।

Comments are closed.