ଫୁଲ ପାଇଁ ସରକାରୀ ଯୋଜନା ସାତସପନ

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ , ପାଞ୍ଚ ବର୍ଷ ହେଲା ଶଯ୍ୟାଶାୟୀ

ଖପ୍ରାଖୋଲ : ସରକାର ଗରିବ ଅସହାୟ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଉଛନ୍ତି। ସେହିପରି ସ୍ୱାସ୍ଥ୍ୟ ସେବା ମାଗଣାରେ ଯୋଗାଇ ଦେବା ପାଇଁ ମଧ୍ୟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ମାତ୍ର ଯୋଗ୍ୟ ହିତାଧୀକାରୀଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚି ପାରୁନଥିବା ଦେଖିବାକୁ ମିଳୁଛି। ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ତୁର୍ଲା ଗାଁର ଫୁଲ ଛତର (୬୦) ପାଇଁ ସତେ ଯେମିତି ସବୁ ଯୋଜନା ଉପହାସ।

ପରିବାର କହିଲେ ଅଜଣା ରୋଗରେ ପିଡିତା ଫୁଲ ଛତର, ସ୍ୱାମୀ ବୁଡୁ ଛତର(୭୧) ଏବଂ ଅବିବାହିତ ଜଣେ ଝିଅ। ପୁଅ ଜଣେ ଥିଲେ ମଧ୍ୟ ସେ ନିଜ ପରିବାର ନେଇ ଅନ୍ୟତ୍ର ରହୁଥିବାବେଳେ ଏବେ ଦାଦନ ଯାଇଛନ୍ତି। ଘରେ ସ୍ତ୍ରୀ , ସ୍ୱାମୀ ଏବଂ ଝିଅ। ପରିବାର ପର ଘରେ ମୂଳ ଲାଗି ଚଲି ଆସୁଥିବାବେଳେ ୫ ବର୍ଷ ହେଲା ଫୁଲ ଚାଲି ବୁଲି ପାରୁ ନ ଥିବାରୁ ଶଯ୍ୟା ସାୟୀ। କେବଳ ଖଟିଆ ଉପରେ ବସି ପାରୁ ଥିବାବେଳେ ଚଲାବୁଲା କରିପାରୁ ନାହାଁନ୍ତି। ପରିବାରରେ ୩ ଜଣ ଥିଲେ ମଧ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ରାସନ କାର୍ଡ ନ ଥିବାବେଳେ ପଞ୍ଚାୟତ କତୃପକ୍ଷ ଅନ୍ନପୁର୍ଣ୍ଣା ଯୋଜନାରେ ମାଗଣାରେ ୧୦ କେଜି ଚାଉଳ ଦେଇଥାନ୍ତି। ଭିନ୍ନକ୍ଷମ ପ୍ରମାଣ ପତ୍ର ଥିଲେ ମଧ୍ୟ ଫୁଲକୁ ଆଜି ଯାଏଁ ଭିନ୍ନକ୍ଷମ ଭତା ମିଳି ନ ଥିବାବେଳେ ସ୍ୱାମୀକୁ ବି ମିଳୁ ନି ବାର୍ଦ୍ଧକ୍ୟ ଭତ୍ତା। ଭତ୍ତା ପାଇଁ ଅନେକ ଥର ଜଣାଇଥିଲେ ମଧ୍ୟ ତାଙ୍କୁ ଭତ୍ତା ମିଳୁ ନ ଥିବା ଫୁଲ ଅଭିଯୋଗ କରିଛନ୍ତି। ରୋଗ ଆରମ୍ଭରୁ ଧାର କରଜ କରି ବିଭିନ୍ନ ସ୍ଥାନକୁ ଚିକିତ୍ସା ପାଇଁ ନେଇଥିଲେ ବି ରୋଗ ଭଲ ନ ହେବାରୁ ଘରେ ସ୍ତ୍ରୀକୁ ନିଜେ ରୋଷେଇ କରି ଦେଉଛନ୍ତି ସ୍ୱାମୀ। ସ୍ତ୍ରୀର ଦେଖାଶୁଣା ସବୁ ସ୍ୱାମୀ କରୁଥିବାବେଳେ ଅବିବାହିତ ଝିଆ ଯାହା କେତେବେଳେ ୨ ପଇସା ମଜୂରୀ କରି ଆଣେ ସେଥିରେ ତେଲ ଲୁଣ କରି କଷ୍ଟରେ ବଞ୍ଚୁଛନ୍ତି। ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ଯୋଜନା ଥିଲେ ବି ତାହା ର ସୁଫଳ ଫୁଲକୁ ମିଳୁ ନ ଥିବାବେଳେ ସ୍ୱାସ୍ଥ୍ୟ ସେବା ସହ ଭତା ଯୋଗେଇ ଦେବାକୁ ଫୁଲ କାନ୍ଦି କାନ୍ଦି ଜଣାଇଛନ୍ତି। ଜିଲା ପ୍ରଶାସନ ତୁରନ୍ତ ଏହି ପରିବାରକୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବା ପାଇଁ ସ୍ଥାନୀୟ ଅଞ୍ଚଳ ବାସୀ ଦାବି କରିଛନ୍ତି।

Comments are closed.