ବଲାଙ୍ଗୀର : ୧ କ୍ୱିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ସହ ବୋଲେରୋ ଜବତ

ବଲାଙ୍ଗୀର : ପୁଲିସ ପାଟ୍ରୋଲିଂ ଟିମ୍‍  ଶନିବାର ବିଳମ୍ବିତ ରାତିରେ ଏକ ବଲେରୋ ଗାଡିର ଗତିବିଧି ଉପରେ ସନ୍ଦେହ ପ୍ରକାଶ କରି ବୋଲେରୋ ପଛରେ ଗୋଡାଇବା ପରେ ଗାଡି ଚାଳକ ଓ ଅନ୍ୟମାନେ ଧରାପଡିଯିବା ଭୟରେ ରାସ୍ତାରେ ଗାଡି ଛାଡି ଫେରାର ହୋଇଯାଇଥିଲେ। ଉକ୍ତ ବୋଲେରୋକୁ ପୁଲିସ ଜବତ କରିବାସହ ୧ କ୍ୱିଣ୍ଟାଲ ୯୭ କେଜି ଗଞ୍ଜେଇ ଜବତ କରିଛି।

ସୂଚନା ଅନୁଯାୟୀ,  ପୁଲିସ ପାଟ୍ରୋଲିଂ ଟିମ୍‍  ଶନିବାର ବିଳମ୍ବିତ ରାତିରେ ଏକ ବଲେରୋ ଗାଡିର ଗତିବିଧି ଉପରେ ସନ୍ଦେହ ପ୍ରକାଶ କରିଥିଲେ। ପରେ ଉକ୍ତ ଗାଡି ଓଆର ୦୯ଜେ ୪୪୦୦ ନମ୍ବର ସିମେଣ୍ଟ ରଙ୍ଗର ବଲେରୋ ପଛରେ ପୁଲିସ ଗୋଡାଇଥିଲେ। ଗାଡି ଚାଳକ ଓ ଅନ୍ୟମାନେ ଧରାପଡିଯିବା ଭୟରେ ରାସ୍ତାରେ ଗାଡି ଛାଡି ଫେରାର ହୋଇଯାଇଥିଲେ।  ପୁଲିସ ଗାଡିଟିକୁ ଆଣି ଟାଉନ୍‍ ଥାନା ସମ୍ମୁଖରେ ରଖିଥିଲା। ରବିବାର ବନ୍ଦପାଳନ ଥିବା ବେଳେ ବଲାଙ୍ଗୀର ଟାଉନ୍‍ ଥାନା ଦାୟିତ୍ୱରେ ଥିବା ସଦର ଆଇଆଇସି ତୁଫାନ ବାଗ ଓ ମାଜିଷ୍ଟ୍ରେଟ ଗୁରେଶ୍ୱର ଭୋଇଙ୍କ ଉପସ୍ଥିତିରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ବହୁ ପ୍ୟାକେଟ ଗଞ୍ଜେଇ ଗାଡି ଭିତରେ ଥିବା ଦେଖିବାକୁ ମିଳିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଜବତ କରାଯିବା ସହ ଏହାର ଓଜନ କରାଯାଇଥିଲା। ୧କ୍ୱିଣ୍ଟାଲ ୯୭ କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଛି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଆଇଆଇସି ଶ୍ରୀ ବାଗ। ସେହିପରି ଗାଡିରୁ ଏକ ବ୍ୟାଙ୍କ ପାସ୍‍ ବୁକ୍‍ ମଧ୍ୟ ମିଳିଛି। ସେଥିରେ ପଙ୍କଜ ମୁନା, ମଷିଣାଗୁଡା, ବୌଦ୍ଧ ବୋଲି ଉଲ୍ଲେଖ ରହିଛି। ସମ୍ଭବତଃ ବୌଦ୍ଧ ଜିଲା କଣ୍ଟାମାଳରୁ ଏହି ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି। ପୁଲିସ ଛାନବିନ ଚଳାଇଛି। ତେବେ ମିଳିଥିବା ତଥ୍ୟ ଅନୁସାରେ, କଣ୍ଟାମାଳ ବ୍ଲକ ଅଞ୍ଚଳ ଗଞ୍ଜେଇ ପାଇଁ କୁଖ୍ୟାତି ଅର୍ଜନ କରିଥିବା ବେଳେ କଣ୍ଟାମାଳରୁ ବଲାଙ୍ଗିର ଜିଲା ତୁଷୁରା ଓ ସୋନପୁର ଜିଲା ତରଭାକୁ ନୂତନ ବ୍ରିଜ ସଂଯୋଗ କରୁଥିବାରୁ ଏହି ରାସ୍ତା ଏବେ ଗଞ୍ଜେଇ ମାଫିଆଙ୍କ ପାଇଁ ସୁଯୋଗ ପାଲଟିଛି।

Comments are closed.