ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ବଲାଙ୍ଗୀର : କଲରାପତରିଆ ଓ ହାତୀ ମୃତ୍ୟୁ ପରେ ଭାଲୁ ମୃତ୍ୟୁ

ବଲାଙ୍ଗୀର: ବଲାଙ୍ଗୀରରେ ଅସୁରକ୍ଷିତ ବନ୍ୟପ୍ରାଣୀ। ହାତୀ ମୃତ୍ୟୁର କିଛି ଦିନ ପରେ ଭାଲୁ ମୃତ୍ୟୁ ଖବର ପ୍ରକୃତିପ୍ରେମୀ ସମସ୍ତଙ୍କୁ ଚକିତ କରିଛି। ଗତ କିଛି ଦିନ ହେଲା ଆଠଗାଁ-ମହିମୁଣ୍ଡା ନିକଟରେ ଏକ ଭାଲୁକୁ ରୋଗୀଣା ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଥିବା ବେଳେ ଗୁରୁବାର ଭାଲୁର ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ଏହି ଭାଲୁ ରାସ୍ତା ଉପରେ ବିଚରଣ କରୁଥିବା କିଛି ଦୃଶ୍ୟ ଦେଖିବାକୁ ମିଲିଥିବା ବେଳେ ବଣୁଆ ଭାଲୁର ମୃତ୍ୟୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବଣ, ପାହାଡ, ଜଙ୍ଗଳ ଘେରା ବଲାଙ୍ଗୀର ଜିଲା। ଜିଲାର ବିଭିନ୍ନ ସ୍ଥାନରେ ଥିବା ଘଞ୍ଚ ଜଙ୍ଗଳ ମାନଙ୍କରେ ହାତୀ, ଭାଲୁ, ଚିତା ସହିତ ବହୁ ବନ୍ୟଜନ୍ତୁ ବସବାସ କରିଥାନ୍ତି। ତେବେ ଏହି ବନ୍ୟଜନ୍ତୁର ସୁରକ୍ଷା ଦାୟିତ୍ୱ ବନ ବିଭାଗ ପାଖରେ ରହିଥିବା ବେଳେ ଏହାକୁ ନିର୍ବାହ କରିବାରେ ବିଭାଗ ଫେଲ ମାରିଥିବା ଅଭିଯୋଗ ହୋଇଛି। ଗତ କିଛି ମାସ ହେଲା ସଦର ରେଞ୍ଜ ଆଟଗାଁ ଜଙ୍ଗଳ ଅଞ୍ଚଳରେ ଏକ ବଣୁଆ ଭାଲୁ ବୁଲାବୁଲି କରୁଥିବା ଦେଖିବାକୁ ମିଲିଥିଲା। ସେହିପରି ଗତ କିଛି ଦିନ ତଳେ ଏକ ବଣୁଆ ଭାଲୁ ମଠଖାଇ ପାହାଡ ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ ଉପରେ ବୁଲାବୁଲି କରୁଥିବା ଦୃଶ୍ୟ ଦେଖିବାକୁ ମିଲିଥିଲା। କେବଳ ବଲାଙ୍ଗିର ସଦର ରେଞ୍ଜ ନୁହଁ ଦେଉଗାଁ, ସଇଁନ୍ତଲା, ଗୁଡଭେଲା ଅଞ୍ଚଳରେ ଭାଲୁ ଆତଙ୍କ ଲାଗିରହିଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଏକ ଭାଲୁର ମୃତ୍ୟୁ ହୋଇଥିବା ଜଣାପଡିଛି। ଆଠଗାଁ ଫରେଷ୍ଟ ବିଟ ବାଞ୍ଜିପାଲି ଗାଁ ନିକଟରୁ ଏକ ଭାଲୁକୁ ରୋଗୀଣା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କିଛି ଦିନ ହେଲା ଭାଲୁର ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। ଭାଲୁର ଶ୍ୱାସଜନିତ ସମସ୍ୟା କାରଣରୁ ମୃତ୍ୟୁ ହୋଇଥିବା ବିଭାଗ ସ୍ପଷ୍ଟ କରିଥିବା ବେଳେ ଭାଲୁ ମୃତ୍ୟୁ ଖବର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଶୁକ୍ରବାର ଭାଲୁର ବ୍ୟବଚ୍ଚେଦ କରି ପୋତିଦିଆଯାଇଥିବା ସୂଚନା ମିଲିଛି। ତେବେ ଗତ କିଛି ଦିନ ଧରି ବିଚରଣ କରୁଥିବା ଭାଲୁ ଟି ଏହି ମୃତ୍ୟୁ ବରଣ କରିଥିବା ଭାଲୁ ବୋଲି ଆଲୋଚନା ଜୋର ଧରିଛି।

ସୂଚନା ଯୋଗ୍ୟ ଯେ,  ବଲାଙ୍ଗୀର ଜିଲାରେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ଦଶ ବର୍ଷ ହେଲା ଲୋଇସିଂହା ରେଞ୍ଜ ହାତୀଙ୍କ ମୃତ୍ୟୁ ଉପତ୍ୟକା ସାଜିଥିବା ବେଳେ ଗତ ପ୍ରାୟ ୨୫ ଦିନ ତଲେ ଏକ ଦନ୍ତା ହାତୀର ଶୀକାର କରି ଦାନ୍ତ ଚୋରୀ ହୋଇଥିଲା। ଏହି ଘଟଣାରେ ବନ ବିଭାଗ ଦୁଇ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଥିବା ବେଳେ ଆଉ କିଛି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ଏପରିକି ଦାନ୍ତଚୋରକୁ ଧରିବାରେ ମଧ୍ୟ ବନ ବିଭାଗ ବିଫଳ ହୋଇଛି। ସେହିପରି ଗତ କିଛି ମାସ ପୂର୍ବରୁ ବଡମାଲ ଗୋଲାବାରୁଦ କାରଖାନା ଭଳି ଏକ ସୁରକ୍ଷିତ ଅଞ୍ଚଳରେ ଥିବା ଜଙ୍ଗଳରୁ ଏକ କଲରାପତରିଆର ଶବ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ମଧ୍ୟ କଲରାପତରିଆର ନଖ ଚୋରି ହୋଇଥିବା ଜଣାପଡିଥିଲା। ସେହିପରି ନିୟମିତ ଭାବେ ବଲାଙ୍ଗିର ଜିଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଳରୁ ବରହା ଶୀକାର ଘଟଣା ସାମ୍ନାକୁ ଆସିଥାଏ। ମୋଟାମୋଟି ଭାବେ କହିବାକୁ ଗଲେ ବଲାଙ୍ଗିର ଜିଲା ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ହୋଇପଡିଥିବା ବେଳେ ବନ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ଦିଗରେ ସ୍ୱତନ୍ତ୍ର ଭାବେ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ପ୍ରକୃତିପ୍ରେମୀ ମାନେ ମତ ରଖିଛନ୍ତି।

Comments are closed.