ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ, ପ୍ରେମିକା ଅଟକ

ବଲାଙ୍ଗୀର : ବଲାଙ୍ଗୀର ପୁଇଁନ୍ତଲା ଥାନା ଅନ୍ତର୍ଗତ ମିଛାପାଲି ଗାଁରେ ଜଣେ ଯୁବକଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରେମଜନିତ କାରଣରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଥିବା ବେଳେ ପୁଲିସ ଜଣେ ଯୁବତୀଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପୁଇଁନ୍ତଲା ଥାନା ଅନ୍ତର୍ଗତ ମିଛାପାଲି ଗାଁର ଆଶୋକ ନାଏକଙ୍କ ପୁଅ ଆଲୋକ ନାଏକ ଗତ କିଛି ବର୍ଷ ହେଲା ଆଲୋକଙ୍କ ପ୍ରେମ ସମ୍ପର୍କ ନିକଟସ୍ଥ ଖଲିଆପାଲି ଗାଁର ଏକ ମୁସଲମାନ ଝିଅ ସହିତ ରହିଥିଲା। ଆଲୋକ ରବିବାର ଅର୍ଜୁଣ୍ଡା ଗାଁକୁ ଯାତ୍ରା ଦେଖିବାକୁ ଘରେ କହି ଘରୁ ବାହାରି ଯାଇଥିଲେ। କିନ୍ତୁ ବିଳମ୍ବିତ ରାତ୍ରିରେ ତାଙ୍କ ପ୍ରେମିକା ଆଲୋକଙ୍କ ଘରକୁ ଆସି ଖଲିଆପାଲି-ମିଛାପାଲି ରାସ୍ତାରେ ଆଲୋକ ମରି ପଡିଥିବା କହିଥିଲେ। ଏହା ଶୁଣିବା ପରେ ଆଲୋକର ପରିବାର ଲୋକ ଘଟଣାସ୍ଥଳକୁ ଯାଇ ଆଲୋକଙ୍କୁ ନିକଟସ୍ଥ ତରଭା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲା। ଆଲୋକଙ୍କ ବେକରେ ଦାଗ ରହିଥିବା ଦେଖିବାକୁ ମିଳିଥିବା ବେଳେ ପୁଇଁନ୍ତଲା ପୁଲିସ ଶବକୁ ଜବତ କରି ବ୍ୟବଚ୍ଚେଦ ପାଇଁ ପଠାଇଥିଲା। ଆଲୋକର ମୃତ୍ୟୁ ସନ୍ଦେହଜନକ ଅବସ୍ଥାରେ ରହିଥିବା ବେଳେ ତାଙ୍କୁ ପ୍ରେମିକା କିମ୍ବା ତାଙ୍କ ପରିବାର ଲୋକେ ହତ୍ୟା କରିଥାଇପାରନ୍ତେ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଥିଲେ। ଏହି ଦାବିରେ ବଇରାସର ଠାରେ ଆଲୋକଙ୍କ ପରିବାର ଲୋକ ଓ କିଛି ଗ୍ରାମବାସୀ ରାସ୍ତାରୋକ କରିଥିଲେ। ରାସ୍ତାରୋକ ସ୍ଥଳରେ ଇନ୍ସପେକ୍ଟର ତୋଫାନ ବାଗ ପହଞ୍ଚି ଆନ୍ଦୋଳନ କରୁଥିବା ଲୋକଙ୍କୁ ବୁଝାସୁଝା କରିଥିଲେ। ଘଟଣାର ନିରପେକ୍ଷ ତଦନ୍ତ କରିବା ସହିତ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ପ୍ରତିଶୃତି ମିଲିବା ପରେ ରାସ୍ତାରୋକ ହଟିଥିଲା। ପରେ ଶବକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ବ୍ୟବଚ୍ଚେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅପରପକ୍ଷେ ଏହି ଘଟଣାରେ ପୁଇଁନ୍ତଲା ପୁଲିସ ଆଲୋକର ପ୍ରେମିକାକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ତଦନ୍ତକାରୀ ଅଫିସର ସୂଚନା ଦେଇଛନ୍ତି। ଆଲୋକ ରବିବାର ରାତ୍ରିରେ ତାଙ୍କ ପ୍ରେମିକା ପାଖକୁ ଯାଇଥିବା ବେଳେ ତାଙ୍କ ସହ ଗଣ୍ଡଗୋଳ ହୋଇଥିଲା। ପରେ ଆଲୋକ ତା ପ୍ରେମିକାର ଓଢଣୀ ନେଇ ଚାଲିଆସିଥିଲା। ତା ପଛେ ପଛେ ସମ୍ପୃକ୍ତ ଯୁବତୀ ଜଣକ ଆସୁଥିବା ବେଳେ ଉଭୟ ଗାଁ ମଝିରେ ଏକ ଜମିରେ ଆଲୋକ ମରିପଡିଥିବା ଦେଖିିଥିଲେ ବୋଲି ସମ୍ପୃକ୍ତ ଯୁବତୀ ଜଣକ ପୁଲିସକୁ କହିଥିବା ପୁଲିସ ସୂତ୍ରରୁ ଜଣାପଡିଛି। ତେବେ ବ୍ୟବଚ୍ଚେଦ ରିପୋର୍ଟ ଆସିବା ପରେ ଘଟଣାର କାରଣ ସ୍ପଷ୍ଟ ହେବ ଓ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି ପୁଲିସ କହିଛି।

Comments are closed.