ପରମ୍ପରା ଓ ବିଶ୍ୱାସ ନାଁରେ ବଳି ପଡିଲେ ଶହ ଶହ ପଶୁପକ୍ଷୀ

ବଲାଙ୍ଗୀର : ବଲାଙ୍ଗୀର ଜିଲାର ବହୁ ପ୍ରସିଦ୍ଧ ଶୁଲିଆ  ଯାତ୍ରା ମଙ୍ଗଳବାର ସଂପନ୍ନ ହୋଇଛି। ପୈାଷ ମାସ ଶୁକ୍ଲପକ୍ଷ ପ୍ରଥମ ମଙ୍ଗଳବାର ଦିନ ପ୍ରତିବର୍ଷ ଧୂମଧାମର ସହ ପାଲନ ହେଉଥିବା ଏହି ଯାତ୍ରା ଚଳିତ ବର୍ଷ ମଧ୍ୟ ଶାନ୍ତିଶୃଙ୍ଖଳାର ସହ ଉଦଯାପିତ ହୋଇଯାଇଛି। ମଙ୍ଗଳବାର ପୁଣିଥରେ ଶୁଲିଆ ପୀଠ ରକ୍ତରେ ଭିଜିଥିବା ବେଳେ ଶହ ଶହ ସଂଖ୍ୟାରେ ପଶୁପକ୍ଷୀ ଏଠାରେ ବଳି ପଡିଥିଲେ। ଯଦିଓ ବଳିକୁ ବନ୍ଦ କରିବା ପାଇଁ କୈାଣସି କଟକଣା ନଥିଲା ତଥାପି ପ୍ରଶାସନିକ ସଚେତନତା ମଧ୍ୟ ଦେଖିବାକୁ ମିଲିନଥିଲା। ଅନାୟାସରେ ମାନସିକ ଧାରୀ ମାନେ କୁକୁଡା, ଛେଲି, ମେଣ୍ଢା, ପୋଢ ଆଣି ଶୁଲିଆ ପୀଠରେ ବଳି ଚଢାଇଥିଲେ। ପୁଲିସ ସମ୍ପୂର୍ଣ୍ଣ ଭାବେ ଦେଖଣାହାରୀ ସାଜିଥିଲା। ଏପରିକି କୈାଣସି ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଲିନଥିଲା।

ବଲାଙ୍ଗୀର ଜିଲା ହେଉଛି ଏକ ଆଦିବାସୀ ବହୁଳ ଜିଲା। ଜଙ୍ଗଳ, ପାହାଡ ଘେରା ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ଚଲଣି, ପରମ୍ପରା ବେଶ ଭିନ୍ନ ରହିଛି। କନ୍ଧ ସଂପ୍ରଦାୟର ଇଷ୍ଟ ଦେବତା ଶୁଲିଆଙ୍କ ଯାତ୍ରା ପ୍ରତି ବର୍ଷ ପୈାଷ ମାସ ଶୁକ୍ଲ ପକ୍ଷର ପ୍ରଥମ ମଙ୍ଗଳବାରରେ ପୂଜା କରାଯାଇଥାଏ। ବଲାଙ୍ଗିର ଜିଲା ଦେଓଗାଁ ଖଇରଗୁଡା ଠାରେ ପ୍ରସିଦ୍ଧ ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ। ବିଗତ ବର୍ଷ ମାନଙ୍କରେ ବଳିକୁ ନେଇ ଲାଗିରହୁଥିବା ଛକପଞ୍ଜା ପାଇଁ ଏହି ପୀଠ ବେଶ ଚର୍ଚ୍ଚିତ ହୋଇରହୁଥିଲା। କିନ୍ତୁ ବିଗତ କିଛି ବର୍ଷ ହେଲା ବଳି ପାଇଁ କୈାଣସି କଟକଣା କିମ୍ବା ବାରଣ ନ ଥିବାରୁ ସେହିଭଳି କିଛି ଆଇନ ଶୃଙ୍ଖଳା ପରିସ୍ଥିତି ଦେଖିବାକୁ ମିଲିନାହିଁ। ତଥାପି ହଜାର ହଜାର ମାନସିକଧାରୀ ବଲାଙ୍ଗୀର, ବରଗଡ, କଲାହାଣ୍ଡି, କନ୍ଧମାଳ, ନୁଆପଡା, ସୋନପୁର ଭଳି ଜିଲା ମାନଙ୍କରୁ ଆସି ଏହି ପୀଠରେ ବଳି ଦେଇ ପୂଜା କରିଥାନ୍ତି। ଖଇରଗୁଡା ଠାରେ ଥିବା ମୁଖ୍ୟଖଳା ରେ ସୋମବାର ଦିନ ଠାରୁ ପୂଜା ବିଧୀ ଆରମ୍ଭ ହୋଇଥିଲା। ଏଥିପାଇଁ ଦେହେରୀ ମାନେ ପୂର୍ବପ୍ରସ୍ତୁତି କରିଥିବା ବେଳେ ମଙ୍ଗଳବାର ସକାଳୁ ଶୁଲିଆଙ୍କ ପୂଜାର୍ଚ୍ଚନାରେ ପୀଠରେ ଆରମ୍ଭ କରାଯାଇଥିଲା। ଗାଁ ମୁଖ୍ୟଙ୍କ ଘରୁ ବଳିଖଣ୍ଡା ପାରମ୍ପରିକ ବାଦ୍ୟ ସହ ପୀଠରେ ପହଞ୍ଚିବା ପରେ ତାକୁ ପୂଜା କରାଯାଇଥିଲା। ପରମ୍ପରା ଅନୁସାରେ ସମସ୍ତ ପୂଜାବିଧୀ ସରିବା ପରେ ଶୁଲିଆ ଦେହୁରୀ ମାନଙ୍କ ଦେହରେ ବିରାଜମାନ କରିଥିଲେ। ପରେ ପାଟବଳି ଭାବେ ଧଳା ରଙ୍ଗର କୁକୁଡା ଓ ଛେଲି ଶୁଲିଆଙ୍କୁ ଭୋଗ ଲଗାଯାଇ ପୂଜା କରାଯାଇଥିଲା। ଏହା ପରେ ପାରମ୍ପରିକ ବାଦ୍ୟ ସହ ଶୁଲିଆ ବଳି ଖଳା ରେ ପ୍ରବେଶ କରିଥିଲେ। ସମସ୍ତ ପୂଜାବିଧୀ ସରିବା ପରେ ଜିଲା ତଥା ଜିଲା ବାହାରୁ ଆସିଥିବା ମାନସିକ ଧାରୀ ମାନେ ଆଣିଥିବା କୁକୁଡା, ଛେଲି, ମଇଁଷି, ମେଣ୍ଢାକୁ ବଳି ଦିଆଯାଇଥାଏ। ଖଇରଗୁଡାରେ ଥିବା ସାନଖଳା, ବଡଖଳା ଓ କୁମରିଆ ଠାରେ ଏହି ଦିନ ଶହ ଶହ ସଂଖ୍ୟାରେ ବଳି ପଡିଥାଏ।

Comments are closed.