ମୁରିବାହାଲରେ ପଙ୍ଗପାଳ ଆତଙ୍କ!

କୃଷି ବିଭାଗର ଖଣ୍ଡନ

ମୁରିବାହାଲ : ବଲାଙ୍ଗିର ଜିଲା ମୁରିବାହଲ ବ୍ଲକ ଚଳକୀ ପଞ୍ଚାୟତରେ ପଙ୍ଗପାଳ ଆତଙ୍କ ଦେଖାଦେଇଥିବା ଜଣାଯାଇଛି। ପଙ୍ଗପାଳ ଛତିଶଗଡରୁ ଓଡିଶାକୁ ପ୍ରବେଶ କରିବାର ପୂର୍ବାନୁମାନ ଥିବାବେଳେ ଏନେଇ ଚାଷୀମାନେ ଚିନ୍ତିତ ହୋଇପଡିଛନ୍ତି। ଉକ୍ତ ଅଞ୍ଚଳର ଜଙ୍ଗଲରେ ଏକ ଝିଣ୍ଟିକା ଭଳି ବଡ଼ କୀଟ ଲକ୍ଷ ଲକ୍ଷ ସଂଖ୍ୟାରେ ଦେଖିବାକୁ ମିଳୁଛି। ଚାଷୀମାନେ ଏହାକୁ ପଙ୍ଗପାଳ ଭାବି ଆତଙ୍କିତ ହୋଇପଡିଛନ୍ତି। ଏହି କୀଟ ବାଡିବଗିଚାରେ ଥିବା ପନିପରିବା ଗଛର ପତ୍ରକୁ ଖାଇ ସଂମ୍ପୂଣ୍ଣ ଲଣ୍ଡା କରିଦେଉଛନ୍ତି। ଆଗକୁ ଖରିଫରେ ଧାନ, କପା, ଓ ଅନ୍ୟାନ୍ୟ ପନିପରିବା ଚାଷ ଆରମ୍ଭ ହେବାକୁ ଥିବାବେଳେ ଜଙ୍ଗଲ ଭିତରୁ ଆସି ଏଭଳି ଲକ୍ଷାଧିକ କୀଟ ଚାଷୀମାନଙ୍କ ଆଶଙ୍କା ବଢାଇଛନ୍ତି। ସରକାର ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଚଳକୀ, କର୍ଲା, ଜଏଁତରା, ଜାମିଲିସର, ବାଙ୍କେଲ. ଗୋବିନ୍ଦପୁର, ଖୁଜେନପାଲି, ହୀରାପୁର, ଗ୍ରାମର ଚାଷୀମାନେ ଦାବି କରିଛନ୍ତି। ଗତ ସୋମବାର ମୁରିବାହାଲ ରେଳ ଷ୍ଟେସନ ଅଞ୍ଚଳରେ ମଧ୍ୟ ଏପରି କୀଟ ଦେଖାଯାଇଥିଲେ। ଏ ସମ୍ପର୍କରେ ମୁରିବାହାଲ ଏଏଓ ଅମ୍ରିତ ଲୁଗୁନ ଏହି କୀଟ ପଙ୍ଗପାଳ ନୁହେଁ; ଏକପ୍ରକାର ଝିଣ୍ଟିକା ବୋଲି କହିଛନ୍ତି। ଟିଟିଲାଗଡ ଜିଲା କୃଷି ଅଧିକାରୀ ବାଳକୃଷ୍ଣ ଗୌଡଙ୍କ ମତରେ ବର୍ତମାନ ପର୍ଯ୍ୟନ୍ତ ଓଡିଶାକୁ ପଙ୍ଗପାଳ ଆସିନାହାନ୍ତି। ପ୍ରତ୍ୟେକ ଗାଁରେ ଆମ କର୍ମଚାରୀ ସଜାଗ ଅଛନ୍ତି। ଖବର ଆସିଲେ ଅଗ୍ନିଶମ ବିଭାଗ ସହାୟତାରେ ନିୟନ୍ତ୍ରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Comments are closed.