ମାଆ ଡୁମେର ତଲେନ ମହୋତ୍ସବ ଉଦଘାଟିତ

ଖପ୍ରାଖୋଲ : ମା’ ଡୁମେର ତଲେନ ଯୁବକ ସଂଘ ଏବଂ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ମାଆ ଡୁମେର ତଲେନ ମହୋତ୍ସବ ଗୁରୁବାର ସନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଉଦଘାଟିତ ହୋଇଅଛି। ପାଟଣାଗଡ ଉପଜିଲାପାଳ ସୋମନାଥ ପଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି। ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ ଏହି ଭାବଧାରା ନେଇ ଉତ୍ସବ ପାଳନ କରିବା ସହିତ ମହୋତ୍ସବ ମାଧ୍ୟମରେ ଆମ ଅଞ୍ଚଳର କଳା ସଂସ୍କୃତିକୁ ଆମେ ଲୋକ ଲୋଚନକୁ ଆଣିବାରେ ସକ୍ଷମ ହୋଇପାରିବ ବୋଲିଉପଜିଲାପାଳ ଉଦଘାଟନୀ ଉତ୍ସବରେ କହିଥିଲେ। ପ୍ରଥମଥର ପାଇଁ ଏହି ଉତ୍ସବ ଆୟୋଜିତ ହୋଇଥିବା ବେଳେ ଏହାକୁ ଉପଜିଲାପାଳ ପ୍ରଶଂସା କରିବା ସହିତ ଏହାର ସଫଳତା କାମନ କରିଥିଲେ। ଉତ୍ସବ ପୂର୍ବରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ଖପ୍ରାଖୋଲର ଇଷ୍ଟଦେବୀ ମାଆ ଡୁମେର ତଲେନଙ୍କ ନିକଟରୁ ବାହାରି ଥିଲା। ଡୁମେର ତଲେଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ଉପଜିଲାପାଳ ସୋମନାଥ ପଧାନ ମଶାଲ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଏଥିସହିତ ଡୁମେର ତଲେଙ୍କ ପ୍ରତିମା ଏବଂ ମଶାଲକୁ ପାରମ୍ପରିକ ଲୋକନୃତ୍ୟ ଏବଂ ଲୋକବାଦ୍ୟର ତାଳେ ତାଳେ ଉତ୍ସବ ସ୍ଥଳକୁ ନିଆଯାଇଥିଲା। ପୂଜକ ରମେଶ ଚନ୍ଦ୍ର ଦାଶ ପୂଜାକାର୍ଯ୍ୟ ସଂପାଦନ କରିଥିଲେ।

ଗ୍ରାମବାସୀ ନିଜ ନିଜ ଘର ସମ୍ମୁଖରେ କଳସ ସ୍ଥାପନ କରି ମାଆଙ୍କୁ ପୂଜାର୍ଚ୍ଚନା କରିବା ସହିତ ସ୍ୱାଗତ କରିଥିଲେ। ଯୁବକ ସଂଘର ସଭାପତି ବୁଲୁ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ହରିଶଙ୍କର ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବଳଭଦ୍ର ଦାଶ ମୁଖ୍ୟବକ୍ତା, ଖପ୍ରାଖୋଲ ବ୍ଲକ ପ୍ରାଣୀ ଚିକିତ୍ସକ ଡଃ. ସୁଜିତ କୁମାର ଶତପଥି ସମ୍ମାନିତ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ। ଏହି ମହୋତ୍ସବ କେବଳ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ନୁହେଁ ଏହା ଭାଇଚାରାର ବାର୍ତା ବହନ କରିଅଛି। ଆଦିବାସୀ ଅଧ୍ୟୁଷିତ ଖପ୍ରାଖୋଲ ବ୍ଲକର କଳା ସଂସ୍କୃତିକୁ ବଜାଇ ରଖିବା ସହିତ ଏହା ଯୁବଶକ୍ତିକୁ ଏକତ୍ରିତ କରିବାରେ ସହାୟକ ହେବ ବୋଲି ମୁଖ୍ୟବକ୍ତା ଅଧ୍ୟାପକ ଦାଶ ପ୍ରକାଶ କରିଥିଲେ। ଶିକ୍ଷକ ଦେବରାଜ ପାଣିଗ୍ରାହୀ ସଭା ସଂଯୋଜନା କରିଥିଲେ। ଯୁବକ ସଂଘର ସଭାପତି ବୁଲୁ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ପାର୍ବତୀ, ଜ୍ୟୋତିର୍ମୟୀ, ସେଫାଳୀ, ଅଞ୍ଜନା ଉଦଘାଟନୀ ସଂଗୀତ ପରିବେଷଣ କରିଥିଲେ। ଯୁବକ ସଂଘର ସମସ୍ତ କର୍ମକର୍ତା ଏବଂ ସଭ୍ୟବୃନ୍ଦ ଉପସ୍ଥିତ ରହି ଏହି ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ସଭାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଲୋକନୃତ୍ୟ ପରିବେଷଣ ହୋଇଥିଲା। ଶୁକ୍ରବାର କଂସ ଦରବାରର ଶୁଭାରମ୍ଭ ହେବ। ମହୋତ୍ସବ ପାଞ୍ଚଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମୀନାବଜାର ଏବଂ ଅପେରା ଆଦି ଆୟୋଜିତ କରାଯାଇଛି।

Comments are closed.