ପାଠ ପଢାରୁ ବଞ୍ଚିତ ହୋଇଛନ୍ତି ପ୍ରବାସୀଙ୍କ ପୁଅ-ଝିଅ, ୧୦ ସ୍ୱେଚ୍ଛାସେବୀଙ୍କ ହାତରେ ୨୨୦ଜଣଙ୍କ ଭାଗ୍ୟ

ବଲାଙ୍ଗିର: ବଲାଙ୍ଗିର ଜିଲା ବେଲପଡ଼ା ବ୍ଲକ ସରମୁହାଣ ପଞ୍ଚାୟତର ଖରଖରା ଗାଁ। ଗାଁ ମଣ୍ଡପରେ ଅନ୍ୟମାନଙ୍କ ସହ ପାଠ ପଢୁଥିଲେ ବ୍ରହ୍ମା ମାଝୀଙ୍କ ୧୨ ବର୍ଷର ଝିଅ ଇନ୍ଦୁମତି। ସେ ଗତ ବର୍ଷ ପଞ୍ଚମ ପଢୁଥିଲେ। ଘରର ଆର୍ଥିକ ଅବସ୍ଥା ଖରାପ ଥିବାରୁ ବାପା ପରିବାର ନେଇ ଗତ ଡିସେମ୍ବରରେ ତାମିଲନାଡୁ ଯାଇଥିଲେ। ତିଭାଲୁର ଜିଲାର ସେତୁପକ୍କମରେ ପରିବାର ଲୋକେ ଇଟା ଗଢିବା କାମରେ ନିୟୋଜିତ ହୋଇଥିଲେ। ବହି ବସ୍ତାନୀ ରହିଗଲା ଘରେ। ପାଠ ପଢାରେ ଡୋରି ପଡ଼ିଲା। ସକାଳୁ ସନ୍ଧ୍ୟା ଯାଏ ବାପା-ମା ଓ ଅନ୍ୟମାନେ ଇଟା ଗଢିଲେ। ଆଉ ଛୋଟ ଛୋଟ ଛୁଆମାନେ ଅସ୍ୱାସ୍ଥ୍ୟକର ପରିବେଶରେ ରହିଲେ। କରୋନା ମହାମାରୀ ଯୋଗୁଁ ବାପା ବହୁ କଷ୍ଟରେ ପରିବାର ଧରି ଗାଁକୁ ଫେରିଲେ। ଏବେ ପୁଣିଥରେ ପାଠ ପଢିବାର ସୁଯୋଗ ପାଇଛନ୍ତି ଇନ୍ଦୁମତି।

ସେହିପରି ଖପ୍ରାଖୋଲ ବ୍ଲକ କଟାପାଲି ସ୍କୁଲ ଉନ୍ନୟନ କମିଟିର ସଭାପତି ତଥା ଅଭିଭାବକ ହେଉଛନ୍ତି ତପସ୍ୱିନୀ ବରିହା(୩୨)। ଘର ପାଇଁ ଋଣ ନେଇଥିଲେ। ହେଲେ ଟଙ୍କା ପରିଶୋଧ କରିବାକୁ ସମସ୍ୟା ହେଲା। ବାଧ୍ୟ ହୋଇ ମଧ୍ୟସ୍ଥି ଜରିଆରେ ଗତ ବର୍ଷ ସ୍ୱାମୀ-ସ୍ତ୍ରୀ ଓ ୨ପୁଅ-ଝିଅ ଯାଇଥିଲେ ଆନ୍ଧ୍ରପ୍ରଦେଶର ଶ୍ରିକାକୁଲମ ଜିଲାକୁ ଇଟା ଗଢିବା ପାଇଁ। ବଡପୁଅ ଇଟା ଗଢା କାମରେ ସହଯୋଗ କରୁଥିଲେ। ହେଲେ ଝିଅର ପାଠ ପଢା ବରବାଦ ହେଇଗଲା। ୯ ମାସ ହେଲା ପୁଅ-ଝିଅ ପାଠ ପଢାରୁ ଦୂରରେ। ଲକ୍‍ଡାଉନ୍‍ ସମୟରେ ସେମାନେ ଫେରିବା ପରେ ସ୍ୱେଚ୍ଛାସେବୀଙ୍କ ହସ୍ତକ୍ଷେପ ଯୋଗୁଁ ପାଠ ପଢାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀ ପଢିବାର ସୁଯୋଗ ପାଉଛନ୍ତି କହନ୍ତି ସଭାପତି ଶ୍ରୀମତୀ ବରିହା।

କୋଭିଡ-୧୯ ମହାମାରୀ ପାଇଁ ଦେଶର ଶ୍ରମିକ ଶ୍ରେଣୀର ଲୋକେ ହନ୍ତସନ୍ତ ହୋଇଥିଲେ। କାମ ବନ୍ଦ ହେଲା, ରୋଜଗାର ହରାଇଲେ। ବାଧ୍ୟ ହୋଇ ସେମାନେ ଭିଟାମାଟିକୁ ଦୁଃଖ, କଷ୍ଟରେ ଫେରିଲେ। ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର ଭଳି ଆଉ କିଛି ଜିଲାର ଶ୍ରମିକ ୬ରୁ ୮ମାସ ଯାଏ ଋତୁକାଳୀନ ଶ୍ରମିକ ତଥା ଅନ୍ୟାନ୍ୟ କ୍ଷେତ୍ରରେ କାମ କରିବାକୁ ରାଜ୍ୟ ବାହାରକୁ ଯାଇଥାନ୍ତି ପରିବାର ସହ। ବିହାର, ଦିଲ୍ଲୀ, ମଧ୍ରପ୍ରଦେଶ, ଓଡ଼ିଶା, ତାମିଲନାଡୁ, ତେଲେଙ୍ଗାନା ଭଳି ରାଜ୍ୟରେ ପ୍ରବାସୀ ଓଡ଼ିଆଙ୍କ ଅଧାରୁ ପଠ ପଢିଥିବା ଛୁଆଙ୍କୁ ଚିହ୍ନଟ କରି ସେମାନଙ୍କୁ ମାତୃଭାଷାରେ ଶିକ୍ଷା ଦେବାକୁ ଏକ ସ୍ୱେଚ୍ଛାସେବୀ ସଂସ୍ଥା କାମ କରିଥିବା ଜଣାପଡ଼ିଛି। ଏଥିସହିତ ସ୍କୁଲ ସହ ଛାତ୍ରଛାତ୍ରୀଙ୍କୁ ଯୋଡି ମଧ୍ୟାହ୍ନ ଭୋଜନ, ସ୍କୁଲ ଡ୍ରେସ, ବହି ଆଦି ମଧ୍ୟ ଯୋଗାଇ ଦିଆଯାଏ। ସେଠାରୁ ଆବଶ୍ୟକ ପ୍ରମାଣପତ୍ର ନେଇ ଛାତ୍ରଛାତ୍ରୀମାନେ ଗାଁକୁ ଫେରିଲେ ନିଜ ଗାଁ ନିକଟ ସ୍କୁଲରେ ନାଁ ଲେଖାଇବାର ସୁଯୋଗ ପାଇଥାନ୍ତି। କିନ୍ତୁ କୋଭିଡ-୧୯ ପାଇଁ ସ୍କୁଲ ବନ୍ଦ। ଘରକୁ ଫେରିଥିବା ପ୍ରବାସୀଙ୍କ ପିଲାମାନେ ପାଠ ପଢିବାରୁ ବଞ୍ଚିତ। ସେମାନଙ୍କ ଶିକ୍ଷା ଅଧିକାର ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଥିଲା।

ବଲାଙ୍ଗିର ଜିଲାକୁ ଦୃଷ୍ଟିଦେଲେ ଦୀର୍ଘ ଦିନରୁ ଶ୍ରମ ବିଭାଗର ପଞ୍ଜୀକରଣ ତୁଳନାରେ ବହୁ ଗୁଣ ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଆନ୍ତି। ଘର ଲୋକେ କାମ କରୁଥିବା ବେଳେ ପୁଅ-ଝିଅମାନେ ଇଟାଭାଟିରେ ଅଣଦେଖା ହୁଅନ୍ତି। କୋଭିଡ-୧୯ ପାଇଁ ବଲାଙ୍ଗିର ଜିଲାକୁ ୧ଲକ୍ଷ ୪୦ହଜାର ପ୍ରବାସୀ ଶ୍ରମିକ ଫେରିଥିବା ଓ ଟିଏମ୍‍ସିରେ ରହିଥିବା ରେକର୍ଡ କରାଯାଇଛି। ଏକ ସର୍ବେକ୍ଷଣ ଅନୁସାରେ, ଫେରନ୍ତା ପ୍ରବାସୀଙ୍କ ୧୫ ପ୍ରତିଶତ ପିଲା ସ୍କୁଲ ଶିକ୍ଷା ପାଇବାରୁ ବଞ୍ଚିତ। ଆଉ ଜିଲା ସର୍ବ ଶିକ୍ଷା ଅଭିଯାନ ପକ୍ଷରୁ କୁହାଯାଉଛି ଯେ, ଗତ ବର୍ଷ ମାତ୍ର ୧୮ଶହ ପିଲା ରାଜ୍ୟ ବାହାରକୁ ପରିବାର ସହ ଯାଇଥିଲେ। କିନ୍ତୁ ବାସ୍ତବତା ସଂପୂର୍ଣ୍ଣ ଭିନ୍ନ। ପ୍ରବାସୀ ଶ୍ରମିକ କରୋନା କାଳରେ ଫେରିବା ପରେ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ପଢାଇବାକୁ ଯୋଜନା କରିଥିଲା ସ୍ୱେଚ୍ଛାସେବୀ ସଂସ୍ଥା ଏଡ୍‍ ଇଟ୍‍ ଏକ୍ସନ। ନବରଙ୍ଗପୁର ଓ ବଲାଙ୍ଗିର ଜିଲାର ୨୬୩ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇଥିଲା। ନବରଙ୍ଗପୁରରୁ ୪୦ଜଣ ରହିଛନ୍ତି। ବଲାଙ୍ଗିର ଜିଲାର ଖପ୍ରାଖୋଲ ବ୍ଲକ ମାଟିଆଭଟ ପଞ୍ଚାୟତର ପୁତଲାମହୁଲ, ସାଲେପାଲି, କଟାପାଲି, ତୁରେକେଲା ବ୍ଲକର ହଲନଭଟା ପଞ୍ଚାୟତର ଭାଲୁକାନି, ଟିଟିଲାଗଡ ମହୁଲପଡ଼ା, ବେଲପଡ଼ା ବ୍ଲକ ସରମୁହାଣ ପଞ୍ଚାୟତର ସରମୁହାଣ ଓ ଖରଖରା, ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତର ବେନକେରାରେ ୨୨୦ଜଣ ଛାତ୍ରଛାତ୍ରୀଙ୍କୁ ୧୦ଜଣ ସ୍ୱେଚ୍ଛାସେବୀ ପାଠ ପଢାଉଥିବା କହିଛନ୍ତି ସ୍ୱେଚ୍ଛାସେବୀ ସଂସ୍ଥାର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ସରୋଜ କୁମାର ବାରିକ। ଏହା ଏକ ପ୍ରୟାସ ମାତ୍ର। କିନ୍ତୁ ଜିଲାର ଦାଦନ ପ୍ରବଣ ବହୁ ଗାଁର ଛାତ୍ରଛାତ୍ରୀ ପାଠ ପଢାରୁ ଆଜି ବି ବଞ୍ଚିତ ଓ ବହୁ ଦୂରରେ।

Comments are closed.