ଆଜିଠୁ ଆରମ୍ଭ ଅନ୍ତର୍ଜାତୀୟ ୬୪ ଯୋଗିନୀ ମହୋତ୍ସବ ; ଫାଇଲ ତଳେ ଐତିହ୍ୟ ତୋରଣ

ବାଳକାଟି  : ବାଲିଅନ୍ତା ବ୍ଲକ୍‍ ଉମାଦେଇବ୍ରହ୍ମପୁର ପଞ୍ଚାୟତ ହୀରାପୁର ମହାମାୟା ପୀଠରେ ସୋମବାରଠାରୁ ଆରମ୍ଭ ହେବ ତ୍ରୟୋଦଶ ଅନ୍ତର୍ଜାତୀୟ ୬୪ ଯୋଗିନୀ ମହୋତ୍ସବ। ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟ ପ୍ରତିଭା ଏବଂ ବାଲିଅନ୍ତା ପଞ୍ଚାୟତ ସମିତିର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ମହୋତ୍ସବର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି। ମାତ୍ର ଦୁଃଖ ଓ ପରିତାପର ବିଷୟ ମହୋତ୍ସବ ହେବାର ୧୩ବର୍ଷ ବିତିଯାଇଥିଲେ ମଧ୍ୟ ପୀଠର ଆଖଦୃଶିଆ ଉନ୍ନତି ହୋଇନାହିଁ। ନା ଏଥିପ୍ରତି ଆୟୋଜକମାନେ ଚିନ୍ତା ପ୍ରକଟ କରୁଛନ୍ତି ନା ବିଭାଗୀୟ ଅଧିକାରୀ। କେବଳ ମହୋତ୍ସବ ୩ଦିନ ମଧ୍ୟରେ ନେତା, ମନ୍ତ୍ରୀ, ପ୍ରଶାସକ ଆସି ଭାଷଣ ମାରି ଯାଉଛନ୍ତି।


ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ହୀରାପୁର ଗ୍ରାମର ମହାମାୟା ପୀଠ ତଥା ୬୪ ଯୋଗିନୀ ପୀଠ ଅନ୍ୟତମ। ଏହି ପୀଠ ପ୍ରାଚୀନ ତନ୍ତ୍ରକ୍ଷେତ୍ର ଭାବେ ସୁପରିଚିତ। ପୀଠରେ ମୁଖ୍ୟ ଦେବୀ ଭାବେ ପୂଜା ପାଉଛନ୍ତି ଦେବୀ ମହାମାୟା। ପୀଠ ଚତୁଃପାର୍ଶ୍ବରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାପାଇଁ ସେଭଳି ଆଖିଦୃଶିଆ କାମ ହୋଇନାହିଁ। ପୀଠର ଉନ୍ନତୀକରଣ ପାଇଁ ଅର୍ଥ ଆସୁଥିଲେ ମଧ୍ୟ ଆନ୍ତରିକତା ତଥା ଉଦାସୀନତା ଯୋଗୁଁ କାମ ନହୋଇ ଫେରିଯାଉଛି। ୨୦୧୬-୧୭ ଆର୍ଥିକ ବର୍ଷରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ପୀଠର ପ୍ରବେଶ ଦ୍ୱାରରେ ଏକ ସୁଉଚ୍ଚ ଐତିହ୍ୟ ତୋରଣ ନିର୍ମାଣ ନିମନ୍ତେ ୧୫ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ଟେଣ୍ଡର ମଧ୍ୟ ଡକାଯାଇଛି। ମାତ୍ର ତିନିବର୍ଷ ବିତିଯାଇଥିଲେ ସୁଧା ସ୍ଥାନୀୟ ତହସିଲ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ସ୍ଥାନ ଚିହ୍ନଟ ହୋଇନଥିବାରୁ ଏହା ଆଗେଇ ପାରୁନାହିଁ। ଏହାପୂର୍ବରୁ ପୋଖରୀ ଚାରିପଟେ ପାଦଚଲା ବାଟ ଏବଂ ନାଟମଣ୍ଡପ ପାଇଁ ୨୩ଲକ୍ଷ ୭୯ ହଜାର ଟଙ୍କା ଆସିଥିଲେ ମଧ୍ୟ ପାଦଚଲା ବାଟ ସମ୍ପୂର୍ଣ୍ଣ ହୋଇନାହିଁ। ସେହିପରି ପୀଠ ସଂଲଗ୍ନ ରାସ୍ତାର ଉନ୍ନତୀକରଣ, ପ୍ରଶସ୍ତୀକରଣ ଏବଂ ଆଲୋକୀକରଣ ହୋଇନଥିବା ଯୋଗୁଁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ରାସ୍ତା ଅଣଓସାରିଆ ହୋଇଥିବାରୁ ବସ୍‌ ଆସିପାରୁନାହିଁ। ଫଳରେ ଏଠାକୁ ପୂର୍ବାପେକ୍ଷା ପର୍ଯ୍ୟଟକଙ୍କ ଯିବାଆସିବା କମିଗଲାଣି। ସେହିପରି ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ପୀଠ ପରିସରରେ ଲାଇଟ୍‍ ଲାଗିଥିଲା; ମାତ୍ର ରକ୍ଷଣାବେକ୍ଷଣା ଅଭାବରୁ ଖରାପ ହୋଇଯାଇଛି। ଫଳରେ ପୀଠ ପରିସର ଅନ୍ଧାର ରହୁଥିବାରୁ ପଞ୍ଚାୟତ ପକ୍ଷରୁ ସୋଲାର ଲାଇଟ୍‍ ଓ ଟ୍ରଷ୍ଟ ପକ୍ଷରୁ ହାଇମାଷ୍ଟ ଲାଇଟ୍‍ ଲଗାଯାଇଛି। ସେହିପରି ପୀଠକୁ ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ରୋଷେଘର ଓ ସୁଲଭ ଶୌଚାଳୟର ବ୍ୟବସ୍ଥା ନଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Comments are closed.