କର୍ମନିଯୁକ୍ତିର ନୂଆ କିରଣ : ମାଗଣାରେ ଶାରୀରିକ ପ୍ରଶିକ୍ଷଣ , ୮ ବର୍ଷରେ ୨୦୦ରୁ ଊର୍ଦ୍ଧ୍ବ ନିଯୁକ୍ତି

ବାଳକାଟି (ସୂର୍ଯ୍ୟକାନ୍ତ ଭୋଳ) : ଆରକ୍ଷୀ, ପ୍ରତିରକ୍ଷା ଆଦି ବିଭାଗରେ ନିଯୁକ୍ତି ପାଇବାକୁ ହେଲେ ଶାରୀରିକ ଯୋଗ୍ୟତା ନିହାତି ଆବଶ୍ୟକ। ଏଥିପାଇଁ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ନେବାକୁ ପଡ଼ିଥାଏ, ଯାହା ସହଜରେ ସମସ୍ତଙ୍କୁ ମିଳିନଥାଏ। ତେବେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ୍‌ ଅଧୀନ ପୁରୀ ମୁଖ୍ୟକେନାଲ ପାର୍ଶ୍ବରେ ଏଭଳି ଏକ ସଂଗଠନ ଅଛି, ଯାହା ମାଗଣାରେ ଯୁବକଯୁବତୀଙ୍କୁ ଶାରୀରିକ ପ୍ରଶିକ୍ଷଣ ଦେଇ କର୍ମନିଯୁକ୍ତିର ନୂଆ କିରଣ ପାଲଟିଛି।

ଜୟ ଜଗନ୍ନାଥ ମିଶନ୍‌ ନାମକ ଏହି ସଂଗଠନକୁ ସାତବର୍ଷ ତଳେ ସ୍ଥାନୀୟ ଅଞ୍ଚଳର କେତେକ ଉତ୍ସାହୀ ଯୁବକ ଆରମ୍ଭ କରିଥିଲେ। ବର୍ତ୍ତମାନ ଏହା ବେକାର ଯୁବକଯୁବତୀଙ୍କ ମନରେ କର୍ମନିଯୁକ୍ତିର ନୂଆ ଆଶା ସୃଷ୍ଟି କରିପାରିଛି। ଏଠାରେ ପ୍ରଶିକ୍ଷଣ ନେଉଥିବା ପିଲାମାନେ ପ୍ରତିବର୍ଷ ସରକାରଙ୍କ ଆରକ୍ଷୀ, ପ୍ରତିରକ୍ଷା ତଥା ବେସାମରିକ ବିଭାଗରେ ନିଯୁକ୍ତି ପାଉଛନ୍ତି। ଏଠାରେ ଯୁବକଯୁବତୀ ବିଭିନ୍ନ ଖେଳକୁଦ କରିବାସହ ନିର୍ଦିଷ୍ଟ କ୍ରୀଡାକୌଶଳ ଶିକ୍ଷା ଗ୍ରହଣ କରିଥାନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ପିଲାମାନଙ୍କୁ ଯିଏ ବିନା ପାରିଶ୍ରମିକରେ ପ୍ରଶିକ୍ଷଣ ଦେଉଛନ୍ତି, ସେ ରାଜ୍ୟ ସରକାରଙ୍କ ଜଣେ କର୍ମଚାରୀ। ସେ ନିରବଛିନ୍ନ ଓ ସ୍ୱେଚ୍ଛାକୃତ ଭାବେ ସେବା ମନୋଭାବ ନେଇ ବେକାର ଯୁବକଯୁବତୀଙ୍କ ସୁନେଲି ଭବିଷ୍ୟତ ଗଢିଚାଲିଛନ୍ତି। ସେ କେବେହେଲେ ନିଜକୁ ପ୍ରଶିକ୍ଷକ ଭାବେ ପ୍ରକାଶ କରିନାହାନ୍ତି। ସେ ଏପର୍ଯ୍ୟନ୍ତ ନିିଜକୁ ପ୍ରଚାରପ୍ରସାରଠାରୁ ଦୂରେଇ ରଖିଛନ୍ତି ।

ଆଠବର୍ଷ ତଳେ ବ୍ଲକ୍‌ ପଡିଆରେ ୩/୪ ଜଣ ପିଲା ଦୌଡ଼, ଲମ୍ବଡିଆଁ ଆଦି ଅଭ୍ୟାସ କରୁଥିଲେ। ସେହି ବାଟ ଦେଇ ଉକ୍ତ ଯୁବକଜଣକ ପ୍ରାତଃ ଭ୍ରମଣରେ ଯିବାବେଳେ ସେମାନଙ୍କ ଅଭ୍ୟାସ ଦେଖି ଅଟକି ଯାଇଥିଲେ। ସେ ସେମାନଙ୍କୁ କିଭଳି ଉପାୟରେ ଅଭ୍ୟାସ କରାଯାଏ ଉଚିତ୍‌ ମାର୍ଗ ଦେଖାଇଥିଲେ। ତା’ପରଠାରୁ ପ୍ରତିରକ୍ଷା ବିଭାଗରେ ଯାହାସବୁ କ୍ରୀଡାକୌଶଳ ଆବଶ୍ୟକ ହୋଇଥାଏ, ସେମାନଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କଲେ। ସେହିଦିନଠାରୁ ଏହି ମିଶନ ଚାଲିଛି। ଗତ ୮ ବର୍ଷ ମଧ୍ୟରେ ଏହି ସଂଗଠନରେ ତାଲିମ ନେଇଥିବା ବାଲିଅନ୍ତା ଓ ବାଲିପାଟଣା ବ୍ଲକର ପାଖାପାଖି ୨୦୦ରୁ ଊର୍ଦ୍ଧ୍ବ ଯୁବକଯୁବତୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆରକ୍ଷୀ ଏବଂ ପ୍ରତିରକ୍ଷା ବିଭାଗରେ ନିଯୁକ୍ତି ପାଇଥିବାବେଳେ ଏବେ ୨୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି । ପ୍ରତିବର୍ଷ ହାରାହାରି ୩୦ରୁ ଅଧିକ ଯୁବକଯୁବତୀ ଏଠାରୁ ତାଲିମପ୍ରାପ୍ତ ହୋଇ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି।

ପ୍ରଶିକ୍ଷଣ ନେଉଥିବା ପିଲାଙ୍କ ସଂଖ୍ୟା ବଢ଼ୁଥିବାରୁ ସେମାନଙ୍କ ପାଇଁ ସ୍ଥାନାଭାବ ଦେଖାଦେଇଛି। ଏନେଇ ମିଶନ ପକ୍ଷରୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ, ବ୍ଲକ୍‌ ଓ ତହସିଲ୍‌ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ବର୍ତ୍ତମାନ ଜଣେ ବଦାନ୍ୟ ବ୍ୟକ୍ତିଙ୍କ ଜମିରେ ସେମାନେ ପ୍ରଶିକ୍ଷଣ ନେବାକୁ ବାଧ୍ୟ ହେଉଛନ୍ତି। ଏହି ସ୍ଥାନ ନିକଟରେ ଥିବା ସରକାରୀ ଜାଗାରେ ଏକ ମିନିଷ୍ଟାଡିୟମ ନିର୍ମାଣ କରାଗଲେ ଯୁବପିଢ଼ି ଉପକୃତ ହୁଅନ୍ତେ।

ମତମନ୍ତବ୍ୟ-

ନବୀନ ସେଠୀ (ସେନା କନଷ୍ଟେବଳ, ଚଣ୍ଡିଗଡ, ପଞ୍ଜାବ) : ମୁଁ ପ୍ରାୟ ୩ବର୍ଷ ହେଲା ଏଠାରେ ପ୍ରଶିକ୍ଷଣ ନେଇଥିଲି। ଏଠାକାର ପରିବେଶ ବହୁତ ଭଲ। ବିଶେଷକରି ଆମ ପ୍ରଶିକ୍ଷକଙ୍କ ତାଲିମ ଆମକୁ ଏତେବାଟ ଆଣପାରିଛି। ଟ୍ରେନିଂ ସାରି ଚାକିରିରେ ଯୋଗ ଦେଇଛି। ବହୁତ ଖୁସି ଲାଗୁଛି। ଏହି ମିଶନ ସ୍ଥାନୀୟ ଅଞ୍ଚଳର ବେକାର ଯୁବକଯୁବତୀଙ୍କୁ କର୍ମନିଯୁକ୍ତି ପାଇବାରେ ବେଶ୍ ସହାୟତା କରୁଛି।

ଟୁୁଟୁ ସାହୁ (କନଷ୍ଟେବଳ, ଅବକାରୀ ବିଭାଗ) : ଏଠାରୁ ପ୍ରଶିକ୍ଷଣ ନେଇ ବାଳକାଟି ଏବଂ ଏହାର ଆଖପାଖ ଅଞ୍ଚଳର ବହୁ ବେକାର ଯୁବକଯୁବତୀ ସରକାରୀ ସ୍ତରରେ ନିଜର ଦକ୍ଷତାକୁ ପ୍ରତିପାଦିତ କରିପାରିଛନ୍ତି।

ଧରଣୀଧର ରାଉତ (ସେନା କନେ​‌ଷ୍ଟବଳ, ଶିମ୍‌ଲା) : ମୋ ଘର ବନମାଳୀପୁର। ମୁଁ ଏଠାରେ ୩ବର୍ଷ ତଳେ ପ୍ରଶିକ୍ଷଣ ନେଇଥିଲି । ଏବେ ଶିମ୍‌ଲାରେ ସେନା କନ​‌େ​‌ଷ୍ଟବଳ ଭାବେ ନିଯୁକ୍ତି ପାଇଛି। ଏହି ମିଶନରେ ଆମ୍ଭେମାନେ ଏଭଳି ଏକତା ସୂତ୍ରରେ ବନ୍ଧା ହୋଇଛୁ ଯେ ଛୁଟିରେ ଆସିଲେ ଏଠାକୁ ଆସିବାପାଇଁ କେବେ ଭୁଲେନି।

 

Comments are closed.