ପରିଚୟ ଖୋଜୁଛି ‘ବକୁଳବନ’

ପୁରୀ (ଜଗନ୍ନାଥ ବସ୍ତିଆ): ପରିଚୟ ଖୋଜୁଛି ସତ୍ୟବାଦୀର ଐତିହ୍ୟ ବକୁଳବନ। ଓଡ଼ିଶାର ସ୍ବାଭିମାନ ଏବଂ ଅସ୍ମିତାର ପରିଚୟ ବହନ କରୁଥିବା ଏହି ପ୍ରାଚୀନ କୀର୍ତ୍ତିର ସଂରକ୍ଷଣରେ ଅବହେଳା କରୁଛନ୍ତି ରାଜ୍ୟ ସରକାର। ‘ଫଣି’ ପରଠାରୁ ଏଠାରେ ମାଟିରେ ଲୋଟୁଛି ଶହ ଶହ ଗଛ। ଚତୁଃପାର୍ଶ୍ବ ପ୍ରାଚିର ଭାଙ୍ଗି ପଡିଥିବାରୁ ଆରମ୍ଭ ହୋଇଛି ଜବରଦଖଲ। ଏଭଳିସ୍ଥିତିରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରକଳ୍ପରୁ ବାଦ୍‌ ପଡ଼ିଛି ଐତିହ୍ୟ ବକୁଳବନ। ଏହାର ସୁରକ୍ଷା ଏବଂ ପୁନରୁଦ୍ଧାରରେ ବାଧକ ସାଜିଛି ଅର୍ଥାଭାବ। ୯ ଅକ୍ଟୋବର ୨୦୧୮ରେ ମୁଖ୍ୟମନ୍ତ୍ରୀ ନିଜେ ଲଗାଇଥିବା ବକୁଳଗଛର ଏବେ ଆଉ ଚିହ୍ନବର୍ଣ୍ଣ ମିଳୁ ନାହିଁ। ସତ୍ୟବାଦୀ ବକୁଳବନର ଏଭଳି ଦୟନୀୟ ଅବସ୍ଥା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ରକ୍ଷଣାବେକ୍ଷଣ ଅଭାବରୁ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ଉପରେ ମାଡ଼ିଗଲାଣି ବୃକ୍ଷଲତା। ମୁଖ୍ୟ ପ୍ରବେଶପଥରେ ‘ଫଣି’ ପରଠାରୁ ପ୍ରାୟ ଦେଢ଼ବର୍ଷ ହେଲା ତାଲା ଝୁଲୁଛି।

ସତ୍ୟବାଦୀ ତହସିଲ ଅନ୍ତର୍ଗତ ଫୁଲଅଳସା ରାଜସ୍ବ ମୌଜାର ଖାତା ୧୦୦ରେ ଅବସ୍ଥିତ ଐତିହ୍ୟ ବକୁଳବନ। ୨୪ଟି ପ୍ଲଟ୍‌ରେ ରହିଛି ୧୯ଏକର ୩୫ ଡେସିମିଲ ଜମି। ପଞ୍ଚସଖା ଯୁଗର କେତେକ ବିରଳ ସ୍ମାରକୀ ଏବେ ମଧ୍ୟ ବକୁଳବନ ଭିତରେ ରହିଛି। ଓଡ଼ିଶାରେ ଆଦର୍ଶ ଶିକ୍ଷାପଦ୍ଧତିର ମୂଳଦୁଆ ପକାଇଥିବା ବକୁଳବନର ସୁରକ୍ଷା, ବିକାଶ ଏବଂ ପୁନରୁଦ୍ଧାର କ୍ଷେତ୍ରରେ ବର୍ଷ ବର୍ଷ ଧରି ଅବହେଳା କରାଯାଉଛି। ଏହାକୁ ଜାତୀୟ ବନବିଦ୍ୟାଳୟ ଏବଂ ଗୁପ୍ତ ବୃନ୍ଦାବନ କୁହାଯାଉଛି। ଯୁଗପୁରୁଷ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର ଏବଂ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ସର୍ବଶ୍ରେଷ୍ଠ ଏବଂ ଜୀବନ୍ତ ସ୍ମାରକୀ ଭାବେ ବକୁଳବନ ପରିଚିତ। ୧୯୦୯ ଅଗଷ୍ଟ ୧୨ ତାରିଖ କୁମାରପୂର୍ଣ୍ଣିମା ତିଥିରେ ଉତ୍କଳମଣି ଗୋପବନ୍ଧୁଙ୍କ ସମେତ ପଣ୍ଡିତ ନୀଳକଣ୍ଠ, ଆଚାର୍ଯ୍ୟ ହରିହର, ପଣ୍ଡିତ କୃପାସିନ୍ଧୁ ଏବଂ ପଣ୍ଡିତ ଗୋଦାବରୀଶ ଏହାକୁ ପ୍ରତିଷ୍ଠା କରିଥିଲେ। ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ଭାବାବେଗ ସହ ସତ୍ୟବାଦୀ ବକୁଳବନ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସେଠାରେ ୫ ହଜାରରୁ ଊର୍ଦ୍ଧ୍ବ ବଉଳଗଛ ଏବଂ ବିରଳ ବୃକ୍ଷଲତା ରହିଛି।

ଏକା ସମୟରେ ପ୍ରତିଷ୍ଠିତ ପଶ୍ଚିମବଙ୍ଗର ଶାନ୍ତିନିକେତନ ଏବେ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଥିବାବେଳେ ସତ୍ୟବାଦୀ ବକୁଳବନ ସରକାରୀ ଅବହେଳାର ଶିକାର ହୋଇଛି। ବକୁଳବନ ସମେତ ତାହାକୁ ଲାଗି ରହିଥିବା ୨୮ଏକର ଜମିରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଅକ୍ଟୋବର ୯ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମୁଖ୍ୟମନ୍ତ୍ରୀ ନିଜେ ବକୁଳବନ ପରିଦର୍ଶନ କରିବା ସହ ସେଠାରେ ଗୋଟିଏ ବଉଳ ଚାରାରୋପଣ କରିଥିଲେ। ବକୁଳବନକୁ ଓଡ଼ିଆ ବିଶ୍ବବିଦ୍ୟାଳୟର ଗବେଷଣାର କେନ୍ଦ୍ର ବିନ୍ଦୁ କରାଯିବ ବୋଲି ଘୋଷଣା କରାଯାଇଥିଲା। ଗତବର୍ଷ ବିଶ୍ବବିଦ୍ୟାଳୟ ପାଇଁ ଜମି କିଣାଯିବା ସମୟରେ ବକୁଳବନ ରହିଥିବା ଜମି ସେଥିରୁ ବାଦ୍‌ ଦିଆଯାଇଛି। ଏଥିଯୋଗୁଁ ବକୁଳବନ ପୁନରୁଦ୍ଧାର ହେବାନେଇ ଅନିଶ୍ଚିତତା ଦେଖାଦେଇଛି। ବକୁଳବନ ଜମି ମାଲିକାନା ଶ୍ରୀସତ୍ୟବାଦୀ ଗୋପୀନାଥଦେବ ଏଣ୍ଡାଓମେଣ୍ଟ ଟ୍ରଷ୍ଟବୋର୍ଡ ନାମରେ ରହିଛି।
ଏ ସମ୍ପର୍କରେ ଟ୍ରଷ୍ଟବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦଚନ୍ଦ୍ର ସ୍ବାଇଁ କହିଛନ୍ତି ରାଜ୍ୟ ସରକାର ଯଦି ସ୍ବତନ୍ତ୍ର ଆର୍ଥିକ ଅନୁଦାନ ପ୍ରଦାନ କରନ୍ତି ତାହାହେଲେ ଐତିହ୍ୟ ବକୁଳବନର ପୁନରୁଦ୍ଧାର କରାଯିବ। ବକୁଳବନ ପ୍ରତି ଏଭଳି ସରକାରୀ ଅବହେଳା ପୂଜ୍ୟପୂଜା ପ୍ରତି ଘୋର ଅସମ୍ମାନ ବୋଲି ଆଇନଜୀବୀ ବିନାୟକପ୍ରସାଦ ମହାନ୍ତି ଅଭିଯୋଗ କରିଛନ୍ତି।

Comments are closed.