ଆଶ୍ରମ ୩ ସେଟରେ ବଜରଙ୍ଗ ଦଳ କର୍ମୀଙ୍କ ଭଙ୍ଗାରୁଜା

‘ହିନ୍ଦୁ ସମାଜକୁ ବଦନାମ କରିବାକୁ କାହାକୁ ସୁଯୋଗ ଦେବୁନାହିଁ’

ଭୋପାଳ: ଏଠାରେ ‘ଆଶ୍ରମ ୩’ର ସୁଟିଂ ସେଟରେ ବଜରଙ୍ଗ ଦଳର କିଛି କର୍ମୀ ପ୍ରବେଶ କରି ଭଙ୍ଗାରୁଜା କରିଛନ୍ତି । ଏହି ୱେବ ସିରିଜର ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ଉପରକୁ ମଧ୍ୟ ସେମାନେ କାଳି ଫିଙ୍ଗିଥିବା ଜଣାଯାଇଛି । ବଜରଙ୍ଗ ଦଳର କର୍ମୀମାନେ କହିଛନ୍ତି ଯେ ସେମାନେ ହିନ୍ଦୁ ସମାଜକୁ ବଦନାମ କରିବାକୁ କାହାକୁ ସୁଯୋଗ ଦେବେନାହିଁ । ଭୋପାଳର ପୁରୁଣା ଜେଲ ପରିସରରେ ପ୍ରକାଶ ଝା ୱେବ ସିରିଜର ତୃତୀୟ ପର୍ଯ୍ୟାୟ ସୁଟିଂ କରୁଥିବା ସମୟରେ ବଜରଙ୍ଗ ଦଳର ସଦସ୍ୟମାନେ ସେଠାରେ ପହଞ୍ଚି ସେଟ୍‍ ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ । ଏପରିକି ସେମାନେ ସୁଟିଂ କରୁଥିବା ଦଳର କିଛି ଲୋକଙ୍କ ଉପରକୁ ଢେଲା ପଥର ଫିଙ୍ଗିବା ସହିତ ଶ୍ରୀ ଝାଙ୍କ ଉପରକୁ କାଳି ଫିଙ୍ଗିଥିଲେ । ଏହାପରେ ସେମାନେ ଏହି ୱେବ ସିରିଜର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ବବି ଦେଓଲଙ୍କୁ ଖୋଜିଥିଲେ । ଏହି ଘଟଣା ଘଟିବା ପରେ ତୁରନ୍ତ ପୁଲିସ ସେଠରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା । ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ । ତେବେ ଭୋପାଳ ପୁଲିସ ଡିଆଇଜି ଇର୍ସାଦ ୱାଲି କହିଛନ୍ତି ଯେ ଘଟଣା ଘଟାଇ ଦୁର୍ବୃତ୍ତମାନେ ସେଠାରୁ ପଳାଇ ଯାଇଥିଲେ ଏବଂ ଏଥିରେ କେବଳ କିଛି ଯାନବାହନ କ୍ଷତିଗ୍ରସ୍ତ ହୋଇଚି । ଯେଉଁମାନେ ଏହି ଘଟଣା ପାଇଁ ଦାୟୀ, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଘଟଣାର ପୁନରାବୃତ୍ତି ହେବାକୁ ଦିଆଯିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପକ୍ଷରେ ବଜରଙ୍ଗ ଦଳର ଭୋପାଳ ନେତା ସୁଶିଲ ସୁଦେଲେ କହିଛନ୍ତି, ମଧ୍ୟପ୍ରଦେଶରେ ଚଳଚ୍ଚିତ୍ର ଶିଳ୍ପର ବିକାଶ ସେମାନେ ଚାହାନ୍ତି । ଯଦ୍ଦ୍ୱାରା ସ୍ଥାନୀୟ ଲୋକ ନିଯୁକ୍ତି ପାଇପାରିବେ । କିନ୍ତୁ ଏହି ସ୍ଥାନକୁ ହିନ୍ଦୁ ସମାଜକୁ ବଦନାମ କରିବାକୁ ଦିଆଯିବ ନାହିଁ । ଯଦି ଚଳଚ୍ଚିତ୍ରରେ ହିନ୍ଦୁ ଧର୍ମକୁ ବଦନାମ କରାଯାଉଛି ତେବେ ଅନ୍ୟ କୌଣସି ଧର୍ମକୁ କାହିଁକି ସେଥିପାଇଁ ପ୍ରଦର୍ଶିତ କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

Comments are closed.