ବଜ୍ରକାପ୍ତା ଚାଲାଣରେ ବିଦେଶୀ ଲିଙ୍କ୍‍

ଗୁରୁଡିଝାଟିଆ : ବଜ୍ରକାପ୍ତା ଚୋରାଚାଲାଣରେ ବିଦେଶ ଲିଙ୍କ୍‌ ଥିବା ଆଉ ୨ଜଣଙ୍କୁ ବନବିଭାଗ ଗିରଫ କରିଛି। ସେମାନଙ୍କଠାରୁ ବଜ୍ରକାପ୍ତା ଚୋରାଚାଲାଣରେ ବ୍ୟବହୃତ ଏକ ଅଟୋକୁ ମଧ୍ୟ ଜବତ କରାଯାଇଛି। ରିମାଣ୍ଡରେ ଆସିଥିବା ଚୋରାଚାଲାଣର ମାଷ୍ଟରମାଇଣ୍ଡ କଟକ ବକ୍ସିବଜାରର ମହମ୍ମଦ ଅଲ୍ଲୀକୁ ଜେରାବେଳେ ବନବିଭାଗ ଅନେକ ତଥ୍ୟ ପାଇଥିଲା। ଏହାକୁ ଭିତ୍ତିକରି ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା ଅଭିଯୁକ୍ତଙ୍କ ଫୋନ୍‌କୁ ଟ୍ରାକ୍‌ କରି ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ। ଗିରଫ ଭୟରେ ଅଭିଯୁକ୍ତମାନେ ମଧ୍ୟ ପ୍ରତିଦିନ ସ୍ଥାନ ପରିବର୍ତ୍ତନ କରୁଥିଲେ।

ମଙ୍ଗଳବାର ସନ୍ଧ୍ୟାରେ ଅଭିଯୁକ୍ତଙ୍କ ଫୋନକୁ ଟ୍ରାକ୍‌ କରି ବନଖଣ୍ଡ ଅଧିକାରୀ ସୁଶ୍ରୀ ଲେଙ୍କା ଛଦ୍ମବେଶରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଦୁଇ ବନରକ୍ଷୀ ଆଶିଷ ନାଏକ ଓ ରମାକାନ୍ତ ବଳବନ୍ତରାୟଙ୍କ ସହିତ ଜଗି ରହିଥିଲେ। ସେମାନଙ୍କର ଏହି ଯୋଜନା ସଫଳ ବି ହୋଇଥିଲା। ୟୁନିଟ-୬ ଅଞ୍ଚଳର ଅଟୋଚାଳକ ଦିଲୀପ ନାୟକ ପ୍ରଥମେ ଧରାପଡ଼ିଥିଲା। କିଛି ସମୟ ପରେ ଅନ୍ୟ ଅଭିଯୁକ୍ତ ନରାଜ ଅଞ୍ଚଳର ତୀର୍ଥବାସୀ ମାଝି ଧରାପଡ଼ିଥିଲା। ଦିଲୀପ ନିଜ ଅଟୋରେ ବଜ୍ରକାପ୍ତା ନେଇ ଗନ୍ତବ୍ୟସ୍ଥଳରେ ପହଞ୍ଚାଉଥିଲା ଏବଂ ତୀର୍ଥବାସୀ ଅଲ୍ଲୀର ଅନ୍ୟତମ ସହଯୋଗୀ ଥିଲା। ଆଜିର ଗିରଫକୁ ମିଶାଇ ମୋଟ ଗିରଫ ସଂଖ୍ୟା ୨୨ରେ ପହଞ୍ଚିଛି।
..

Comments are closed.