ବାଜପେୟୀଙ୍କ ଅନ୍ତ୍ୟେଷ୍ଟିରେ ହେଡ୍‍ଲିର ଭାଇ

0

ନୂଆଦିଲ୍ଲୀ : ଅଟଳ ବିହାରୀ ବାଜପେୟୀଙ୍କ ଅନ୍ତ୍ୟେଷ୍ଟିରେ ୨୬/୧୧ ମୁମ୍ବଇ ଆକ୍ରମଣରେ ଅଭିଯୁକ୍ତ ପାକିସ୍ତାନୀ-ଆମେରିକୀୟ ଆତଙ୍କବାଦୀ ଡେଭିଡ କୋଲ୍‍ମାନ୍‍ ହେଡ୍‍ଲିର ସାବତ ଭାଇ ଡାନ୍ୟାଲ ଗିଲାନିଙ୍କ ଉପସ୍ଥିତି ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗିଳାନି କେବଳ ଅନ୍ତ୍ୟେଷ୍ଟିରେ ଯୋଗ ଦେଇ ନଥିଲେ; ବରଂ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହିତ ଏକ ବୈଠକରେ ମଧ୍ୟ ଉପସ୍ଥିତ ଥିଲେ। ସେ କିଭଳି ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ ସେ ନେଇ ଏବେ ଆଲୋଚନା ଚାଲିଛି।
ଗିଲାନି ସମ୍ପ୍ରତି ପାକିସ୍ତାନ ସରକାରରେ ଜଣେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟରତ। ବାଜପେୟୀଙ୍କ ଅନ୍ତ୍ୟେଷ୍ଟିରେ ସେ ଯୋଗଦେବା ଜଣାପଡ଼ି ନ ଥାନ୍ତା; ଯଦି ସେ ନିଜ ଟ୍ୱିଟରରେ ଏ ସମ୍ପର୍କରେ ସୂଚନା ଦେଇ ନଥାନ୍ତେ। ତେବେ ଭାରତୀୟ ଗୁଇନ୍ଦା ବିଭାଗ ଅଧିକାରୀଙ୍କ କହିବାନୁସାରେ ବାଜପେୟୀଙ୍କ ଶେଷକୃତ୍ୟରେ ଯୋଗଦେବା ପାଇଁ କିଛି ପାକିସ୍ତାନୀ ଅଧିକାରୀଙ୍କୁ ବନ୍ଧୁତ୍ୱ ଭିସା ପ୍ରଦାନ କରାଯାଇଥିଲା ଓ ସେହି ଆଧାରରେ ଗିଲାନି ଆସିଥିଲେ। ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ମଧ୍ୟ ଯୋଗ ଦେଇଥିଲେ; କିନ୍ତୁ ତାଙ୍କର ବାସ୍ତବ ପରିଚୟ କେହି ଜାଣିପାରି ନଥିଲେ। ସୂଚନାନୁଯାୟୀ, ବାଜପେୟୀଙ୍କ ଶେଷକୃତ୍ୟରେ ଯୋଗଦେବା ପାଇଁ ସୌଜନ୍ୟ ଦୃଷ୍ଟିରୁ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଏହାର କିଛି ଅଧିକାରୀଙ୍କ ନାମ ସୁପାରିଶ କରିଥିଲା। ବାଜପେୟୀଙ୍କ ମୃତ୍ୟୁ ଓ ପରଦିନ ତାଙ୍କର ଶେଷକୃତ୍ୟ ମଧ୍ୟରେ ସମୟର ସ୍ୱଳ୍ପତା କାରଣରୁ ଭାରତୀୟ କର୍ତ୍ତୃପକ୍ଷ ସମ୍ପୃକ୍ତ ଅଧିକାରୀଙ୍କୁ ଭିସା ପ୍ରଦାନ କରିଥିଲେ। ଅପରପକ୍ଷରେ ଗିଲାନିଙ୍କ ବିରୋଧରେ ଭାରତ ପାଖରେ କୌଣସି ଆପତ୍ତିଜନକ ତଥ୍ୟ ନଥିବା ଓ ସାବତ ଭାଇ ହେଡଲି ସହିତ ତାଙ୍କର ବିଶେଷ ସମ୍ପର୍କ ନଥିବା ବିଷୟକୁ ବିଚାର କରି ଭାରତ ତାଙ୍କର ଗସ୍ତକୁ ବିରୋଧ କରି ନଥିଲା। ତେବେ ସେ ଭାରତ ଆସି ବିନା କୌଣସି ଚର୍ଚ୍ଚାରେ ଫେରିଯିବା ହିଁ ଏବେ ବିତର୍କର ପ୍ରସଙ୍ଗ ହୋଇଛି। ଅପରପକ୍ଷରେ ପାକିସ୍ତାନ କେଉଁ ପରିସ୍ଥିତିରେ ବାରମ୍ବାର ତାଙ୍କରି ନାମ ହିଁ ଭାରତ ଗସ୍ତ ପାଇଁ ସୁପାରିଶ କରୁଛି ତାହାକୁ ନେଇ ସ୍ୱାଭାବିକ ପ୍ରଶ୍ନ ଉଠିଛି। ଗିଲାନି ବହୁ ଆନ୍ତର୍ଜାତିକ ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗ ଉପରେ ପାକିସ୍ତାନ ସମର୍ଥନରେ ଯୁକ୍ତି ଉପସ୍ଥାପନ କରୁଛନ୍ତି। ଏମିତି କି ଆତଙ୍କବାଦୀଙ୍କୁ ପାକିସ୍ତାନ ସେନା ପ୍ରୋତ୍ସାହନ ଦେଉଥିବା ଘଟଣାକୁ ମଧ୍ୟ ସେ ବାରମ୍ବାର ମସର୍ଥନ କରୁଛନ୍ତି। ସେ ଦୃଷ୍ଟିରୁ ଗିଲାନିଙ୍କ ଚୁପ୍‍ଚାପ୍‍ ଗସ୍ତ ଭ୍ରୁକୁଞ୍ଚନ ସୃଷ୍ଟି କରୁଛି।

Leave A Reply