ବାଜପେୟୀଙ୍କର ଅବଢ଼ା ପ୍ରିୟ ଥିଲା

0

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ଜନନାୟକ ଭାରତରତ୍ନ ଅଟଳବିହାରୀ ବାଜପେୟୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଜଣେ ପରମ ଭକ୍ତ ଥିଲେ। ସେ ମହାପ୍ରସାଦ ସେବା କରିବାକୁ ବହୁତ ଭଲପାଉଥିଲେ। ଅତି ନିକଟରେ ବାଜପେୟୀଙ୍କ ସହ ମିଳାମିଶା କରିବା ଓ ଏକତ୍ର ଭୋଜନ କରିବାର ଜୀବନରେ ମତେ ଏକ ସୌଭାଗ୍ୟ ମିଳିଥିଲା। ସ୍ୱର୍ଗତ ବାମଦେବ ମିଶ୍ର ସ୍ୱାଧୀନ ପ୍ରାର୍ଥୀଭାବେ ନଗରପାଳ ବିଜୟୀ ହୋଇ ବିଜେପୀରେ ଯୋଗଦେଇଥାନ୍ତି ସେତେବେଳେ ପୁରୀରେ ବିଜେପିର ସଭ୍ୟସଂଖ୍ୟା ଅତି ନଗନ୍ୟ ଥିଲା। ଅଟଳଜୀ ସେ ସମୟରେ ପୁରୀ ଆସି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ।
ସର୍କିଟ ହାଉସ୍‍ ଠାରେ ରହୁଥିବା ବେଳେ ବାମଦେବ ବାବୁ ତାଙ୍କୁ ସାକ୍ଷାତ ଆଲୋଚନା କରିବା ସମୟରେ ସେ ତାଙ୍କ ଘରେ ରାତ୍ରି ଭୋଜନ କରିବେ ବୋଲି କହିବାସହ ମହାପ୍ରସାଦ ଖାଇବେ ବୋଲି କହିଥିଲେ। ବାଜପେୟୀ ଆସିବାର ଥିବାରୁ ବାମଦେବ ବାବୁଙ୍କ ସମସ୍ତ ଜୁନିୟର ଓକିଲ ସମେତ ଆଡ଼ଭୋକେଟ୍‍ ନରେନ୍ଦ୍ର ମହାନ୍ତି ଓ ମୁଁ ସମସ୍ତେ ଉତ୍କଣ୍ଠିତ ହୋଇପଡ଼ିଥିଲୁ। କିଛି ସମୟପରେ ସଂନ୍ଧ୍ୟାରେ ଧୋତି ପଞ୍ଜାବୀ ପରିହିତ ଅତିସାଧାସିଧା ପୋଷାକରେ ଅଟଳଜୀ ଆସି ବାମଦେବ ବାବୁଙ୍କ ଘରେ ପହଞ୍ଚି ଯାଇଥିଲେ ଓ ତାଙ୍କ ଦାଣ୍ଡ ଘରେ ତଳେବସି ଅଟଳଜୀ କଦଳୀ ପତ୍ରରେ ଅବଢ଼ା ଖାଇଥିଲେ। ତାଙ୍କର ପାଖରେ ବସିି ଖାଇବାର ସୌଭାଗ୍ୟ ମୋତେ ମିଳିଥିଲା। ଖାଉଥିବା ବେଳେ ସେ ମହାପ୍ରସାଦର ସ୍ୱାଦକୁ ବହୁତ ପ୍ରଶଂସା କରୁଥିଲେ। ଏହାଡ଼ଛଡ଼ା ସେ ମଝିରେ ମଝିରେ କୌତିକିଆ କଥା ସବୁକହି ସମସ୍ତଙ୍କୁ ହସାଉଥିଲେ। ସେଦିନର କଥା ଆଜିବି ଅବିସ୍ମରଣୀୟ ହୋଇ ରହିଯାଇଛି।

Leave A Reply