ବାଜପେୟୀଙ୍କ ଅବସ୍ଥା ସଙ୍କଟାପନ୍ନ

0

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅଟଳ ବିହାରୀ ବାଜପେୟୀଙ୍କ ଅବସ୍ଥାରେ ଅବନତି ଦେଖାଦେଇଛି। ତାଙ୍କୁ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଜୀବନ ରକ୍ଷାକାରୀ ପ୍ରକ୍ରିୟାରେ ରଖାଯାଇଛି। ଏମ୍ସ ଆଗରେ ଆଜି ସକାଳୁ ସମର୍ଥକମ।ନଙ୍କର ଭିଡ଼ ଲାଗି ରହିଥିବା ବେଳେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଦେଶବ୍ୟାପୀ ପୂଜାର୍ଚ୍ଚନା ଆରମ୍ଭ ହୋଇଛି।
ଶ୍ରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ପାଇଁ ଗତ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ସ ଯାଇଥିବା ବେଳେ ତାଙ୍କ ଆଜି ଉପରାଷ୍ଟ୍ରପତି ଏମ୍‍ ଭେଙ୍କୟାନାଇଡ଼ୁ, ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯାଇ ଥିବା ଖବର ମିଳିଛି। ୯୩ ବର୍ଷ ବୟସ୍କ ବାଜପେୟୀ ଗତ ୯ ସପ୍ତାହ ଧରି ଏମ୍ସରେ ଚିକିତ୍ସିତ ହୋଇ ଆସୁଛନ୍ତି। ଛାତିରେ ଯନ୍ତ୍ରଣା ଓ କିଡ୍‍ନୀଜନିତ ସମସ୍ୟା ଯୋଗୁଁ ତାଙ୍କୁ ଗତ ଜୁନ୍‍ ୧୧ ତାରିଖରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏମ୍ସ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଗତ ବୁଧବାର ସନ୍ଧ୍ୟାରୁ ଶ୍ରୀ ବାଜପେୟୀଙ୍କ ଅବସ୍ଥା ହଠାତ୍‍ ବିଗିଡ଼ି ଯାଇଥିବା ବେଳେ ସମୟ ଅତିବାହିତ ହେବା ସହିତ ଆହୁରି ସଙ୍କଟାପନ୍ନ ହେବାରେ ଲାଗିଛି। ଏମ୍ସ ନିର୍ଦେଶକ ଡ ରଣଦୀପ ଗୁଲେରିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଡାକ୍ତରୀ ଦଳ ଶ୍ରୀ ବାଜପେୟୀଙ୍କ ଚିକିତ୍ସା କରୁଛନ୍ତି।
୧୯୨୪ ମସିହାରେ ଜନ୍ମିତ ଅଟଳ ବିହାରୀ ବାଜପେୟୀ ୧୯୯୬ ରୁ ୧୯୯୯ ମଧ୍ୟରେ ତିନି ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେହିପରି ୧୯୯୯ ରୁ ୨୦୦୪ ମଧ୍ୟରେ ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ୫ ବର୍ଷର ଶାସନକାଳ ସମ୍ପୂର୍ଣ୍ଣ କରିଥିଲେ।

Leave A Reply