ରାଜସ୍ଥାନ ପାଠ୍ୟପୁସ୍ତକରେ ସ୍ଥାନ ପାଇବେ ବାଜପେୟୀ

0

ଜୟପୁର : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କ ଜୀବନକାଳ ମଧ୍ୟରେ ଯେଉଁ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ତାହାକୁ ରାଜସ୍ଥାନ ପାଠ୍ୟପୁସ୍ତକରେ ଲିପିବଦ୍ଧ କରାଯିବ। ଆସନ୍ତା ଶିକ୍ଷାବର୍ଷଠାରୁ ଏହି ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ଶିକ୍ଷା ମନ୍ତ୍ରୀ ବାସୁଦେବ ଦେବନାନି ଗୁରୁବାର ପ୍ରକାଶ କରିଛନ୍ତି। ଏ ନେଇ ଆଜମେର୍‍ସ୍ଥିତ ରାଜସ୍ଥାନ ମାଧ୍ୟମିକ ଶିକ୍ଷା ବୋର୍ଡ ନିକଟକୁ ଦେବନାନୀ ଏକ ଚିଠି ଲେଖିଛନ୍ତି। ସେ କହିଛନ୍ତି, ବାଜପେୟୀଙ୍କ ନେତୃତ୍ୱାଧୀନ ସରକାର ସମୟରେ ଦେଶରେ ଆସିଥିବା ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଓ ତାହାର ଉପଲବ୍ଧି ସମ୍ବନ୍ଧରେ ଛାତ୍ରଛାତ୍ରୀମାନେ ଜ୍ଞାନଲାଭ କରିବା ଉଚିତ। କାର୍‍ଗିଲ ଯୁଦ୍ଧ ଓ ପୋଖରାନ ପରମାଣୁ ପରୀକ୍ଷା ବେଳେ ବାଜପେୟୀଙ୍କ ପ୍ରଭାବଶାଳୀ ନେତୃତ୍ୱ ଏବଂ ସର୍ବଶିକ୍ଷା ଯୋଜନା ତଥା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦ୍ୱାରା ସେ ଯେଭଳି ଦେଶକୁ ବିକାଶ ପଥରେ ଆଗେଇ ନେଇଥିଲେ ସେଥିରୁ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ। ଏ ନେଇ ଅଗଷ୍ଟ ୧୮ରେ ନିର୍ଦେଶନାମା ଜାରି କରାଯିବା ସହିତ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଏଥିସହ ରାଜ୍ୟର ସମସ୍ତ ପୁସ୍ତକାଳୟରେ ବାଜପେୟୀଙ୍କ ଜୀବନୀ ଉପଲବ୍ଧ କରାଇବାକୁ ନିର୍ଦେଶ ଦିଆଯାଇଛି।

Leave A Reply