ପିପିଲି ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍‍

ଅପ୍ରେଲ ୧୭ରେ ମତଦାନ, ମଇ ୨ରେ ଭୋଟଗଣତି

ପିପିଲି : ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଖାଲି ପଡିଥିବା ଏହି ବିଧାନସଭା ଆସନରେ ଆସନ୍ତା ଅପ୍ରେଲ ୧୭ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏସଂପର୍କରେ ଭାରତୀୟ ନିର୍ବାଚନ କମିଶନ ଆଜି ତାରିଖ ଘୋଷଣା କରିଛନ୍ତି । ଏହି ଉପନିର୍ବାଚନ ପାଇଁ ଆସନ୍ତା ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଚଳିତମାସ ୩୦ ତାରିଖ ଓ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅପ୍ରେଲ ୩ ତାରିଖ ଧାର୍ଯ୍ୟ କରାଯାଇଛି । ଅପ୍ରେଲ ୧୭ ତାରିଖ ଶନିବାର ଦିନ ମତଦାନ ଓ ମଇ ୨ ତାରିଖରେ ଭୋଟ୍‍ ଗଣତି କରାଯିବ । ସଂପୂର୍ଣ୍ଣ କୋଭିଡ୍‍ ଗାଇଡ୍‍ଲାଇନ ଅନୁଯାଇ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ ।

ନିର୍ବାଚନ ତାରିଖ ଘୋଷଣା ହେବା ପରେ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ପିପିଲି ଏନ୍‍ଏସି, ପିପିଲି ବ୍ଲକ ଓ ଡେଲାଙ୍ଗ ବ୍ଲକ୍‍କୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀରେ ମୋଟ୍‍ ୨୭୩ଟି ବୁଥ୍‍ ରହିଥିବା ବେଳେ କୋଭିଡ୍‍ ପାଇଁ ଅଧିକ ୭୫ଟି ଅତିରିକ୍ତ ବୁଥ୍‍ କରାଯାଇଛି । ପିପିଲି ବ୍ଲକ ଓ ଏନ୍‍ଏସିରେ ୧୫୪ଟି ବୁଥ୍‍ ରହିଥିବା ବେଳେ ଅଧିକ ୪୫ଟି ଅତିରିକ୍ତ ବୁଥ୍‍ କରାଯାଇଛି । ସେହିପରି ଡେଲାଙ୍ଗ ବ୍ଲକରେ ୧୧୯ଟି ବୁଥ୍‍ ରହିଥିବା ବେଳେ ଅଧିକ ୩୦ଟି ଅତିରିକ୍ତ ବୁଥ୍‍ କରାଯାଇଛି ।  ଏହି ଉପନିର୍ବାଚନରେ ୧ଲକ୍ଷ ୧୯ହଜାର ୨୦ଜଣ ପୁରୁଷ ଭୋଟର, ୧ଲକ୍ଷ ୧୦ହଜାର ୫୬୧ଜଣ ମହିଳା ଭୋଟର ଓ ୨ଜଣ ଟି.ଜି ଭୋଟରଙ୍କୁ ମିଶାଇ ସର୍ବମୋଟ୍‍ ୨ଲକ୍ଷ ୨୯ହଜାର ୫୮୩ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ ।

ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଭିନ୍ନ ରାଜନୈତିକ ଦଳ ଖୁବ୍‍ ଶୀଘ୍ର ସେମାନଙ୍କ ପ୍ରାର୍ଥୀ ଘୋଷଣା କରିବେ । ତେବେ ବିଜେଡି କାହାକୁ ଏଠାରେ ପ୍ରାର୍ଥୀ କରିବ ତାହା ଉପରେ ଏବେ ସମସ୍ତଙ୍କ ନଜର । ସ୍ୱର୍ଗତ ମହାରଥୀଙ୍କ ପରିବାରରୁ ହିଁ ଜଣକୁ ଦଳୀୟ ଟିକେଟ୍‍ ମିଳିବା ନିଶ୍ଚିତ ହୋଇଥିବା ବେଳେ ଖୁବ୍‍ ଶିଘ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ଘୋଷଣା କରିବେ ବୋଲି ଜିଲାର ଜଣେ ବରିଷ୍ଠ ବିଜେଡି ନେତା ସୂଚନା ଦେଇଛନ୍ତି । ତାଙ୍କ ଅଧ୍ୟାପିକା ପତ୍ନୀ ଡ଼ଃ ପ୍ରତିଭା ମହାରଥୀ ଓ ସୁପୁତ୍ର ରୁଦ୍ରପ୍ରତାପଙ୍କ ମଧ୍ୟରୁ ରୁଦ୍ରଙ୍କୁ ଦଳୀୟ ପ୍ରାର୍ଥୀ କରାଯିବାର ସମ୍ଭାବନା ଅଧିକ ଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି । ସେହିପରି ଗତ ୨୦୧୯ ସାଧାରଣ ନିର୍ବାଚନରେ ଏଠାରେ ବିଜେପି ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ ପରିବର୍ତ୍ତନର ନାରା ଦେଇ ୭୨,୭୩୧ ଭୋଟ ପାଇଥିବା ବେଳେ ମହାରଥୀଙ୍କ ଠାରୁ ୧୫୭୮୭ ଖଣ୍ଡ ଭୋଟ୍‍ ବ୍ୟବଧାନରେ ପରାଜିତ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏହି ଉପନିର୍ବାଚନରେ  ବିଜେପି ଦଳରୁ ଆଶ୍ରୀତ ପଟ୍ଟନାୟକ ପ୍ରାର୍ଥୀ ହେବା ଏକ ପ୍ରକାର ସୁନିଶ୍ଚିତ ହୋଇଥିବା ବେଳେ କଂଗ୍ରେସ ଦଳରୁ ଅଜିତ ମଙ୍ଗରାଜ ଓ ନିଶିକାନ୍ତ ମିଶ୍ରଙ୍କ ପ୍ରାର୍ଥିତ୍ୱକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।

ଏଠାରେ ସୂଚନା ଥାଉକି,  ବିଜେଡିର ଟାଣୁଆ ନେତା ତଥା ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କର ଗତ ଅକ୍ଟୋବର ୪ ତାରିଖରେ ପରଲୋକ ଘଟିଥିଲା । ଏହି ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୯୮୫, ୧୯୯୦  ଓ ୨୦୦୦ ମସିହାରୁ ୨୦୧୯ ପର୍ଯ୍ୟନ୍ତ ଲଗାତର ଭାବେ ବିଜୟୀ ହୋଇ ନିଜକୁ ଜଣେ ଅପ୍ରତିଦ୍ୱନ୍ଦି ନେତା ଭାବେ ପ୍ରମାଣିତ କରିଥିଲେ ପ୍ରଦୀପ ମହାରଥୀ । ମହାରଥୀଙ୍କ ଦୁର୍ଗ କୁହାଯାଉଥିବା ଏହି ନିର୍ବାଚନମଣ୍ଡଳୀରେ ବିଜେଡି ସୁପ୍ରିମୋ କାହାକୁ ଦଳୀୟ ପ୍ରାର୍ଥୀ କରିବେ ତାହାକୁ ରାଜ୍ୟବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ତେବେ ପିପିଲି ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହେବା ପରେ ଏଠାକାର ରାଜନୈତିକ ବାତାବରଣ ଉଷ୍ମ ହୋଇଛି । ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ଏହି ନିର୍ବାଚନମଣ୍ଡଳୀର ଉପନିର୍ବାଚନ ବେଳେ ପ୍ରତ୍ୟହ ହାଇଭୋଲ୍‍ଟେଜ୍‍ ପ୍ରଚାର ହେବ ଓ ପ୍ରତ୍ୟେକ ଦିନ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତାଙ୍କ ଭିଡ ଏଠାରେ ବେଶ୍‍ ଜମିବ ।

Comments are closed.