ସହିଦ ବାଜି ରାଉତଙ୍କ ଉପରେ ପ୍ରାମାଣିକ ଚଳଚ୍ଚିତ୍ର ବିଦ୍ୟାଳୟରେ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

0

ଭୁବନେଶ୍ୱର : ସହିଦ ବାଜି ରାଉତଙ୍କ ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର ‘ବାଜି ଦି ଇମୋର୍ଟାଲ ବୋଟ ବୟ’ଗୁରୁବାର ସଚିବାଳୟରେ ପ୍ରଦର୍ଶିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ୨୫ ମିନିଟର ଏହି ପ୍ରାମାଣିକ ଚଳଚ୍ଚିତ୍ରରେ ସହିଦ ବାଜି ରାଉତଙ୍କ ସାହସ ଓ ଦେଶଭକ୍ତିର ସଫଳ ଉପସ୍ଥାପନା କରାଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱାଧୀନତା ସଂଗ୍ରାମର ମୂଲ୍ୟବୋଧରେ ବିକାଶ ନିମନ୍ତେ ଏହି ଚଳଚ୍ଚିତ୍ରକୁ ବିଦ୍ୟାଳୟରେ ପ୍ରଦର୍ଶନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଏହି ପ୍ରାମାଣିକ ଚଳଚ୍ଚିତ୍ରର ପ୍ରଯୋଜକ ସତ୍ୟବ୍ରତ ରଥ ଓ ନିର୍ଦେଶକ ଚିନ୍ମୟ ଦାସଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ବାଜି ରାଉତ ପ୍ରଜାମଣ୍ଡଳ ଆନ୍ଦୋଳନରେ ସାମିଲ ହୋଇ ୧୯୩୮ ମସିହା ଅକ୍ଟୋବର ୧୧ ତାରିଖରେ ବ୍ରିଟିଶ ପୁଲିସର ଗୁଳିମାଡ଼ରେ ମାତ୍ର ୧୨ବର୍ଷ ବୟସରେ ସହିଦ ହୋଇଥିଲେ। ଆଜି ତାଙ୍କର ସହିଦ ଦିବସ ପାଳନ ଅବସରରେ ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି।

Leave A Reply