ବୈତରଣୀକୁ ଧସିଲା ପଥରବନ୍ଧ, ବିଛିନ୍ନ ହେବ ଆଖଣ୍ଡଳମଣି-ଯାଜପୁର ମୁଖ୍ୟରାସ୍ତା!

- ଘଟଣା ଲୁଚାଇବାକୁ ଯାଇ ଠିକାଦାର ଘୋଡାଇଲା ପାଲ

ଆରଡି: ଲଘୁଚାପ ଜନିତ ଲଗାଣବର୍ଷାରେ ଭଦ୍ରକ ଜିଲା ଆରଡି ନିକଟସ୍ଥ ବୋଡକ ନିକଟରେ ବୈତରଣୀ ନଦୀ ମଧ୍ୟକୁ ଧସିଗଲା ୨୦ନଂ ଜାତୀୟ ରାଜପଥର ପଥର ବନ୍ଧ। ଏପରି ଘଟଣା ଲୁଚାଇବାକୁ ଯାଇ କାର୍ଯ୍ୟରତ ଠିକାଦାର ପାଲ ଘୋଡାଇବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଏହି ଜାତୀୟ ରାଜପଥ ଆଖଣ୍ଡଳମଣି ଓ ଯାଜପୁର ଜିଲା ମା ବିରଜା କ୍ଷେତ୍ରକୁ ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଭକ୍ତ ଯାତାୟତ କରିବା ସହିତ ସ୍ଥାନୀୟ ଲୋକମାନେ କଟକ, ପୁରୀ, ଭୂବନେଶ୍ୱର ଆଦି ଅଞ୍ଚଳକୁ ବିଭିନ୍ନ ଗାଡି ମଟରରେ ଯାତାୟତ କରିଥାନ୍ତି। ହେଲେ ଦୀର୍ଘଦିନ ହେବ ଏହି ଜାତୀୟ ରାଜପଥର କୟାଁଗୋଲା ସେତୁ ନିକଟରେ ମାଟି ଅତଡା ଖସିବାରୁ ଏହି ରସ୍ତାର ସ୍ଥାୟୀ ମରାମତି ପାଇଁ ପାଣିକୋଇଲି ଜାତୀୟ ରାଜପଥ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳ କରାଯାଇ ପଥର ପ୍ୟାକିଂ କରାଯାଇଥିଲା। ହେଲେ ନିମ୍ନମାନର କାର୍ଯ୍ୟ ଯୋଗୁ ଗତ ୨ଦିନ ହେବ ଲଘୁଚାପ ଜନିତ ଲଗାଣ ବର୍ଷାରେ ଫାଟ ସୃଷ୍ଟି ହେବା ସହିତ ଗୁରୁବାର ଭୋର ସମୟରେ ପ୍ରାୟ ୨ଶହ ଫୁଟର ପଥରବନ୍ଧ ବୈତରଣୀ ନଦୀ ମଧ୍ୟକୁ ଧସିଯାଇଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେବା ସହିତ ଜାତୀୟ ରାଜପଥ ବିଛିନ୍ନ ହେବା ଆଶଙ୍କା ଦେଖା ଦେଇଛି। ଘଟଣା ସର୍ମ୍ପକରେ ପାଣିକୋଇଲି କନିଷ୍ଠଯନ୍ତ୍ରୀ ଶୁଭସ୍ମିତାଙ୍କୁ ପଚାରିବାରୁ ଉକ୍ତ ପଥରବନ୍ଧ କାର୍ଯ୍ୟ ଜାରି ରହିଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏପରି ଧସିଥିବା ପ୍ରକାଶ କରିଛନ୍ତି।

Comments are closed.