ଗାଈ ଜଗାଳିରୁ ଗଣକବି

0

ଗୀତିନାଟ୍ୟ ଜଗତରେ ବୈଷ୍ଣବ ପାଣି ମଉଡ଼ମଣି ଥିଲେ। ୧୮୮୨ ମସିହାରେ କୁମାର ପୂର୍ଣ୍ଣିମାରେ କଟକ ଜିଲାସ୍ଥ ମାହାଙ୍ଗା ଥାନାର କୋଠପଦା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ନାମ ସୁଦର୍ଶନ ପାଣି ଓ ମାତାଙ୍କ ନାମ ଚାନ୍ଦଦେବୀ। ତାଙ୍କ ପିଲାଦିନର ନାମ ଥିଲା ଶତ୍ରୁଘ୍ନ; ମାତ୍ର ଏକ ସାଙ୍ଘାତିକ ରୋଗରେ ସେ ପୀଡ଼ିତ ହୋଇଥିଲେ। ବାପା ମା’ ପୁଅର ବଞ୍ଚିବାର ଆଶା ନ ଦେଖି ବାବାଜି-ବୈଷ୍ଣବ କରି ଦେଇଥିଲେ। ସେହିଦିନଠାରୁ ସେ ଶତ୍ରୁଘ୍ନରୁ ବୈଷ୍ଣବ ହୋଇଗଲେ।
ବୈଷ୍ଣବ ଅତି ଦରିଦ୍ର ବ୍ରାହ୍ମଣକୁଳରେ ଜନ୍ମ ନେଇଥିବାରୁ ଖାଇପିଇ ରହିବା ପାଇଁ ବାପା କୋଠପଦା ମଠରେ ରଖାଇଥିଲେ। ବୈଷ୍ଣବ ମଠରେ ଫୁଲ ତୋଳିବା, ମାଳା ଗୁନ୍ଥିବା କାମରେ ନିଯୁକ୍ତ ହୋଇଥିଲେ। ପରେ ମଧ୍ୟ ମଠର ଗାଈ ଜଗିବା କାମ କରିଥିଲେ ଏବଂ ମଠ ମହନ୍ତଙ୍କ ଯାତ୍ରା ଦଳରେ ଗୋଟିପୁଅ ନାଚ କଲେ। ପରେ ପାଖ ମାଇନର ସ୍କୁଲର ଛାତ୍ରାବାସରେ ରୋଷେଇଆ ଭାବେ ଚାକିରି କରିଥିଲେ। ସେଇଠି ନିଜ ଉଦ୍ୟମରେ ପଢ଼ିବା ପାଇଁ ଚେଷ୍ଟା ଚଳାଇଲେ। ସ୍କୁଲ ପାଠାଗାରରୁ ପୁରାଣଶାସ୍ତ୍ର ପଢ଼ି ଜ୍ଞାନ ଅର୍ଜନ କଲେ। ଏହି ଆଗ୍ରହ ଦେଖି ପ୍ରଧାନ ଶିକ୍ଷକ ସେହି ସ୍କୁଲରେ ଚତୁର୍ଥ ଶ୍ରେଣୀରେ ବୈଷ୍ଣବଙ୍କ ନାମ ଲେଖାଇଥିଲେ।
ଦିନକର ଘଟଣା। ଛାତ୍ରାବାସରେ ଜଣେ ଟାଙ୍ଗିର ଛାତ୍ର କଟକୀ ଶୁଖିଲା ଲଙ୍କାକୁ ପୋଡ଼ି ପଖାଳ ଖାଇଥିଲା। ଏହି କଥାକୁ ବୈଷ୍ଣବ ସ୍କୁଲର ଶିକ୍ଷକ(ବାଙ୍କି ପଣ୍ଡିତ ମହାଶୟ)ଙ୍କୁ କହିବାରୁ ପଣ୍ଡିତ ମହାଶୟ ସେହି ଛାତ୍ରକୁ ଛତରା ବଜାରୀ କହି ଗାଳି କରିଥିଲେ। ଏଥିରେ ବୈଷ୍ଣବ ଗଣଭାଷାରେ ଲେଖିଥିଲେ –
“ଲଙ୍କାମରିଚ ପୋଡ଼ିକି ଦିଆଶିଲାଇ ଚୋରି,
(ଆମ) ବାଙ୍କିଆ ପଣ୍ଡିତ କହିଲେ ଟାଙ୍ଗିଆ ବଜାରୀ।”
ସ୍କୁଲ ପଣ୍ଡିତଙ୍କୁ ଏହା ଅପମାନବୋଧ ହେବାରୁ ବୈଷ୍ଣବ ରୋଷେଇ କାମରୁ ବିତାଡ଼ିତ ହେଲେ ଏବଂ ତାଙ୍କ ପାଠପଢ଼ାରେ ଡୋରି ବନ୍ଧା ହେଲା। ତା ପରେ ସେ ହେଲେ ପାଲା ଗାୟକ। ବିନୋଦବିହାରୀ ଠାକୁରଙ୍କ ପାଖରେ ଅଧିଆ ପଡ଼ି ପ୍ରଥମ ଗୀତିନାଟ୍ୟ ‘ମେଘନାଦବଧ’ ରଚନା କରିଥିଲେ। ପରେ ପରେ ‘ରଙ୍ଗସଭା’, ‘ଧ୍ରୁବଚରିତ’, ‘ବ୍ରଜଲୀଳା’, ‘ରାବଣବଧ’, ‘ଦକ୍ଷଯଜ୍ଞ’, ‘କର୍ଣ୍ଣବଧ’ ଆଦି ଶତାଧିକ ଗୀତିନାଟ୍ୟ, ସୁଆଙ୍ଗ, ଭଜନ, ଜଣାଣ ଲେଖି ଗଣ ହୃଦକୁ ଜୟକରି ‘ଗଣିକବି’ ଭାବେ ପରିଚିତ ହୋଇଛନ୍ତି। ୧୯୫୬ ବୈଶାଖ ଅମାବାସ୍ୟା ଦିନ ସେ ପରଲୋକ ଗମନ କରିଥିଲେ। ତାଙ୍କର ଗୋଟିଏ ଧାଡ଼ି ସମସ୍ତଙ୍କ ପାଇଁ ପ୍ରାସଙ୍ଗିକ:
“ଯାହା କରିଗଲେ ଭାବିବ ଦୁନିଆ ତାହା ଯାଉଥା’ରେ କରି,
ମରିଯିବୁ ଯେବେ କାନ୍ଦିବେ ସରବେ ନୟନୁ ବୁହାଇ ବାରି।”

Leave A Reply