କ୍ଷତିରେ କୋରାପୁଟ ପଣସ ଚାଷୀ

ବୈପାରିଗୁଡା: କୋରାପୁଟ ଜିଲାରେ ବିଭିନ୍ନ ପ୍ରକାର ପଣସ ଆବଶ୍ୟକ ଭିତ୍ତିଭୂମିର ଅଭାବରୁ ବାହାର ରାଜ୍ୟକୁ ଚାଲାଣ ହେଉଛି। ପଣସ ଗଛ ଥିବା ଆଦିବାସୀ ସ୍ୱଳ୍ପ ମୂଲ୍ୟରେ ଏହାକୁ ବିକ୍ରି କରି ଦେଉଥିବା ବେଳେ ବେପାରୀ ଏହାକୁ ବାହାର ରାଜ୍ୟକୁ ଚାଲାଣ କରି ଅଜସ୍ର ଟଙ୍କା ରୋଜଗାର କରୁଛନ୍ତି। କୋରାପୁଟର ଆଦିବାସୀ ଗ୍ରାମରେ ପ୍ରାୟ ପ୍ରତ୍ୟେକ ପରିବାରରେ ପଣସ ଗଛଟିଏ ଥିବାର ଦେଖିବାକୁ ମିଳେ। ବର୍ଷକେ ଥରେ ଅମଳ ହେଉଥିବା ଏହି ପଣସ ଗୋଟିଏ ଗଛରୁ ବହୁ ପରିମାଣରେ ମିଳିଥାଏ। ଭୁବନେଶ୍ୱରର ୧ ନମ୍ବର ହାଟରେ ଏହି ପଣସ କଟା ଯିବା ପରେ କି.ଗ୍ରା ପିଛା ଶହେ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆମ ବଜାରରେ ଏହା ଗୋଟାକୁ ୧୦ ଟଙ୍କା ହିସାବରେ ବିକ୍ରି ହୋଇଥାଏ। ଯାହାକୁ ଓଜନ କଲେ କିଲୋଗ୍ରାମ ପିଛା ୨ରୁ ୩ ଟଙ୍କାରୁ ଅଧିକ ହୋଇ ନ ଥାଏ। ଏହାକୁ ସାଇତି ରଖିବା ପାଇଁ ଶୀତଳ ଭଣ୍ଡାର ନ ଥିବାରୁ ଏହାର ସୁଯୋଗ ମଧ୍ୟ ଚାଷୀ ପାଇପାରି ନ ଥାନ୍ତି। କଷି ପଣସରୁ ଭଲ ଆଚାର ପ୍ରସ୍ତୁତ ହେବା ସହ ଏହାର ଚାହିଦା ମଧ୍ୟ ବଜାରରେ ଢେର୍‍ ବେଶି।

ଲୋକଙ୍କ ପାଖରେ ଏହି ଆଚାର ପ୍ରସ୍ତୁତିର ଜ୍ଞାନ କୌଶଳ ନ ଥିବାରୁ ବହୁତ କମ୍‍ ଦରରେ ଚାଷୀ ବିକ୍ରି କରିବାକୁ ବାଧ୍ୟ ହୋଇଥାନ୍ତି। ଏହାର ଫାଇଦା ଉଠାଇଥାନ୍ତି ବେପାରି। ଟ୍ରକ ପଣସକୁ ଆମର ପଡୋଶୀ ରାଜ୍ୟ ଛତିଶଗଡକୁ ଚାଲାଣ କରି ସେମାନେ ଭଲ ରୋଜଗାର କରିଥାନ୍ତି। ଗୋଟିଏ ପଣସକୁ ୧୦ ଟଙ୍କା ହିସାବରେ କିଣି ଛତିଶଗଡର ରାୟପୁର ସହରରେ କିଲୋ ଗ୍ରାମ ପିଛା ୨୦ରୁ ୩୦ ଟଙ୍କା ଦରରେ ବିକ୍ରି କରିଥାନ୍ତି। ଗାଡି ଭଡା ଦେବା ପରେ ଗୋଟିଏ ଗାଡି ପଣସରୁ ବେଶ ଦି ପଇସା କମାଇବାରେ ସେ ସକ୍ଷମ ହୋଇଥାନ୍ତି। ବର୍ଷକରେ ୨ରୁ ୩ ମାସ ପରିଶ୍ରମ କରିଦେଲେ ଭଲ ରୋଜଗାର ମିଳିଯାଇଥାଏ ବେପାରୀଙ୍କୁ। ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ଅନେକ ବେପାରୀ ପଣସ ଗଛରେ ଫୁଲ ଧରିବା ସମୟରୁ ଗଛ ମୂଲ କରି କିଛି ଅଗ୍ରୀମ ଦେଇ ରଖିଥାନ୍ତି। ପଣସ ଆରମ୍ଭ ହେଲେ ସେମାନେ ସବୁତକ ପଣସ ନେଇ ଯାଇଥାନ୍ତି। ଆବଶ୍ୟକ ଶୀତଳ ଭଣ୍ଡାର ନିର୍ମାଣ ସହ ଗୋଦାମ ଘରର ବ୍ୟବସ୍ଥା କରିବା ସାଙ୍ଗକୁ କଞ୍ଚା ପଣସରୁୁ ଖାଦ୍ୟ ପ୍ରକ୍ରିୟା କରଣ ମାଧ୍ୟମରେ ଆଚାର ଭଳି ବିଭିନ୍ନ ଜିନିଷ ପ୍ରସ୍ତୁତ ପାଇଁ ଲୋକଙ୍କୁ ତାଲିମ ପ୍ରଦାନ କରିପାରିଲେ ଚାଷୀ ଉପକୃତ ହେବା ସହ ସେମାନଙ୍କର ଆର୍ଥିକ ଉନ୍ନତିରେ ଏହା ସହାୟକ ହୋଇ ପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Comments are closed.