ଶାନ୍ତନୁଙ୍କୁ ଜାମିନ; ନିକିତାଙ୍କ ରାୟ ଆଜି

ମୁମ୍ବଇ: ଟୁଲକିଟ୍ ମାମଲାରେ ଅଭିଯୁକ୍ତ ପୁଣେସ୍ଥିତ ଇଞ୍ଜିନିୟର ତଥା ସାମାଜିକ କର୍ମୀ ଶାନ୍ତନୁ ମୁଲୁକଙ୍କୁ ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ପୀଠ ସାମୟିକ ଜାମିନ ପ୍ରଦାନ କରିଛନ୍ତି। ଶାନ୍ତନୁଙ୍କୁ ୧୦ଦିନ ପାଇଁ ଜାମିନ ପ୍ରଦାନ କରାଯାଇଛି। ଏହି ଟୁଲକିଟ୍‌ ମାମଲାରେ ଅନ୍ୟତମ ଅଭିଯୁକ୍ତ ମୁମ୍ବଇସ୍ଥିତ ଓକିଲ ତଥା ସାମାଜିକ କର୍ମୀ ନିକିତା ଜ୍ୟାକବଙ୍କ ଆଗୁଆ ଜାମିନ ଆବେଦନ ଉପରେ ବମ୍ବେ ହାଇକୋର୍ଟ ଶୁଣାଣି କରି ରାୟ ସଂରକ୍ଷଣ ରଖିଛନ୍ତି। ବୁଧବାର ଏହି ରାୟ ପ୍ରକାଶ ପାଇବ। ଟୁଲକିଟ୍‌ ମାମଲାକୁ ନେଇ ଦିଲ୍ଲୀସ୍ଥିତ ଏକ ଅଦାଲତ ଶାନ୍ତନୁ ଓ ନିକିତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ଦିଲ୍ଲୀ ପୁଲିସର ଏତଲା ଆଧାରରେ କୋର୍ଟ ଗିରଫ ପରୱାନା ଜାରି କରିଛନ୍ତି।

ଏତଲାରେ ପୁଲିସ ଅଭିଯୋଗ କରିଛି ଯେ କୃଷକ ଆନ୍ଦୋଳନକୁ ଆଧାର କରି ଅଭିଯୁକ୍ତମାନେ ପରିବେଶ କର୍ମୀ ଦିଶା ରବିଙ୍କ ସହିତ ମିଶି ଟୁଲକିଟ୍ ପ୍ରସ୍ତୁତ (ସମ୍ପାଦନା) କରିଥିଲେ। ଏହି ଟୁଲକିଟ୍ ମାଧ୍ୟମରେ ଅଭିଯୁକ୍ତମାନେ ଦେଶର ଭାବମୂର୍ତ୍ତି କ୍ଷୁଣ୍ଣ କରିବାକୁ ଯୋଜନା କରିଥିଲେ। ଦିଶା ରବିଙ୍କୁ ପୁଲିସ ଗିରଫ କରିଥିବାବେଳେ ଏହି ଦୁଇଜଣଙ୍କୁ ଗିରଫ ପାଇଁ ଉଦ୍ୟମ ଚଳାଇଛି। ଦିଶା, ଶାନ୍ତନୁ ଓ ନିକିତାଙ୍କ ଦ୍ବାରା ସମ୍ପାଦିତ ଟୁଲକିଟ୍‌କୁ ସ୍ବିଡେନର ପରିବେଶବିତ୍ ଗ୍ରେଟା ଥନବର୍ଗଙ୍କ ନିକଟକୁ ପଠାଯାଇଥିଲା। ଯାହାକୁ ଗ୍ରେଟା ଫେବୃଆରୀ ୪ରେ ଟୁଇଟ୍‌ କରିଥିଲେ। ଖଲିସ୍ତାନ ସପକ୍ଷବାଦୀ ସଂଗଠନ ପୋଏଟିକ୍ ଜଷ୍ଟିସ ଫାଉଣ୍ଡେସନ (ପିଜେଏଫ୍‌) ପ୍ରରୋଚନାରେ ଏହି ଟୁଲକିଟ୍ ପ୍ରସ୍ତୁତ କରାଯାଇଥିବା ଦିଲ୍ଲୀ ପୁଲିସ କହିଛି। ତେଣୁ ଅଭିଯୁକ୍ତଙ୍କ ବିରୋଧରେ ଦେଶଦ୍ରୋହ ଓ ଅନ୍ୟାନ୍ୟ ଅଭିଯୋଗ ଆରୋପ କରାଯାଇଛି।

ଦିଶା ରବିଙ୍କୁ ଗିରଫ ପରେ ଟ୍ରାଞ୍ଜିଟ୍ ରିମାଣ୍ଡ ବିନା ଦିଲ୍ଲୀ ଆଣିବା ଓ ଦିଶାଙ୍କ ପସନ୍ଦର ଓକିଲ ନିଯୁକ୍ତି ନ ଦେବା ପାଇଁ ଦିଲ୍ଲୀ ମହିଳା କମିସନ ଦିଲ୍ଲୀ ପୁଲିସକୁ ନୋଟିସ ଜାରି କରିଛି। ନୋଟିସର ଜବାବ ଶୁକ୍ରବାର ସୁଦ୍ଧା ଦେବାକୁ କୁହାଯାଇଛି। ଅନ୍ୟପଟେ ଟୁଲ୍‌କିଟ୍‌ ପ୍ରସ୍ତୁତ ନିମନ୍ତେ ପିଜେଏଫ୍‌ ଦ୍ବାରା ଆୟୋଜିତ ଜୁମ୍ ବୈଠକରେ କେଉଁମାନେ ଯୋଗ ଦେଇଥିଲେ ସେମାନଙ୍କ ବାବଦରେ ପୁଲିସ ତଥ୍ୟ ଲୋଡିଛି। ଏଥିପାଇଁ ଦିଲ୍ଲୀ ପୁଲିସର ସାଇବର ସେଲ୍‌ ଜୁମ୍ ଆପ୍‌ର କର୍ତ୍ତୃପକ୍ଷଙ୍କ ନିକଟକୁ ଚିଠି ଲେଖିଛି।

Comments are closed.