ଭୂତାଣୁର ଉତ୍ପତ୍ତି ସନ୍ଧାନ ଉଦ୍ୟମ ଦ୍ବିଗୁଣିତ କରିବାକୁ ବାଇଡେନଙ୍କ ନିର୍ଦେଶ

ୱାଶିଂଟନ: କରୋନା ଭୂତାଣୁର ଉତ୍ପତ୍ତି ଜାଣିବା ଲାଗି ନିଜର ଉଦ୍ୟମକୁ ଦ୍ବିଗୁଣିତ କରିବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶର ଗୁଇନ୍ଦା ସମୁଦାୟଙ୍କୁ ନିର୍ଦେଶ ଦେଇଛନ୍ତି। ଏପରି କି କରୋନା ଭୂତାଣୁର ଉତ୍ପତ୍ତି ସମ୍ପର୍କରେ ଚୂଡାନ୍ତ ରିପୋର୍ଟ ୯୦ ଦିନ ମଧ୍ୟରେ ଦେବାକୁ ସେ ଗୁଇନ୍ଦା ବିଭାଗକୁ କହିଛନ୍ତି। ବୁଧବାର ବାଇଡେନ ଗୁଇନ୍ଦା ବିଭାଗକୁ ଦେଇଥିବା ନିର୍ଦେଶରେ କହଛନ୍ତି ଯେ କୋଭିଡ-୧୯ ଭୂତାଣୁର ଉତ୍ପତ୍ତି ଜାଣିବାକୁ ତଦନ୍ତର ପରିସରକୁ ବୃଦ୍ଧି କର। କୋଭିଡ ଭୂତାଣୁ ଚୀନ ପରୀକ୍ଷାଗାରରୁ ଉତ୍ପତ୍ତି ହୋଇଥିବା ସମ୍ପର୍କିତ ରିପୋର୍ଟ ଉପରେ ଅଧିକ ତଦନ୍ତ କରାଯାଉ। ଏ ଦିଗରେ ଆମେରିକାର ଜାତୀୟ ପରୀକ୍ଷାଗାର ଓ ଅନ୍ୟ ଏଜେନ୍ସିକୁ ସାମିଲ କରାଯିବ।

ଭୂତାଣୁ ସମ୍ପର୍କିତ ସମସ୍ତ ତଦନ୍ତ ବାବଦରେ ଦେଶର ସଂସଦକୁ ସମ୍ପୂର୍ଣ୍ଣ ଅବଗତ କରାଯିବ। ବାଇଡେନ କହିଛନ୍ତି ଯେ ଆମେରିକା ଏହାର ସମଭାବାପନ୍ନ ସହଯୋଗୀଙ୍କୁ ଏହି ତଦନ୍ତରେ ସାମିଲ କରିବ। ଏପରିକି ଚୀନକୁ ଏହି ତଦନ୍ତରେ ସାମିଲ ହେବାକୁ ଚାପ ପକାଯିବ। ତଦନ୍ତ ଯେପରି ସ୍ବଚ୍ଛ ଓ ନିରପେକ୍ଷ ହେବ ସେଥିପାଇଁ ଆବଶ୍ୟକ ତଥ୍ୟ ଯୋଗାଇ ଦେବାକୁ ବାଇଡେନ ଚୀନକୁ କହିଛନ୍ତି। କରୋନା ଭୂତାଣୁ ପଶୁଙ୍କ ଠାରୁ ମିଣିଷକୁ ବ୍ୟାପିଛି ନା ପରୀକ୍ଷାଗାରରୁ ଭୁଲ୍‌ବଶତଃ ମଣିଷକୁ ବ୍ୟାପିଛି ତାହା ନିର୍ଦ୍ଦିଷ୍ଟ ହୋଇପାରି ନାହିଁ। ଏବେ ଏହି ପ୍ରସଙ୍ଗକୁ ଚୂଡାନ୍ତ କରିବାକୁ ବାଇଡେନ ଗୁଇନ୍ଦା ବିଭାଗକୁ ନିର୍ଦେଶ ଦେଇଛନ୍ତି।

Comments are closed.