ନୂଆ ରାଜନୈତିକ ଦଳ ‘ହମ୍‌ରୋ ସିକିମ୍‌’ ଗଠନ କଲେ ବାଇଚୁଙ୍ଗ୍‌ ଭୁତିଆ

0

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସରୁ ଗତ ଫେବୃଆରୀରେ ଇସ୍ତଫା ଦେଇଥିବା ପ୍ରସିଦ୍ଧ ଫୁଟବଲ ତାରକା ବାଇଚୁଙ୍ଗ୍‌ ଭୁତିଆ ନିଜର ରାଜନୈତିକ ଦଳ ଗଠନ କରିଛନ୍ତି। ଏହି ଦଳର ନାମ ‘ହମ୍‌ରୋ ସିକିମ୍‌’ ରଖିଛନ୍ତି। ଗୁରୁବାର ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏ ସମ୍ପର୍କରେ ଘୋଷଣା କରିବା ସହ ତାଙ୍କ ଦଳ ଦୁର୍ନୀତି ଓ ବେରୋଜଗାରୀକୁ ପ୍ରସଙ୍ଗ କରିବ ଏବଂ ସିକିମ୍‌ର ବିକାଶ ଉପରେ ତାଙ୍କ ଦଳ ପ୍ରାଥମିକତା ଦେବ ବୋଲି କହିଛନ୍ତି। ଫୁଟବଲ୍‌ ଖେଳ ମାଧ୍ୟମରେ ଦୀର୍ଘ ଦୁଇ ଦସନ୍ଧି ଧରି ସେ ଗଢ଼ିଥିବା ନିଜର ଭାବମୂର୍ତ୍ତିକୁ ସେ ରାଜନୀତି ମଇଦାନରେ ଧ୍ୱଂସ କରିଦେବ ନାହିଁ ବୋଲି ପ୍ରତିଶ୍ରୁତିବଦ୍ଧତା ଘୋଷଣା କରିଛନ୍ତି। ବାଇଚୁଙ୍ଗ୍‌ ୨୦୧୪ ଲୋକସଭା ଓ ୨୦୧୬ରେ ସିଲିଗୁଡ଼ି ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଭାବେ ଦାର୍ଜିଲିଂରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ। ଗୁର୍ଖାଲାଣ୍ଡ ଆନ୍ଦୋଳନ ନେଇ ୧୦୪ଦିନ କାଳ ଦାର୍ଜିଲିଂ ଅଚଳ ହୋଇ ରହିବାବେଳେ ମମତା ବାନାର୍ଜି ସରକାରଙ୍କ ଭୂମିକାକୁ ସେ ହଜମ କରିପାରି ନ ଥିଲେ। ଏଥିନେଇ ସେ ଫେବୃଆରୀରେ ଦଳରୁ ଇସ୍ତଫା ଦେଇଥିଲେ। ସିକିମରେ ଗତ ୫ ପାଳି ହେଲା ଡେମୋକ୍ରାଟିକ୍‌ ଫ୍ରଣ୍ଟ ଶାସନ କରୁଛି ଓ ପବନ ଚାମଲିଙ୍ଗ ମୁଖ୍ୟମନ୍ତ୍ରୀ ରହିଛନ୍ତି। ରାଜ୍ୟରେ ବିରୋଧୀ ଦଳର ଅଭାବ ଥିବାରୁ ବିକାଶଧାରା ବ୍ୟାହତ ହେଉଛି। ତାଙ୍କ ଦଳ ଏହାକୁ ଭରଣା କରିବା ସହ କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କୁ ସୁଶାସନ ଦେବ ବୋଲି ଭୁତିଆ କହିଛନ୍ତି।

Leave A Reply