ବୟସ ଜାଲିଆତି ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ : ବାଇ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନରେ ବୟସ ଜାଲିଆତିକୁ ନେଇ ଅଭିଯୋଗ ପରେ ଏବେ ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆ (ବାଇ) ତଦନ୍ତ କରିବା ନେଇ ସ୍ବତନ୍ତ୍ର କମିଟି ଗଠନ କରିଛି। ବୟସ ଜାଲିଆତି କରିଥିବା ଖେଳାଳିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଇ ସମ୍ପାଦକ ସଞ୍ଜୟ ମିଶ୍ରା କହିଛନ୍ତି। ମୋହାଲିରେ ଚାଲିଥିବା ସର୍ବଭାରତୀୟ ୧୩ ବର୍ଷରୁ କମ ରାଙ୍କିଙ୍ଗ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅବସରରେ ବାଇ ସମ୍ପାଦକ ଶ୍ରୀ ମିଶ୍ରା କହିଛନ୍ତି ଯେ, ଜାତୀୟ ପ୍ରତିଯୋଗିତାରେ ବୟସ ଜାଲିଆତି କରି ଅଧିକ ବୟସ ପିଲାଙ୍କୁ ଖେଳାଯିବା ଘଟଣାର ତଦନ୍ତ କରାଯିବ।

ଖେଳାଳିମାନେ ନାମ ପଞ୍ଜୀକରଣ ସମୟରେ ଦାଖଲ କରିଥିବା ପ୍ରମାଣପତ୍ରକୁ ଯାଞ୍ଚ କରାଯାଉଛି। ଏଥିରେ ଯଦି କୌଣସି ଖେଳାଳି ବୟସରେ ଜାଲିଆତି କରିଥିବା ନେଇ ଜଣାପଡେ ​ତେବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିନେଇ ଗଠିତ ବୟସ ଯାଞ୍ଚ ତଦାରଖ କମିଟି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ପ୍ରତିଯୋଗିତା ଆୟୋଜକ ଓ ବାଇର ମିଳିତ ଭାବେ ବୟସ ଯାଞ୍ଚ କରାଯିବ । ଖେଳାଳି ଓ ଅଭିଭାବକମାନେ ପିଲାମାନଙ୍କ ବୟସଗତ ପ୍ରମାଣପତ୍ର ସଠିକ ଦାଖଲ କରିବା ଉପରେ ଗୁରୁତ୍ବ ଦେବା ଆବଶ୍ୟକ। ବୟସ ଜାଲିଆତି କରିଥିବା ନେଇ ଯଦି କୌଣସି ଖେଳାଳି ଧରାପଡେ ତେବେ ବାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସମ୍ପାଦକ ଶ୍ରୀ ମିଶ୍ରା ସତର୍କ କରାଇ ଦେଇଛନ୍ତି।

Comments are closed.