ଅବିଭକ୍ତ ଗଞ୍ଜାମର ଜୀବନ ରେଖା ବାହୁଦା ନଦୀ ପ୍ରଦୂଷିତ: ମିଶୁଛି ମଦପୋଚ, ଆନ୍ଧ୍ର ବାଲି ମାଫିଆଙ୍କ ଲୋଲୁପ ଦୃଷ୍ଟି

ପାତ୍ରପୁର: ଅବିଭକ୍ତ ଗଞ୍ଜାମ ଜିଲାର ପୁରାଣ ବର୍ଣ୍ଣିତ ମହେନ୍ଦ୍ରଗିରିରୁ ଉତ୍ପତ୍ତି ହୋଇଥିବା ଅମରକୋଷ ବର୍ଣ୍ଣିତ ବାହୁଦା ନଦୀ ଏବେ ସମ୍ପୂର୍ଣ୍ଣ ପ୍ରଦୂଷିତ। ମଦପୋଚ, ମଲା ପଶୁ-ପକ୍ଷୀ ଏବଂ ବର୍ଜ୍ୟବସ୍ତୁରେ ନଦୀ ଏବେ ପ୍ରଦୂଷିତ ହୋଇପଡିଛି।
ଗଜପତି ଜିଲାର ରାମଗିରି ଅଞ୍ଚଳରୁ ବାହାରିଥିବା ବହୁଦା ନଦୀ ଗଜପତି ଓ ଗଞ୍ଜାମ ଜିଲା ଦେଇ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା ପାର କରି ବଙ୍ଗୋପସାଗରରେ ମିଶିଛି। ପ୍ରାୟ କୋଡିଏ କିଲୋମିଟର ପାହାଡ଼ିଆ ଏବଂ ସମତଳରେ ପ୍ରାୟ ନବେ କିଲୋମିଟର ଦେଇ ଏହି ନଦୀ ପ୍ରବାହିତ ହେଉଛି। ରାଜରାଜୁଡ଼ା ଅମଳରେ ନଦୀର ଉଭୟ ପାର୍ଶ୍ବରେ ଗଢି ଉଠିଥିବା ଶତାଧିକ ଗ୍ରାମର ଲୋକେ ପାନୀୟ ଜଳ ଓ କୃଷି କାର୍ୟ୍ୟରେ ଏହି ନଦୀ ଜଳ ବ୍ୟବହାର କରୁଥିଲେ। ଏହା ଏକ ପବିତ୍ର ନଦୀ ହୋଇଥିବାରୁ ଲୋକେ ନଦୀରୁ ପାଣି ନେଇ ବାହାରେ ସ୍ନାନଶୌଚ କରିବାର ନଜିର ମଧ୍ୟ ରହିଥିଲା। ଏପରିକି କୌଣସି ବର୍ଜ୍ୟବସ୍ତୁକୁ ମଧ୍ୟ ଲୋକେ ନଦୀ ଗର୍ଭକୁ ଫୋପାଡୁନଥିଲେ। କିନ୍ତୁ ଏବେ ସେହି ସ୍ଥିତି ଆଉ ନାହିଁ।
ନଦୀର ଉଭୟ ପାର୍ଶ୍ବରେ ଗଢି ଉଠିଛି ଅନେକ ଦେବାଦେବୀଙ୍କ ମନ୍ଦିର ଓ ରୋପିତ ହୋଇଛି ଛାୟାପ୍ରଦାନକାରୀ ଗଛ। ନଦୀ ଦୁଇ ପାର୍ଶ୍ବରେ ବିସ୍ତୀର୍ଣ୍ଣ ବାଲି ପଠାରେ ଲୋକେ ନିୟମିତ କୁସ୍ତି କସରତ କରୁଥିଲେ। ଗଡଜାତ ଅଞ୍ଚଳର ରାଜାମାନେ ଏଥି ନିମନ୍ତେ ବିଭିନ୍ନ ଗ୍ରାମର ଲୋକଙ୍କୁ ପ୍ରୋତ୍ସହାନ ମଧ୍ୟ ଯୋଗାଉ ଥିଲେ। ନଦୀପଠାରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହେଉଥିଲା। କୁସ୍ତି ଯୋଦ୍ଧାଙ୍କୁ ଏଠାରୁ ବଛାଯାଇ ଯୁଦ୍ଧକ୍ଷେତ୍ର ନିମନ୍ତେ ରାଜାମାନେ ମନୋନୀତ କରୁଥିଲେ। ଏପରିକି କିଛି ଯୋଦ୍ଧାଙ୍କୁ ନିଜ ପାଖରେ ସୁରକ୍ଷା ପାଇଁ ନିଯୁକ୍ତି ମଧ୍ୟ ଦେଉଥିଲେ। ନଦୀର ବିଭିନ୍ନ ସ୍ଥାନରେ ଥିବା ଉତ୍ତର ବାଙ୍କ ନୂଆଗଡ, ସମାସିଙ୍ଗିଶାସନ, ଦାଉଣି, ଧାନ୍ୟରାଶି, ବାରାହି ଆଦି ସ୍ଥାନରେ ପ୍ରତିବର୍ଷ ବାରୁଣୀ ସ୍ନାନ ଯାତ୍ରା ପାଳନ କରାଯାଇ ଆସୁଛି। ନଦୀପଠାରେ ଲୋକେ ବିଭିନ୍ନ କିସମର ପନିପରିବା ଚାଷ କରୁଥିଲେ। କୃତ୍ରିମ ଗଣ୍ଡ ସୃଷ୍ଟି କରାଯାଇ ମାଛଚାଷ ମଧ୍ୟ କରାଯାଉଥିଲା। ରାଜରାଜୁଡ଼ା ସମୟରେ ସମାସିଙ୍ଗିଶାସନ, ଟିକରପଡା,ଗୌଡ଼ଗାଁ, ବି ନୂଆଗାଁ ପ୍ରଭୃତି ସ୍ଥାନରେ ଲୋକେ ଶ୍ରମଦାନ କରି କେନାଲ ଖୋଳଇ ଚାଷଜମିକୁ ପାଣି ମଡାଉଥିଲେ। ହେଲେ ସେ ସବୁ ଏବେ ସ୍ବପ୍ନ ହୋଇଯାଇଛି। ୧୯୭୨ ମସିହା ପରେ ସରକାର ଏହି ନଦୀର ବିଭିନ୍ନ ସ୍ଥାନରେ ଶତାଧିକ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରି ଜମିକୁ ଜଳସେଚନ ପାଇଁ ପଦକ୍ଷେପ ନେଇଛନ୍ତି। ନଦୀର କଳିଙ୍ଗ ଦଳା ନିକଟରେ ଆନିକଟ କରି ଚିକିଟି ତହସିଲର ଚାଷ ଜମିକୁ କେନାଲ ମାଧ୍ୟମରେ ଜଳ ଯୋଗାଣ ହେଉଛି। ୨୦୦୦ ମସିହାରେ ବାଘଲଟିରେ ନଦୀ ପାଣିକୁ ଅଟକାଇ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇ ୫୬୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇବା ସହ ମାଛ ଚାଷ କରାଯାଉଛି। ଆନ୍ଧ୍ର ସରକାରଙ୍କ ତରଫରୁ ନଦୀପଥର ଦଶରୁ ଅଧିକା ସ୍ଥାନରେ ହିଡ ନିର୍ମାଣ କରି ଜଳସେଚନ ବ୍ୟବସ୍ଥା କରିଛନ୍ତି।
କୋଡିଏ ବର୍ଷ ପୂର୍ବେ ନୂଆପଡା ଜୟନ୍ତୀ ପାଠାଗାର ତରଫରୁ ଗଞ୍ଜାମ ସହରର ପରିବେଶବିତ ବ୍ରଜସୁନ୍ଦର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ବହୁଦା ନଦୀର ଉତ୍ପତ୍ତି ସ୍ଥଳ ଠାରୁ ତଳ ଅଂଶ ପର୍ୟ୍ୟନ୍ତ ଗସ୍ତ କରି ନଦୀ ପଠାର କଳା ରଙ୍ଗ ବାଲି ସଂଗ୍ରହ କରି ସେଥିରେ ୟୁରାନିୟମ ଥିବା ଦାବି କରି ରାଜ୍ୟ ସଂଗ୍ରହାଳୟକୁ ପଠାଇଥିଲେ। ଏତେସବୁ ଜନ ଉପକାରରେ ଆସୁଥିବା ଏହି ନଦୀ ପ୍ରତି କାହାରି ନଜର ପଡୁନି। ଆନ୍ଧ୍ର ବାଲି ମାଫିଆଙ୍କ ଲୋଲୁପ ଦୃଷ୍ଟିରେ ନଦୀପଠା ଶ୍ରୀହୀନ ହୋଇ ପଡିଛି। କେ.ନୂଆଗାଁ, ବଡ଼ବରଙ୍ଗା , ଭୀମପୁର, ବି.ନୂଆଗାଁ, ନୂଆପଡାସ୍ଥିତ ପଠାରୁ ଅହରହ ବାଲି ଆନ୍ଧ୍ରକୁ ଚାଲାଣ ହେଉଛି। ନଦୀ କୂଳରେ ପୂର୍ବ ପରି ବାଲିପଠା ଆଉ ଦେଖିବାକୁ ମିଳୁନି । ନଦୀପଠାରେ ସନ୍ଧ୍ୟା ନଇଁଲେ ମଦ୍ୟପଙ୍କ ଭିଡ। ବର୍ଜ୍ୟବସ୍ତୁ ଏବଂ ମଲା ପଶୁପକ୍ଷୀଙ୍କ ଦେହାଂଶରେ ନଦୀଜଳ ସମ୍ପୂର୍ଣ୍ଣ ପ୍ରଦୂଷିତ । ନଦୀରେ ସ୍ନାନ-ଶୌଚ ସହ ଗୃହପାଳିତ ପଶୁଙ୍କୁ ଅହରହ ସ୍ନାନ କରାଯାଉଛି। ଏହି ନଦୀରେ ମିଶିଥିବା କିଛି ନାଳର ଉପର ମୁଣ୍ଡରେ ଶତାଧିକ ଦେଶୀ ମଦଭାଟି ଗଢି ଉଠିଛି। ମଦଭାଟିରୁ ବାହାରୁଥିବା ପୋଚ ଏବଂ ବର୍ଜ୍ୟବସ୍ତୁ ନାଳଦେଇ ନଦୀରେ ଛଡାଯାଉଛି। ନଦୀଜଳ ପ୍ରଦୂଷିତ ହୋଇପଡିଥିବାରୁ ମତ୍ସ୍ୟଜୀବୀଙ୍କ ବେଉଷା ଉଜୁଡି ଯାଇଛି।