ଚଳିତ ବର୍ଷ ମୋ ଉପକାରୀ ବଗିଚା ମାଧ୍ୟମରେ ୧୫ ହଜାର ହିତାଧିକାରୀ ହେବେ ଉପକୃତ

ଯାଜପୁର : ପ୍ରତ୍ୟେକ ପରିବାର ସକାଳୁ ଉଠିଲେ ଚିନ୍ତା କରନ୍ତି ପରିବା ପାଇଁ । ବିଶେଷ କରି ଗୃହିଣୀର ହାଣ୍ଡିଶାଳ ଚିନ୍ତା ତ ଗୃହସ୍ଥର ବଜାର ଚିନ୍ତା । ତେବେ ସରକାର ଚଳିତ ବର୍ଷ ଠାରୁ ଏକ ଅଭିନବ ଯୋଜନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ ସହଯୋଗର ହସ୍ତ ସଂପ୍ରସାରିତ କରିଛନ୍ତି। ମୋ ଉପକାରୀ ବଗିଚା ନାମରେ କିଚେନ ଗାର୍ଡନ ବା ରୋଷେଇ ଘର ବଗିଚା ମାଧ୍ୟମରେ ପରିବାରର ପରିବା ଚିନ୍ତାକୁ ଦୂର କରାଯାଇପାରୁଛନ୍ତି। ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜିଲାକୁ ଚଳିତ ବର୍ଷ ୧୫ ହଜାରଟି ମୋ ଉପକାରୀ ବଗିଚାର ଧାର୍ଯ୍ୟ ଲକ୍ଷ୍ୟ ଆସିଛନ୍ତି। ଧାର୍ଯ୍ୟ ଲକ୍ଷ୍ୟ ୧୫ ହଜାର ମଧ୍ୟରୁ ୧୫୩୫୧ ହିତାଧିକାରୀଙ୍କୁ ଚୟନ କରାଯାଇ ୧୪୬୨୭ ଟିକୁ ମଂଜୁରୀ ମିଳିଛନ୍ତି। ପ୍ରଥମ ପର୍ଯ୍ୟୟରେ ୧୪୫୦ଟି ମୋ ବଗିଚାର କାର୍ଯ୍ୟ ଆରମ୍ଭ ହୋଇ ୧୧୧୦ଟିର ପୂର୍ଣ୍ଣାଙ୍ଗ ହୋଇଛନ୍ତି। ଗୋଟିଏ ଗୋଟିଏ ମୋ ବଗିଚା ପ୍ରକଳ୍ପର ମୂଲ୍ୟ  ୧୩୭୩୨ ଟଙ୍କା ରହିଛନ୍ତି। ସେଥିରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରୁ ୧୩୪୮୨ ଟଙ୍କା ଏବଂ ଓଡିଶା ଜୀବିକା ମିଶନର ୨୫୦ ଟଙ୍କା ଅନ୍ତର୍ଭୁକ୍ତ। ମଂଜୁର ହୋଇଥିବା ୧୪୬୨୭ ପ୍ରକଳ୍ପ ମଧ୍ୟରେ ବଡଚଣା ବକ୍‌ର ୧୪୮୨, ବରୀ  ୮୯୮, ବିଂଝାରପୁର ୧୨୮୬, ଦାନଗଦୀ ୧୬୧୭, ଦଶରଥପୁର ୨୬୦୮, ଧର୍ମଶାଳା ୩୧୨୮, ଯାଜପୁର ୧୧୨୭, କୋରେଇ ୧୬୬, ରସୁଲପୁର ୬୦୦ ଓ ସୁକିନ୍ଦାରେ ୨୪୩୯  ହିତାଧିକାରୀ ରହିଛନ୍ତି ବୋଲି ଏମ୍.ଜି.ଏନ୍.ଆର.ଜି.ଏସ୍. ର ସଂଯୋଜକ ଚିନ୍ମୟ ସିଂ ସୂଚନା ଦେଇଛନ୍ତି। ୩ ଡିସିମିଲ ବା ୧୨୦୦ ବର୍ଗ ପୁଂଟ ଅଳ ମଧ୍ୟରେ ଏହି ବଗିଚା ପ୍ରସ୍ତୁତିର ଲକ୍ଷ୍ୟ ରଖାଯାଇଛନ୍ତି। କ୍ଷେତ୍ର ପ୍ରସ୍ତୁତି ଫସଲର ସୁରକ୍ଷା ପାଇଁ ବାଡ ବ୍ୟବସ୍ଥା ସହ ସ୍ଥାୟୀ ପରିବା ଭାବେ କଦଳୀ, ଅମୃତଭଣ୍ଡା, ସଜନା ଓ ଲେମ୍ବୁ ଗଛ ଲଗାରେ ଏହା ବ୍ୟୟ ହେବ। ତେବେ ଏହି ଗଛ ଗୁଡିକ ବଗିଚାର ଚାରିକଡେ ଏପରି ଲଗାଯିବ ଯେପରି ତାହ ଅନ୍ୟ ଫସଲକୁ କ୍ଷତି ପହଞ୍ଚିବ ନାହିଁ। ଅପରନ୍ତୁ ଶାଗ, ଭେଣ୍ଡି, କାକୁଡି ଇତ୍ୟାଦି ହିତାଧିକାରୀ ତା ନିଜସ୍ୱ ଚାହିଦା ମୁତାବକ ଲଗେଇ ଉତ୍ପାଦନ କରିପାରିବ। ଦୈନିକ ଅନ୍ୟୁନ ଏକ କେଜି ପରିବା ସଂଗ୍ରହର ଲକ୍ଷ୍ୟ ରଖାଯାଇଛନ୍ତି। ଏହା ଏକ ସୁନ୍ଦର ଯୋଜନା। ଏହା ମାଧ୍ୟମରେ ସଂପୃକ୍ତ ପରିବାରର ପରିବା ସମସ୍ୟା ଦୂର ହେବା ସହ ପୁଷ୍ଟିକର ତଟକା ପରିବା ମଧ୍ୟ ପାଇପାରିବେ ବୋଲି ଜିଲାପାଳ ଚକ୍ରର୍ବୀ ସିଂ ରାଠୋର ଆଶାବ୍ୟକ୍ତ କରିଛନ୍ତି। ଏସଂପର୍କରେ ବିଶେଷଜ୍ଞ ମାନଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଇଥିଲା।  ପ୍ରତି ବ୍ଳକ୍ ଓ ପଞ୍ଚାୟତ ସ୍ତରରେ ଜି.ଆର.ଏସ୍.  ମାଷ୍ଟର ବୁକ୍ କିପର ବା ଏମ୍.ବି.କେ. ଙ୍କୁ ପ୍ରଶିକ୍ଷିତ କରାଯାଇଛନ୍ତି। ସେମାନେ ସଂପୃକ୍ତ ହିତାଧିକାରୀମାନଙ୍କୁ ଉପଯୁକ୍ତ ତାଲିମ ଦେଇ ଯୋଜନାକୁ ସଫଳ କରିବାକୁ ଉଦ୍ୟମରତ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ସୂଚନା ଦେଇଛନ୍ତି। ସମସ୍ତ ବି.ଡି.ଓ., ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜି.ଆର୍.ଏସ୍. ମାନେ ଏହାକୁ ତଦାରଖ କରୁଛନ୍ତି ଓ ନିଜେ ହିତାଧିକାରୀ ମଧ୍ୟ ଆଗ୍ରହୀ ଥିବାରୁ ଏହାର ସଫଳତା ଉତ୍ସାହଜନକ ହେବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ କହିଛନ୍ତି।

Comments are closed.