ଆମେରିକା ଦୂତାବାସ ନିକଟରେ ପୁଣି ରକେଟ୍‌ ମାଡ଼

ବାଗଦାଦ : ଇରାକର ରାଜଧାନୀ ବାଗଦାଦସ୍ଥିତ ଆମେରିକା ଦୂତାବାସ ନିକଟରେ ପୁଣି ଥରେ ରକେଟ୍‌ ମାଡ଼ କରାଯାଇଛି। ଗୋଟିଏ ପରେ ଗୋଟିଏ ୫ଟି ରକେଟ୍‌ ମାଡ଼ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିବା ଇରାକର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। କିଏ ଏହି ରକେଟ୍‌ ମାଡ଼ କରିଛି ତାହା ଜଣାପଡ଼ିନାହିଁ। କିଛିଦିନ ତଳେ ଆମେରିକା ବାଗଦାଦ ବିମାନବନ୍ଦରରେ ଇରାନର ମୁଖ୍ୟ କମାଣ୍ଡର କାଶିମ ସୁଲେମାନୀଙ୍କୁ ହତ୍ୟା କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଏହା ପରଠାରୁ ଇରାନ ପକ୍ଷରୁ ଏକାଧିକ ଥର ଆମେରିକା ଦୂତାବାସ ନିକଟରେ ରକେଟ୍‌ ମାଡ଼ କରାଯାଇଛି। ଏହା ସହିତ ବାଗଦାଦରେ ଥିବା ଆମେରିକା ସେନା ଶିବିର ଉପରକୁ ଇରାନ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। କିଛିଦିନ ତଳେ ଦୂତାବାସ ନିକଟରେ ଇରାନ ପକ୍ଷରୁ ରକେଟ୍‌ ମାଡ଼ କରାଯାଇଥିଲା। କିନ୍ତୁ ଏଥର କିଏ ଆକ୍ରମଣ କରିଛି ତାହା ଜଣାପଡ଼ି ନ ଥିବାବେଳେ ଇରାନ ବି ଏ ନେଇ ମୁହଁ ଖୋଲିନାହିଁ। ସୂଚନା ଅନୁସାରେ ରବିବାର ରାତିରେ ରାତ୍ରିଭୋଜନ ସମୟରେ ଦୂତାବାସର କାଫେଟେରିଆ ନିକଟରେ ଏକ ରକେଟ ମାଡ଼ ହୋଇଥିଲା। ଏହା ପରେ ଅନ୍ୟ ୨ଟି ରକେଟ୍‌ କିଛି ଦୂରରେ ପଡ଼ିଥିଲା। ପରେ ପୁଣି ଆଉ ୨ଟି ରକେଟ୍‌ ଆକ୍ରମଣ କରାଯାଇଥିଲା।

Comments are closed.