ଫୋକସ୍‌ରେ ‘ସ୍କିଲଡ୍‌ ଇନ୍‌ ଓଡ଼ିଶା’ ବ୍ରାଣ୍ଡ୍‌

ଭୁବନେଶ୍ବର : ଆଜିର ସମୟ ଦକ୍ଷତା ପ୍ରଦର୍ଶନର ସମୟ। ଦକ୍ଷତା, ଆଚାର ବ୍ୟବହାର, ଡିଜିଟାଲ ଏବଂ ସ୍ବାବଲମ୍ବନ‌େ​‌ର ସମନ୍ବୟ ଯିଏ ଆଣିପାରିବ ତା’ଆଗରେ ସାରା ପୃଥିବୀ ମୁଣ୍ଡ ନୁଆଁଇବ। ଆଉ ସେହି ମଣିଷଟିର ଭବିଷ୍ୟତ ହିଁ ସୁରକ୍ଷିତ ରହିବ। ଜଣେ ଅଧାପନ୍ତରିଆ ଡାକ୍ତର କିମ୍ବା ଇଞ୍ଜିନିୟର ହେବା ଅପେକ୍ଷା ଜଣେ ଭଲ ଟେକ୍ନିସିଆନ୍‌ଙ୍କ ଭବିଷ୍ୟତ ନେଇ ଅଧିକ ସମ୍ଭାବନା ରହିଛି। ଆଜିର ଧରା, ଅନ୍‌ଲାଇନ୍‌ର ଧରା। ଯିଏ ଅନ୍‌ଲାଇନ୍‌କୁ ବଶ ମନାଇପାରିବ ସେ ହିଁ ହେବ ଆଗାମୀ ଦିନର ସ୍କିଲ୍‌ ସମ୍ରାଟ। ଓଡ଼ିଶାକୁ ଆଧୁନିକ ଦୁନିଆର ଦକ୍ଷତା​‌​‌ କ୍ଷେତ୍ରରେ ଦାଖଲ ଦେବାକୁ ହେବ ଏବଂ ‘ସ୍କିଲଡ୍‌ ଇନ୍‌ ଓଡ଼ିଶା’ ବୋଲି ଏକ ବ୍ରାଣ୍ଡ୍‌ ତିଆରି କରିବାକୁ ହେବ ​ବୋଲି ଓଡ଼ିଶା ଦକ୍ଷତା ବିକାଶ ପର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ କହିଛନ୍ତି।

ଦେଶରେ ରହିଥିବା ୧୩,୩୪୮ଟି ଆଇଟିଅାଇରେ ପ୍ରାୟ ୧୯ ଲକ୍ଷ ଛାତ୍ରଛାତ୍ରୀ ପାଠପଢିଥାନ୍ତି।  କେନ୍ଦ୍ର ସରକାର ଏହି ସମସ୍ତ ଆଇଟିଆଇର ରେଟିଂ କରି ଏଥିମଧ୍ୟରୁ ଶହେଟିକୁ ଚୟନ କରିଥାନ୍ତି। ଚଳିତଥର ସର୍ବଭାରତୀୟ ସ୍ତରର ଶେଷ୍ଠ ଶହେ ଆଇଟିଆଇ ମଧ୍ୟରେ ଓଡ଼ିଶାରୁ ୧୧ଟି ଆଇଟିଆଇ ସ୍ଥାନ ପାଇଛି। ଏଥିରୁ ୭ଟି ହେଉଛି ସରକାରୀ ଏବଂ ୪ଟି ​ହେଉଛି ବେସରକାରୀ ଆଇଟିଆଇ। ଏହି ତାଲିକା ପାଇଁ ଆଇଟିଆଇଗୁଡିକୁ ମନୋନୀତ କରିବା ସମୟରେ ବିଶେଷ କରି ୬ଟି ମାନଦଣ୍ଡକୁ ବିଚାରକୁ ନିଆଯାଇଛି। ସେଗୁଡିକ ହେଉଛି ଅନୁଷ୍ଠାନର ଶିକ୍ଷକ ଓ ସହଯୋଗୀମାନଙ୍କର ମାନ, ପରୀକ୍ଷାରେ ପିଲାମାନଙ୍କର କୃତିତ୍ବ, ଶିଳ୍ପ ଓ ବ୍ୟବସାୟ ଜଗତ ସହ ପ୍ରତିଷ୍ଠାନର ସମ୍ପର୍କ, ଜ୍ଞାନ ଆହରଣ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ, ଉଦ୍‌ଭାବନଶୀଳତା ଏବଂ ଅଭିନବନତା। ଏହି ୬ଟି ସମୀକ୍ଷା ପାଇଁ ୨୧ଟି ପୃଥକ୍‌ ପରୀକ୍ଷା ରହିଛି। ଶ୍ରେଷ୍ଠ ଆଇଟିଆଇ ଦୌଡରେ ସାମିଲ ହେବାକୁ ହେଲେ ସଂସ୍ଥାକୁ ପ୍ରଥମେ ନିଜ ଆଖିରେ ନିଜର ରେଟିଂ କରିବାକୁ ହେବ।​‌ ଏହାପରେ ଏକ ସ୍ବତନ୍ତ୍ର ଟିମ୍‌ କ୍ଷେତ୍ର ଅନୁଧ୍ୟାନ କରିବାକୁ ଯାଇଥାନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ କୌଣସି ଆପତ୍ତି ଥିଲେ ତାହାର ଶୁଣାଣି କରାଯାଏ। ଚତୁର୍ଥ ପର୍ଯ୍ୟାୟରେ ଏକ ଡ୍ରାଫ୍ଟ ଗ୍ରେଡିଂ କରି ଶେଷରେ ଏକ ଭାରପ୍ରାପ୍ତ କମିଟି ଶ୍ରେଷ୍ଠ ଶହେ ସ୍ଥାନ ନିର୍ଦ୍ଧାରଣ କରିଥାନ୍ତି । ଏହି ତାଲିକାରେ ଥିବା ରାଜ୍ୟର ସରକାରୀ ଆଇଟିଆଇ ମଧ୍ୟରେ ବ୍ରହ୍ମପୁର, ହିଞ୍ଜିଳିକାଟୁ, ଯାଜପୁର, ଝାରସୁଗୁଡା, ପୁରୀ, ତକତପୁର ଏବଂ ଭୁବ​ନେଶ୍ବର ଆଇଟିଆଇ ରହିଥିବାବେଳେ ବେସରକାରୀ ଆଇଟିଆଇ ମଧ୍ୟରେ ଭଦ୍ରକ ଅଲମାଇଟି, ସୁନ୍ଦରଗଡ ଡାଲମିଆ, କଟକ ଶ୍ରୀଗୁରୁ ଏବଂ ଆଇଟିସି ଚରମ୍ପା ରହିଛି। ତେ​ବେ ପରିତାପର ବିଷୟ ହେଉଛି ରାଜ୍ୟର ଏକ ନମ୍ବର ଆଇଟିଆଇ କୁହାଯାଉଥିବା କଟକ ଖପୁରିଆ ଆଇଟିଆଇ ଏହି ତାଳିକାରୁ ବାଦ୍‌ ପଡିବା। ଏ ସମ୍ପର୍କରେ ଶ୍ରୀ ବାଗ୍‌ଚୀ କହିଛନ୍ତି ଯେ, ଏହି ତାଲିକାରେ ରାଜ୍ୟର ଆଉ ୫ ସରକାରୀ ଏବଂ ୫ ବେସରକାରୀ ଆଇଟିଆଇ ସ୍ଥାନ ପାଇବାକୁ ଯୋଗ୍ୟ। କଟକ ଆଇଟିଆଇ ହେଉଛି ଆମର ଗୋଟିଏ ମଉଡମଣି।

ଏହାସହ ଅନ୍ୟ ଆଇଟିଆଇ ପ୍ରତିଷ୍ଠାନ କ’ଣ ପାଇଁ ଏହି ତାଲିକାକୁ ଆସିପାରିନାହାନ୍ତି ତାହା ଆମକୁ ଦେଖିବାକୁ ପଡିବ। ଅନ୍ତତଃପକ୍ଷେ ଆଉ ୧୦ ଟି ଆଇଟିଆଇ ଆମର ଶ୍ରେଷ୍ଠ ଦକ୍ଷତା ବିକାଶ ସଂସ୍ଥାମାନଙ୍କ ସମକକ୍ଷ। ଆସନ୍ତାବର୍ଷ ଏହି ତାଲିକାରେ ରାଜ୍ୟରୁ ଯେଭଳି ୨୦ ଆଇଟିଆଇ ଆସିପାରିବେ ସେ ​ନେନଇ ଆମକୁ ସ୍ଥାନ ସୁରକ୍ଷିତ କରିବାକୁ ହେବ। ଏହି ତାଲିକାରେ ରାଜ୍ୟର ୧୧ ଆଇଟିଆଇ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର ହୋଇଥିବା ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଗୋଟିଏ ସମୟ ଆସିବା ଦରକାର ଯେବେ ବାହାର ଲୋକ ପଚାରିବେ ତୁମେ ଆଇଟିଆଇରେ ଶିକ୍ଷା ଲାଭ ଓ ତାଲିମ ନେଇଛ ବା ଓଡ଼ିଶାର ଆଇଟିଆଇରୁ ପାସ କରିଛ। ମୁଖ୍ୟମନ୍ତ୍ରୀଙ୍କ କହିବା ହେଉଛି, ପ୍ରତ୍ୟେକ କ୍ଷେତ୍ରରେ ଆଜି ଆମର ଯୁବପିଢ଼ୀଙ୍କୁ ରାଜ୍ୟ ନୁହେଁ ରାଷ୍ଟ୍ର ସ୍ତରରେ ପ୍ରତିଯୋଗିତା କରିବାକୁ ପଡୁଛି। ଦେଶର ଶ୍ରେଷ୍ଠ ୧୦୦ ଆଇଟିଆଇ ମଧ୍ୟରେ ସାମିଲ ହେବା ଫଳରେ ଉପରୋକ୍ତ ଅନୁଷ୍ଠାନଗୁଡିକରେ ପାଠପଢୁଥିବା ଛାତ୍ରଛାତ୍ରୀ ଭଲ ସଂସ୍ଥାରେ ଚାକିରି କରିପାରିବେ। ଆଗଧାଡିର ଶିଳ୍ପସଂସ୍ଥା ଏଠାରୁ ପ୍ରାକ୍ଟିକାଲ ଟ୍ରେନିଂ ଏବଂ ଆପ୍ରେଣ୍ଟିସ ନେବାକୁ ଆଗଭର ହେବେ। ଏହି ଆଇଟିଆ ସଂସ୍ଥାଙ୍କୁ ସମସ୍ତ ପ୍ରକାର ସାହାଯ୍ୟ, ସମ୍ବଳ, ସହଯୋଗ ଓ ସ୍ବୀକୃତି ଦେଇ ଆଗ ଅପେକ୍ଷା ଅଧିକ ସୁଦୃଢ କରାଯିବ।

Comments are closed.