ବାଦଶାହଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ର‍୍ୟାପର୍‍

ମୁମ୍ବଇ: ବଲିଉଡ଼ କଣ୍ଠଶିଳ୍ପୀ ତଥା ର‍୍ୟାପର୍‍ ବାଦଶାହଙ୍କ କାର୍‍ ପଞ୍ଜାବର ଲୁଧିଆନାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମାତ୍ର ବାଦଶାହ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଓ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣାରେ ତାଙ୍କ ଗାଡ଼ି ଖୁବ୍‍ କ୍ଷତିଗ୍ରସ୍ତ ହୋଇଛି। ସୂଚନା ଅନୁସାରେ, ବାଦଶାହ ଏବେ ପଞ୍ଜାବରେ ଏକ ଚଳଚ୍ଚିତ୍ରର ଶୁଟିଂ କରୁଛନ୍ତି। ସୋମବାର ଶୁଟିଂ ପାଇଁ ଯିବା ସମୟରେ ରାସ୍ତାରେ ହିଁ ଏହି ଦୁର୍ଘଟଣା ଘଟିଥିଲା।

ମିଳିଥିବା ଖବର ଅନୁସାରେ, ଏକ କ୍ୟାଣ୍ଟର ଆର୍ମୀ ଟ୍ରକ୍‍କୁ ଧକ୍କା ଦେବା ଫଳରେ ୫୦ରୁ ଅଧିକ ଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା। ଏହି ସମୟରେ ବାଦଶାହଙ୍କ ଗାଡ଼ି ମଧ୍ୟ ଅନ୍ୟ ଗାଡ଼ି ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବାଦଶାହଙ୍କର କିଛି କ୍ଷତି ହୋଇନାହିଁ। ତେବେ ଏହାକୁ ନେଇ ବାଦଶାହଙ୍କ ପକ୍ଷରୁ କୌଣସି ବୟାନ ମିଳି ପାରିନାହିଁ।

Comments are closed.