କ୍ରିକେଟ୍‍ରୁ ସନ୍ନ୍ୟାସ ନେଲେ ବଦ୍ରିନାଥ୍‍

0

ଚେନ୍ନଇ : ଭାରତୀୟ କ୍ରିକେଟ୍‍ର ସୁବ୍ରମଣ୍ୟମ୍‍ ବଦ୍ରିନାଥ୍‍ କ୍ରିକେଟ୍‍ରୁ ସନ୍ନ୍ୟାସ ନେଇଛନ୍ତି। ଭାରତ ତରଫରୁ ଅନ୍ତର୍ଜାତୀୟ ଓ ତାମିଲନାଡ଼ୁ ତରଫରୁ ଘରୋଇ କ୍ରିକେଟ୍‍ ଖେଳିଥିବା ବଦ୍ରିନାଥ୍‍ ଗତ ଶୁକ୍ରବାର ଅବସର ଘୋଷଣା କରିଥିଲେ। ୨୦୧୭-୧୮ ସିଜିନ୍‍ରେ ଘରୋଇ ସିଜିନ୍‍ରେ ଖେଳୁନଥିବା କାରଣରୁ ବଦ୍ରିନାଥ ଖୁବ୍‍ଶୀଘ୍ର ଅବସର ଘୋଷଣା କରିବେ ବୋଲି ଆଲୋଚନା ହେଉଥିବା ବେଳେ ତାହା ସତ୍ୟରେ ପରିଣତ ହୋଇଛି।
ଦୀର୍ଘ ୧୫ ବର୍ଷ ଧରି ଘରୋଇ କ୍ରିକେଟ୍‍ରେ ବେଶ୍‍ ସକ୍ରିୟ ଥିବା ବଦ୍ରିନାଥ୍‍ ୩୮ ବର୍ଷ ବୟସରେ ପାଦ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅବସର ଘୋଷଣା କରି ବଦ୍ରିନାଥ୍‍ କହିଥିଲେ ଗତ ଏକବର୍ଷ ହେବ ସେ ଅବସର ନେବା ନେଇ ଚିନ୍ତା କରି ଆସୁଥିଲେ। କ୍ରିକେଟ୍‍ରୁ ସନ୍ନ୍ୟାସ ନେବା ନିଷ୍ପତ୍ତି ତାଙ୍କ ପାଇଁ ବେଶ୍‍ କଷ୍ଟକର ଥିଲା। ତେବେ ସମୟକୁ ଦୃଷ୍ଟିରେ ରଖି କ୍ରିକେଟ୍‍ରୁ ଅବସର ନେବାକୁ ସେ ନିଷ୍ପତ୍ତି ନେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବଦ୍ରିନାଥଙ୍କ ସହ ତାଙ୍କ ବାପା ଓ ସାଥୀ ଖେଳାଳି ଲକ୍ଷ୍ମୀପତି ବାଲାଜୀ ଉପସ୍ଥିତ ଥିଲେ। ସୂଚନାଥାଉକି ବଦ୍ରିନାଥ ୧୪୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‍ ଖେଳି ୧୦,୨୪୫ ରନ୍‍ ସଂଗ୍ରହ କରିଥିଲେ। ସେଥିମଧ୍ୟରେ ୩୨ଟି ଶତକ ହାସଲ କରିଥିଲେ। ଘରୋଇ କ୍ରିକେଟ୍‍ରେ ଅଧିକାଂଶ ମ୍ୟାଚ୍‍ ସେ ତାମିଲନାଡୁ ତରଫରୁ ଖେଳିଥିଲେ। ତାମିଲନାଡୁ ବ୍ୟତୀତ ବିଦର୍ଭ ତରଫରୁ ୨ଟି ସିଜିନ୍‍ ଓ ହାଇଦରାବାଦ୍‍ ତରଫରୁ ଗୋଟିଏ ସିଜିନ୍‍ରେ ଖେଳିଥିଲେ। ଭାରତୀୟ ଦଳ ତରଫରୁ ସେ ୨ଟି ଟେଷ୍ଟ, ୭ଟି ଦିନିକିଆ ଓ ଗୋଟିଏ ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିଥିଲେ।
ସାମ୍ବାଦିକ ସମ୍ମିଳନୀରେ ବଦ୍ରିନାଥ୍‍ କହିଥିଲେ ୨୦୧୦ରେ ନାଗପୁରଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ କ୍ୟାରିୟରର୍‍ ପ୍ରଥମ ଟେଷ୍ଟ ମ୍ୟାଚ୍‍ ଖେଳିବା ସମୟରେ ସଚିନ ତେନ୍ଦୁଲକରଙ୍କଠାରୁ ଟୋପି ଗ୍ରହଣ କରିବା ତାଙ୍କ ପାଇଁ ଚିରସ୍ମରଣୀୟ ହୋଇରହିବ। ବଦ୍ରିନାଥ୍‍ ଜଣେ ବେଶ୍‍ ପ୍ରତିଭାସମ୍ପନ୍ନ ବ୍ୟାଟସମ୍ୟାନ୍‍ ହୋଇଥିଲେ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‍ରେ ଆଶାନୁରୂପକ ପ୍ରଦର୍ଶନ କରିପାରିନଥିଲେ। ସେହିପରି କୌଣସି ଦଳ ପାଇଁ ସେ ରଣଜୀ ଟ୍ରଫି ଜିତିବାକୁ ମଧ୍ୟ ସକ୍ଷମ ହୋଇପାରି ନ ଥିଲେ। ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ମତ ଦେଇ ବଦ୍ରିନାଥ କହିଥିଲେ କ୍ୟାରିୟରକୁ ନେଇ ତାଙ୍କର କୌଣସି ଅବସୋସ ନାହିଁ। ଜଣେ ଖେଳାଳି ଭାବେ ସେ ସର୍ବଦା ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିଥିଲେ।
ଭବିଷ୍ୟତରେ ସେ ପ୍ରଶିକ୍ଷକ ଭାବେ କାର୍ୟ୍ୟ କରିବାକୁ ଆଗ୍ରହୀ ଅଛନ୍ତି କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ବଦ୍ରିନାଥ୍‍ କହିଥିଲେ ବର୍ତ୍ତମାନ ସେ ଭାଷ୍ୟକାର ଭାବେ କାର୍ୟ୍ୟ କରିବାକୁ ଏକ ଗଣମାଧ୍ୟମ ସହ ଚୁକ୍ତି କରିଛନ୍ତି। ତେଣୁ ପ୍ରଶିକ୍ଷକ ଭାବେ କାର୍ୟ୍ୟ କରିବାକୁ ବର୍ତ୍ତମାନ ଚିନ୍ତା କରୁନାହାନ୍ତି। ଭବିଷ୍ୟତରେ ସୁଯୋଗ ମିଳିଲେ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିବା କଥା ଚିନ୍ତା କରିବେ।

Leave A Reply