ବିଶ୍ୱ ବ୍ୟାଡ୍‌ମିଣ୍ଟନ ଫାଇନାଲରେ ସିନ୍ଧୁ

0

ନାନ୍‍ଜିଙ୍ଗ୍‍(ଚୀନ୍): ଭାରତର ପିଭି ସିନ୍ଧୁ ଏଠାରେ ଚାଲିଥିବା ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‍ରେ ମହିଳା ସିଙ୍ଗଲ୍‍ସ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଶନିବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ୩ୟ ସିଡ୍‍ ସିନ୍ଧୁ ସିଧାସଳଖ ୨୧-୧୬, ୨୪-୨୨ ଗେମରେ ବିଶ୍ୱର ଦୁଇ ନମ୍ବର ଖେଳାଳି ତଥା ଟୁର୍ଣ୍ଣାମେଣ୍ଟର ୨ୟ ସିଡ୍‍ ଜାପାନର ଆକାନେ ୟାମାଗୁଚିଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୫୫ ମିନିଟ ଧରି ଚାଲିଥିଲା। ରବିବାର ଖେଳାଯିବାକୁ ଥିବା ଫାଇନାଲରେ ସିନ୍ଧୁ ୭ମ ସିଡ୍‍ ମାନ୍ୟତାପ୍ରାପ୍ତ ସ୍ପେନର କ୍ୟାରୋଲିନା ମାରିନଙ୍କୁ ଭେଟିବେ। ଶନିବାର ଖେଳାଯାଇଥିବା ଅନ୍ୟ ସେମିଫାଇନାଲରେ ମାରିନ ୧୩-୨୧, ୨୧-୧୬, ୨୧-୧୩ ଗେମରେ ୬ଷ୍ଠ ସିଡ୍‍ ଚୀନର ହି ବିଙ୍ଗ୍‍ଜିଆଓଙ୍କୁ ହରାଇଛନ୍ତି। ଏହାକୁ ମିଶାଇ ସିନ୍ଧୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ମେଗା ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୭ରେ ସିନ୍ଧୁ ବିଶ୍ୱ ଚମ୍ପିଆନସିପ୍‍ ଫାଇନାଲକୁ ଉନ୍ନୀତ ହୋଇଥିଲେ ସୁଦ୍ଧା ତାଙ୍କୁ ରନର୍ସଅପ୍‍ରେ ସନ୍ତୁଷ୍ଟ ହେବାକୁ ପଡିଥିଲା।
ଶନିବାର ଉଭୟ ଗେମରେ ସିନ୍ଧୁ-ୟାମାଗୁଚି ମୁକାବିଲା ବେଶ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା। ୟାମାଗୁଚି ପ୍ରଥମ ଗେମରେ ଆକ୍ରମଣାତ୍ମକ ରଣନୀତି ଅବଲମ୍ବନ କରି ଏକଦା ୫-୦ ପଏଣ୍ଟରେ ଆଗୁଆ ରହିଥିଲେ। ତେବେ ସିନ୍ଧୁ ଏକାଗ୍ରତା ନ ହରାଇ ଏହି ବ୍ୟବଧାନକୁ ହ୍ରାସ କରିବା ସହ ଗେମକୁ ୮-୮ ଓ ୧୨-୧୨ ସ୍ଥିତିକୁ ଆଣିବାରେ ସଫଳ ହୋଇଥିଲେ। ଶକ୍ତିଶାଳୀ ସ୍ମାସ୍‍ ଓ ଚମତ୍କାର କ୍ରସକୋର୍ଟ ଡ୍ରପ୍‍ ସଟ୍‍ ଜରିଆରେ ସିନ୍ଧୁ କ୍ରମାଗତ ପଏଣ୍ଟ ହାସଲ କରି ୧୯-୧୩ରେ ଆଗୁଆ ରହିଥିଲେ। ୟାମାଗୁଚି ଏହି ସ୍ଥିତିରୁ ମୁକୁଳି ପାରିନଥିଲେ। ସେ ଆଉ ୩ ପଏଣ୍ଟ ହାସଲ କରିବାରେ ସମର୍ଥ ହୋଇଥିଲେ ସୁଦ୍ଧା ସିନ୍ଧୁ ଏହି ଗେମକୁ ୨୧-୧୬ରେ ଜିତି ୧-୦ରେ ଆଗୁଆ ରହିଥିଲେ। ଦ୍ୱିତୀୟ ଗେମରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା। ସିନ୍ଧୁଙ୍କ ତ୍ରୁଟିରୁ ଫାଇଦା ଉଠାଇ ୟାମାଗୁଚି ଏହି ଗେମରେ ଏକଦା ୪-୧, ୧୧-୭ ପଏଣ୍ଟରେ ଆଗୁଆ ରହିଥିଲେ। ମଧ୍ୟାନ୍ତର ପରେ ୟାମାଗୁଚି ଉନ୍ନତ ପ୍ରଦର୍ଶନ ଜରିଆରେ ୧୯-୧୪ ପଏଣ୍ଟରେ ଆଗୁଆ ରହିଥିଲେ। ଏହି ସମୟରେ ତାଙ୍କର ବିଜୟ ଅବଶ୍ୟମ୍ଭାବୀ ଜଣାପଡୁଥିଲା। ତେବେ ସିନ୍ଧୁ ଆଦୌ ଚାପର ବଶବର୍ତ୍ତୀ ନ ହୋଇ ସ୍ୱାଭାବିକ ଖେଳ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥିଲେ। ନିଜର ଏକାଗ୍ରତା ଓ ଅଭିଜ୍ଞତାକୁ ପୁଞ୍ଜି କରି ସିନ୍ଧୁ ଗୋଟିଏ ପରେ ଗୋଟିଏ ପଏଣ୍ଟ ହାସଲ କରି ଗେମକୁ ୧୯-୧୯ ସ୍ଥିତିକୁ ଆଣିଥିଲେ। ପରବର୍ତ୍ତୀ ସମୟରେ ଉଭୟ ଖେଳାଳିଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। କେତେବେଳେ ସିନ୍ଧୁ ତ କେତେବେଳେ ୟାମାଗୁଚି ବିଜୟୀ ହେବା ସ୍ଥିତିରେ ଉପନୀତ ହୋଇଥିଲେ। ଫଳରେ ଏହି ଗେମ ୨୦-୨୦, ୨୨-୨୨ ସ୍ଥିତିକୁ ଆସିଥିଲା। ନିର୍ଣ୍ଣାୟକ ମୁହୂର୍ତ୍ତରେ ୟାମାଗୁଚି ତ୍ରୁଟି ଦର୍ଶାଇବା ଫଳରେ ସିନ୍ଧୁ ଏହି ସ୍ନାୟୁ ଉତ୍ତେଜକ ଗେମକୁ ୨୪-୨୨ ପଏଣ୍ଟରେ ହାତେଇ ନେଇ ଫାଇନାଲରେ ସ୍ଥାନ ପକ୍କା କରିଥିଲେ। ଚଳିତବର୍ଷ ଅଲ୍‍ ଇଂଲଣ୍ଡ ସୁପର ସିରିଜ ସେମିଫାଇନାଲରେ ୟାମାଗୁଚି ତିନିଟିକିଆ ଗେମରେ ସିନ୍ଧୁଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହ ସିନ୍ଧୁ ପୂର୍ବ ପରାଜୟର ପ୍ରତିଶୋଧ ନେଇଥିବାବେଳେ ୟାମାଗୁଚିଙ୍କ ବିରୋଧରେ ନିଜର ରେକର୍ଡ ୭-୪କୁ ବୃଦ୍ଧି କରିଛନ୍ତି।
ସୂଚନାଯୋଗ୍ୟ ସିନ୍ଧୁ ୨୦୧୩ ଓ ୨୦୧୪ ବିଶ୍ୱ ଚମ୍ପିଆନସିପ୍‍ରେ ବ୍ରୋଞ୍ଜପଦକ ଜିତିଥିବାବେଳେ ୨୦୧୭ରେ ଜାପାନର ନୋଜୋମି ଓକୁହାରାଙ୍କଠାରୁ ହାରି ରୌପ୍ୟପଦକ ହାସଲ କରିଥିଲେ। ଅପରପକ୍ଷରେ ୨୦୧୬ ରିଓ ଅଲିମ୍ପିକ୍‍ରେ କ୍ୟାରୋଲିନା ମାରିନ ୧୯-୨୧, ୨୧-୧୨, ୨୧-୧୫ ଗେମରେ ସିନ୍ଧୁଙ୍କୁ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ଏହି ପରିପ୍ରେକ୍ଷୀରେ ରବିବାର ଖେଳାଯିବାକୁ ଥିବା ଫାଇନାଲରେ ମାରିନଙ୍କୁ ପରାସ୍ତ କରି ଅଲିମ୍ପିକ ପରାଜୟର ପ୍ରତିଶୋଧ ନେବାକୁ ସିନ୍ଧୁ ନିଶ୍ଚିତଭାବେ ଉଦ୍ୟମ କରିବେ ବୋଲି ଭାରତୀୟ ବ୍ୟାଡମିଣ୍ଟନପ୍ରେମୀ ଆଶା କରୁଛନ୍ତି।

Leave A Reply