ସାଇନା ପରାସ୍ତ; ସେମିରେ ସିନ୍ଧୁ

0

ନାନ୍‍ଜିଙ୍ଗ୍‍(ଚୀନ) : ଏଠାରେ ଚାଲିଥିବା ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‍ରେ ଶୁକ୍ରବାର ସଫଳତା ତୁଳନାରେ ଭାରତକୁ ଅଧିକ ବିଫଳତାର ସ୍ୱାଦ ଚାଖିବାକୁ ପଡିଛି। ମହିଳା ସିଙ୍ଗଲ୍‍ସରେ ପିଭି ସିନ୍ଧୁ ସେମିଫାଇନାଲକୁ ଉନ୍ନୀତ ହୋଇଥିବାବେଳେ ଅନ୍ୟ ସିଙ୍ଗଲ୍‍ସରେ ସାଇନା ନେହୱାଲ, ସାଇପ୍ରଣିତ ଓ ମିକ୍ସଡ ଡବଲ୍‍ସରେ ସ୍ୱସ୍ତିକସାଇରାଜ ରାଙ୍କିରେଡ୍ଡି-ଅଶ୍ୱିନୀ ପୋନାପ୍ପା ଯୋଡିଙ୍କୁ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରୁ ବିଦାୟ ନେବାକୁ ପଡିଛି।
ଶୁକ୍ରବାର ମହିଳା ସିଙ୍ଗଲ୍‍ସ କ୍ୱାର୍ଟର ଫାଇନାଲ ମ୍ୟାଚରେ ୩ୟ ସିଡ୍‍ ସିନ୍ଧୁ ୨୧-୧୭, ୨୧-୧୯ ଗେମରେ ୮ମ ସିଡ୍‍ ଜାପାନର ନୋଜୋମି ଓକୁହାରାଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୫୮ ମିନିଟ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଗେମରେ ଓକୁହାରା ଏକଦା ୬-୩ ପଏଣ୍ଟରେ ଆଗୁଆ ରହିଥିଲେ ସୁଦ୍ଧା ସିନ୍ଧୁ ଚମତ୍କାର ପ୍ରଦର୍ଶନ ବଳରେ ଏହି ବ୍ୟବଧାନକୁ ହ୍ରାସ କରି ୨୧-୧୭ ପଏଣ୍ଟରେ ଜିତିଥିଲେ। ଦ୍ୱିତୀୟ ଗେମ ବେଶ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା। ଓକୁହାରା ଏକଦା ୯-୩ ପଏଣ୍ଟରେ ଆଗୁଆ ରହିଥିଲେ। ତେବେ ସିନ୍ଧୁ ନିଜର ଏକାଗ୍ରତା ଓ ଅଭିଜ୍ଞତାକୁ ପୁଞ୍ଜି କରି ଏହି ବ୍ୟବଧାନକୁ ହ୍ରାସ କରିବା ସହ ଗେମକୁ ୧୩-୧୩ ସ୍ଥିତିକୁ ଆଣିଥିଲେ। ଉଭୟ ଖେଳାଳି ୧୮-୧୮, ୧୯-୧୯ ପଏଣ୍ଟ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିଥିଲେ। ତେବେ ନିର୍ଣ୍ଣାୟକ ମୁହୂର୍ତ୍ତରେ ସିନ୍ଧୁ କ୍ରମାଗତ ଦୁଇ ପଏଣ୍ଟ ହାସଲ କରି ଏହି ଗେମକୁ ୨୧-୧୯ରେ ଜିତି ସେମିରେ ସ୍ଥାନ ପକ୍କା କରିଛନ୍ତି। ସେମିଫାଇନାଲରେ ସିନ୍ଧୁ ୨ୟ ସିଡ୍‍ ଜାପାନର ଆକାନେ ୟାମାଗୁଚିଙ୍କୁ ଭେଟିବେ।
ମହିଳା ସିଙ୍ଗଲ୍‍ସର ଏକ କ୍ୱାର୍ଟର ଫାଇନାଲ ମ୍ୟାଚରେ ଅଲିମ୍ପିକ ଚମ୍ପିଆନ ତଥା ୭ମ ସିଡ୍‍ ମାନ୍ୟତାପ୍ରାପ୍ତ ସ୍ପେନର କ୍ୟାରୋଲିନା ମାରିନ ସିଧାସଳଖ ୨୧-୬, ୨୧-୧୧ ଗେମରେ ୧୦ମ ସିଡ୍‍ ସାଇନା ନେହୱାଲଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ମାତ୍ର ୩୧ ମିନିଟ ମଧ୍ୟରେ ଶେଷ ହୋଇଥିଲା। ସାଇନାଙ୍କ ଏକାଧିକ ତ୍ରୁଟି ସାଙ୍ଗକୁ ମାରିନଙ୍କ ଚିତ୍ତାକର୍ଷକ ଖେଳ ଯୋଗୁଁ ମାରିନ ଏହି ମୁକାବିଲା ଜିତି ସେମିଫାଇନାଲରେ ସ୍ଥାନ ପକ୍କା କରିପାରିଛନ୍ତି। ମିକ୍ସଡ ଡବଲ୍‍ସ କ୍ୱାର୍ଟରରେ ମଧ୍ୟ ଭାରତୀୟ ଖେଳାଳିଙ୍କୁ ବିଫଳତାର ସ୍ୱାଦ ଚାଖିବାକୁ ପଡିଛି। ଟପ୍‍ ସିଡ୍‍ ମାନ୍ୟତାପ୍ରାପ୍ତ ଚାଇନିଜ୍‍ ଯୋଡି ହୁଆଙ୍ଗ୍‍ ୟାକ୍ୱିଓଙ୍ଗ୍‍ ଓ ଝେଙ୍ଗ୍‍ ସିୱି ୨୧-୧୭, ୨୧-୧୦ ଗେମରେ ଭାରତୀୟ ଯୋଡି ସ୍ୱସ୍ତିକସାଇରାଜ ରାଙ୍କିରେଡ୍ଡି ଓ ଅଶ୍ୱିନୀ ପୋନାପ୍ପାଙ୍କୁ ପରାସ୍ତ କରିଛନ୍ତି।
ଶୁକ୍ରବାର ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ୱର ୧ ନମ୍ବର ପୁରୁଷ ଓ ମହିଳା ଖେଳାଳିଙ୍କୁ କ୍ୱାର୍ଟର ଫାଇନାଲରୁ ବିଦାୟ ନେବାକୁ ପଡିଛି। ପୁରୁଷ ସିଙ୍ଗଲ୍‍ସ କ୍ୱାର୍ଟର ଫାଇନାଲରେ ୮ମ ସିଡ୍‍ ଚୀନର ଚେନ୍‍ ଲୋଙ୍ଗ୍‍ ୨୧-୧୯, ୨୧-୧୧ ଗେମରେ ଏକ ନମ୍ବର ଖେଳାଳି ତଥା ଟୁର୍ଣ୍ଣାମେଣ୍ଟର ଟପ୍‍ ସିଡ୍‍ ଡେନମାର୍କର ଭିକ୍ଟୋର ଆକ୍ସେଲସେନଙ୍କୁ ପରାସ୍ତ କରିଛନ୍ତି। ଅପରପକ୍ଷରେ ମହିଳା ସିଙ୍ଗଲ୍‍ସ କ୍ୱାର୍ଟର ଫାଇନାଲରେ ୬ଷ୍ଠ ସିଡ୍‍ ଚୀନର ହି ବିଙ୍ଗ୍‍ଜିଆଓ ୨୧-୧୮, ୭-୨୧, ୨୧-୧୩ ଗେମରେ ଟପ୍‍ ସିଡ୍‍ ଚାଇନିଜ ତାଇପେର ତାଇ ଜୁ ୟିଙ୍ଗ୍‍ଙ୍କୁ ପରାସ୍ତ କରିଛନ୍ତି।

Leave A Reply