କ୍ୱାର୍ଟରରେ ସିନ୍ଧୁ, ସାଇନା ଓ ସାଇପ୍ରଣିତ

0

ନାନ୍‍ଜିଙ୍ଗ୍‍(ଚୀନ) : ଭାରତର ପିଭି ସିନ୍ଧୁ ଓ ସାଇନା ନେହୱାଲ ଏଠାରେ ଚାଲିଥିବା ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‍ରେ ମହିଳା ସିଙ୍ଗଲ୍‍ସ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଅପରପକ୍ଷରେ ପୁରୁଷ ସିଙ୍ଗଲ୍‍ସରେ ୫ମ ସିଡ୍‍ କିଦାମ୍ବି ଶ୍ରୀକାନ୍ତ ପ୍ରିକ୍ୱାର୍ଟରରୁ ବିଦାୟ ନେଇଥିବାବେଳେ ସାଇପ୍ରଣିତ କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିପାରିଛନ୍ତି।
ଗୁରୁବାର ଖେଳାଯାଇଥିବା ମହିଳା ସିଙ୍ଗଲ୍‍ସର ଏକ ପ୍ରିକ୍ୱାର୍ଟର ମ୍ୟାଚରେ ୩ୟ ସିିଡ୍‍ ମାନ୍ୟତାପ୍ରାପ୍ତ ସିନ୍ଧୁ ୨୧-୧୦, ୨୧-୧୮ ଗେମରେ ୯ମ ସିଡ୍‍ ଦକ୍ଷିଣ କୋରିଆର ସୁଙ୍ଗ୍‍ ଜି ହ୍ୟୁନ୍‍ଙ୍କୁ ପରାସ୍ତ କରିଛନ୍ତି। ପ୍ରଥମ ଗେମରେ ସିନ୍ଧୁ ଏକଦା ୯-୧ ପଏଣ୍ଟରେ ଆଗୁଆ ରହିଥିଲେ। ହ୍ୟୁନ୍‍ ଏହି ଗେମରେ ଆଉ ୯ ପଏଣ୍ଟ ହାସଲ କରିଥିବାବେଳେ ସିନ୍ଧୁ ଏହାକୁ ୨୧-୧୦ରେ ଜିତିଥିଲେ। ଦ୍ୱିତୀୟ ଗେମରେ ହ୍ୟୁନ୍‍ ଏକଦା ୧୩-୯ ପଏଣ୍ଟରେ ଆଗୁଆ ଥିଲେ। ତେବେ ସିନ୍ଧୁ ଚମତ୍କାର ପ୍ରଦର୍ଶନ ବଳରେ ଏହି ବ୍ୟବଧାନକୁ ହ୍ରାସ କରିବା ସହ ୧୭-୧୩ରେ ଆଗୁଆ ରହିବା ସହ ଶେଷରେ ୨୧-୧୮ରେ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ବିଜୟ ସହ ହ୍ୟୁନ୍‍ଙ୍କ ବିପକ୍ଷରେ ସିନ୍ଧୁଙ୍କ ବିଜୟ ରେକର୍ଡ ୮-୫କୁ ବୃଦ୍ଧି ପାଇଛି। କ୍ୱାର୍ଟର ଫାଇନାଲରେ ସିନ୍ଧୁ ୮ମ ସିଡ୍‍ ଜାପାନର ନୋଜୋମି ଓକୁହାରାଙ୍କୁ ଭେଟିବେ। ଗୁରୁବାର ମହିଳା ସିଙ୍ଗଲ୍‍ସର ଅନ୍ୟ ଏକ ପ୍ରିକ୍ୱାର୍ଟର ମ୍ୟାଚରେ ୧୦ମ ସିଡ୍‍ ସାଇନା ନେହୱାଲ ୨୧-୧୬, ୨୧-୧୯ ଗେମରେ ପୂର୍ବତନ ଚମ୍ପିଆନ ତଥା ଟୁର୍ଣ୍ଣାମେଣ୍ଟର ୪ର୍ଥ ସିଡ୍‍ ଥାଇଲାଣ୍ଡର ରାତ୍‍ଚାନୋକ୍‍ ଇନ୍ତାନନ୍‍ଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୪୭ ମିନିଟ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଗେମରେ ସାଇନା ଏକଦା ୧୬-୧୨, ୧୮-୧୩ ପଏଣ୍ଟରେ ଆଗୁଆ ରହିଥିଲେ। ସାଇନାଙ୍କ ଉନ୍ନତ କ୍ରୀଡାନୈପୂଣ୍ୟ ଆଗରେ ଇନ୍ତାନନ୍‍ ଏକପ୍ରକାର ଆତ୍ମସମର୍ପଣ କରିବା ଫଳରେ ସାଇନା ଏହି ଗେମକୁ ୨୧-୧୬ରେ ଜିତିଥିଲେ। ଦ୍ୱିତୀୟ ଗେମରେ ମଧ୍ୟ ସାଇନାଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ସାଇନା ଏକଦା ୧୮-୧୩ ପଏଣ୍ଟରେ ଆଗୁଆ ରହିଥିଲେ ସୁଦ୍ଧା ଇନ୍ତାନନ୍‍ ନିଜର ଏକାଗ୍ରତାକୁ ପୁଞ୍ଜି କରି ଏହି ଗେମକୁ ୧୯-୧୯ ସ୍ଥିତିକୁ ଆଣିଥିଲେ। ତେବେ ଘଡିସନ୍ଧି ମୁହୂର୍ତ୍ତରେ ଇନ୍ତାନନ୍‍ ଗୁରୁତର ତ୍ରୁଟି ଦର୍ଶାଇବା ଫଳରେ ସାଇନା ଏହାକୁ ୨୧-୧୯ରେ ଜିତି କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ୨୦୧୫ ଓ ୨୦୧୭ ବିଶ୍ୱ ଚମ୍ପିଆନସିପ୍‍ରେ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜପଦକ ହାସଲ କରିଥିବା ସାଇନା କ୍ୱାର୍ଟର ଫାଇନାଲରେ ଅଲିମ୍ପିକ ଚମ୍ପିଆନ ସ୍ପେନର କ୍ୟାରୋଲିନା ମାରିନଙ୍କୁ ଭେଟିବେ।
ଗୁରୁବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍‍ସ ପ୍ରିକ୍ୱାର୍ଟର ମ୍ୟାଚରେ ମାଲେସିଆର ଡାରେନ ଲିଉ ସିଧାସଳଖ ୨୧-୧୮, ୨୧-୧୮ ଗେମରେ ୫ମ ସିଡ୍‍ ମାନ୍ୟତାପ୍ରାପ୍ତ ଶ୍ରୀକାନ୍ତଙ୍କୁ ପରାସ୍ତ କରିଛନ୍ତି। ଶ୍ରୀକାନ୍ତଙ୍କୁ ହରାଇବାକୁ ବିଶ୍ୱର ୧୦ ନମ୍ବର ଖେଳାଳି ଡାରେନ ୪୧ ମିନିଟ ସମୟ ନେଇଥିଲେ। ପ୍ରଥମ ଗେମରେ ଶ୍ରୀକାନ୍ତ ଏକଦା ୧୦-୧୩ ପଏଣ୍ଟରେ ପଛୁଆ ଥାଇ ପରବର୍ତ୍ତୀ ସମୟରେ ଏହି ବ୍ୟବଧାନକୁ ହ୍ରାସ କରିଥିଲେ। ତେବେ ଡାରେନ ଏହାକୁ ୨୧-୧୮ରେ ଜିତି ୧-୦ରେ ଆଗୁଆ ରହିଥିଲେ। ଦ୍ୱିତୀୟ ଗେମରେ ଶ୍ରୀକାନ୍ତ ୧୨-୧୦ ପଏଣ୍ଟରେ ଆଗୁଆ ଥାଇ ସୁଦ୍ଧା ଏହି ସୁଯୋଗକୁ ହାତଛଡା କରିଥିଲେ। ଫଳରେ ଡାରେନ ଏହି ଗେମକୁ ୨୧-୧୮ରେ ଜିତି କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ତେବେ ଏହି ଇଭେଣ୍ଟର ଅନ୍ୟ ଏକ ପ୍ରିକ୍ୱାର୍ଟର ମ୍ୟାଚରେ ସାଇପ୍ରଣିତ ୨୧-୧୩, ୨୧-୧୧ ଗେମରେ ଡେନମାର୍କର ହାନ୍‍ସ କ୍ରିଷ୍ଟିଆନ ଭିଟିଙ୍ଗ୍‍ସଙ୍କୁ ପରାସ୍ତ କରିଛନ୍ତି। ସାଇପ୍ରଣିତ ଉଭୟ ଗେମରେ ଉତ୍କର୍ଷ ଖେଳ ପ୍ରଦର୍ଶନ କରି ପ୍ରତିପକ୍ଷ ଖେଳାଳିଙ୍କୁ ତିଷ୍ଠିବାର ସୁଯୋଗ ଦେଇନଥିଲେ। କ୍ୱାର୍ଟର ଫାଇନାଲରେ ସାଇପ୍ରଣିତ ୬ଷ୍ଠ ସିଡ୍‍ ଜାପାନର କେନ୍‍ତୋ ମୋମୋତାଙ୍କୁ ଭେଟିବେ।
ମିକ୍ସଡ ଡବଲ୍‍ସ ପ୍ରିକ୍ୱାର୍ଟର ମ୍ୟାଚରେ ଭାରତୀୟ ଯୋଡି ସ୍ୱସ୍ତିକସାଇରାଜ ରାଙ୍କିରେଡ୍ଡି ଓ ଅଶ୍ୱିନୀ ପୋନାପ୍ପା ୨୦-୨୨, ୨୧-୧୪, ୨୧-୬ ଗେମରେ ୭ମ ସିଡ୍‍ ମାନ୍ୟତାପ୍ରାପ୍ତ ମାଲେସୀୟ ଯୋଡି ଘୋ ସୁନ୍‍ ହୁଆତ୍‍ ଓ ସେଭନ ଜେମି ଲାଇଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ପ୍ରଥମ ଗେମରେ ଉଭୟ ଯୋଡି ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଖେଳ ପ୍ରଦର୍ଶନ କରି ୨୦-୨୦ ସ୍ଥିତିରେ ଉପନୀତ ହୋଇଥିଲେ। ତେବେ ନିର୍ଣ୍ଣାୟକ ମୋଡରେ ପୋନାପ୍ପାଙ୍କ ରିଟର୍ଣ୍ଣ ସଟ୍‍ ନେଟ୍‍ରେ ବାଜିବା ଫଳରେ ସେମାନେ ଏହି ଗେମରେ ହାରିଯାଇଥିଲେ। ପ୍ରଥମ ଗେମ ହାରିବାପରେ ଭାରତୀୟ ଯୋଡି ପରବର୍ତ୍ତୀ ଦୁଇଟି ଗେମରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଯଥାକ୍ରମେ ୨୧-୧୪ ଓ ୨୧-୬ରେ ଜିତି କ୍ୱାର୍ଟରରେ ପ୍ରବେଶ କରିଛନ୍ତି। କ୍ୱାର୍ଟରରେ ସେମାନେ ଟପ୍‍ ସିଡ୍‍ ଚୀନର ଝେଙ୍ଗ୍‍ ସିୱି ଓ ହୁଆଙ୍ଗ୍‍ ୟାକ୍ୱିଓଙ୍ଗ୍‍ଙ୍କୁ ଭେଟିବେ।

Leave A Reply