ପ୍ରିକ୍ୱାର୍ଟରରେ ସିନ୍ଧୁ, ଶ୍ରୀକାନ୍ତ ଓ ସାଇପ୍ରଣିତ

0

ନାନ୍‍ଜିଙ୍ଗ୍‍(ଚୀନ) : ଭାରତର ପିଭି ସିନ୍ଧୁ, କିଦାମ୍ବି ଶ୍ରୀକାନ୍ତ ଓ ସାଇପ୍ରଣିତ ଏଠାରେ ଚାଲିଥିବା ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‍ର ସିଙ୍ଗଲ୍‍ସ ଇଭେଣ୍ଟରେ ପ୍ରିକ୍ୱାର୍ଟର ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ତେବେ ପୁରୁଷ ସିଙ୍ଗଲ୍‍ସର ଅନ୍ୟ ଏକ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ୧୧ଶ ସିଡ୍‍ ଏଚ.ଏସ.ପ୍ରଣୟ ଓ ସମୀର ବର୍ମାଙ୍କୁ ନିରାଶ ହେବାକୁ ପଡିଛି।
ବୁଧବାର ଖେଳାଯାଇଥିବା ମହିଳା ସିଙ୍ଗଲ୍‍ସ ୨ୟ ରାଉଣ୍ଡ ମ୍ୟାଚରେ ୩ୟ ସିଡ୍‍ ମାନ୍ୟତାପ୍ରାପ୍ତ ସିନ୍ଧୁ ୩୫ ମିନିଟର ମୁକାବିଲାରେ ଇଣ୍ଡୋନେସିଆର ଫିତ୍ରିଆନି ଫିତ୍ରିଆନିଙ୍କୁ ୨୧-୧୪, ୨୧-୯ ଗେମରେ ପରାସ୍ତ କରିଛନ୍ତି। ସିନ୍ଧୁ ପ୍ରଥମ ଗେମରେ ଏକଦା ୧୭-୭ ପଏଣ୍ଟରେ ଆଗୁଆ ରହିବା ସହ ଏହି ଗେମକୁ ୨୧-୧୪ରେ ଜିତିଥିଲେ। ଦ୍ୱିତୀୟ ଗେମରେ ଫିତ୍ରିଆନି ଏକଦା ୫-୪ ପଏଣ୍ଟରେ ଆଗୁଆ ରହିଥିଲେ ସୁଦ୍ଧା ସିନ୍ଧୁ ଏହି ବ୍ୟବଧାନକୁ ହ୍ରାସ କରିବା ସହ ୧୧-୫ରେ ଆଗୁଆ ରହିଥିଲେ। ସିନ୍ଧୁ ଏହି ଗେମରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ୨୧-୯ରେ ଜିତି ପ୍ରିକ୍ୱାର୍ଟରରେ ପ୍ରବେଶ କରିଛନ୍ତି। ପ୍ରିକ୍ୱାର୍ଟରରେ ସିନ୍ଧୁ ଦକ୍ଷିଣ କୋରିଆର ସୁଙ୍ଗ୍‍ ଜୁ ହ୍ୟୁନ୍‍ଙ୍କୁ ଭେଟିବେ।
ବୁଧବାର ପୁରୁଷ ସିଙ୍ଗଲ୍‍ସରେ ଭାରତକୁ ମିଶ୍ରିତ ଫଳ ମିଳିଛି। କିଦାମ୍ବି ଶ୍ରୀକାନ୍ତ ଓ ସାଇପ୍ରଣିତ ଦ୍ୱିତୀୟ ରାଉଣ୍ଡରେ ବିଜୟୀ ହୋଇ ପ୍ରିକ୍ୱାର୍ଟରକୁ ଉନ୍ନୀତ ହୋଇଥିବାବେଳେ ଏଚ.ଏସ.ପ୍ରଣୟ ଓ ସମୀର ବର୍ମାଙ୍କୁ ନିରାଶ ହେବାକୁ ପଡିଛି। ପୁରୁଷ ସିଙ୍ଗଲ୍‍ସର ଏକ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ୫ମ ସିଡ୍‍ ମାନ୍ୟତାପ୍ରାପ୍ତ ଶ୍ରୀକାନ୍ତ ୨୧-୧୫, ୧୨-୨୧, ୨୧-୧୪ ଗେମରେ ସ୍ପେନର ପାବ୍‍ଲୋ ଆବିୟାନଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ପ୍ରିକ୍ୱାର୍ଟରରେ ଶ୍ରୀକାନ୍ତ ମାଲେସିଆର ଡାରେନ ଲିଉଙ୍କୁ ଭେଟିବେ। ଅନ୍ୟ ଏକ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ସାଇପ୍ରଣିତ ୨୧-୧୮, ୨୧-୧୧ ଗେମରେ ସ୍ପେନର ଲୁଇ ଏନ୍‍ରିକ୍‍ ପେନାଲଭରଙ୍କୁ ପରାସ୍ତ କରିଛନ୍ତି। ପ୍ରିକ୍ୱାର୍ଟରରେ ତାଙ୍କର ମୁକାବିଲା ଡେନମାର୍କର ହାନ୍‍ସ କ୍ରିଷ୍ଟିଆନ ଭିଟିଙ୍ଗ୍‍ସଙ୍କ ସହ ହେବ। ତେବେ ୧୧ଶ ସିଡ୍‍ ପ୍ରଣୟ ଏକ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ବ୍ରାଜିଲର ଅଣସିଡେଡ୍‍ ଖେଳାଳି ୟୋଗର କୋଏଲହୋଙ୍କ ନିକଟରୁ ୨୧-୮, ୧୬-୨୧, ୧୫-୨୧ ଗେମରେ ପରାସ୍ତ ହୋଇଥିବାବେଳେ ସମୀର ବର୍ମା ୧୭-୨୧, ୧୪-୨୧ ଗେମରେ ୯ମ ସିଡ୍‍ ଚୀନର ଲିନ୍‍ ଡାନ୍‍ଙ୍କଠାରୁ ହାରିଯାଇଛନ୍ତି।
ପୁରୁଷ ଡବଲ୍‍ସରେ ଦୁଇ ଭାରତୀୟ ଯୋଡି ମନୁ ଅତ୍ରି-ସୁମିତ ରେଡ୍ଡି ଓ ସ୍ୱସ୍ତିକସାଇରାଜ ରାଙ୍କିରେଡ୍ଡି-ଚିରାଗ ସେଟ୍ଟିଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଦ୍ୱିତୀୟ ରାଉଣ୍ଡରେ ୭ମ ସିଡ୍‍ ଜାପାନର ଟାକୁଟୋ ଇନୋଇ ଓ ୟୁକି କାନେକୋ ୨୨-୨୪, ୨୧-୧୩, ୨୧-୧୬ ଗେମରେ ମନୁ ଅତ୍ରି-ସୁମିତ ରେଡ୍ଡିଙ୍କୁ ପରାସ୍ତ କରିଥିବାବେଳେ ଡେନମାର୍କ ଯୋଡି କିମ୍‍ ଆଷ୍ଟ୍ରପ୍‍-ଆଣ୍ଡର୍ସ ରାସ୍‍ମୁସେନ ୨୧-୧୮, ୧୫-୨୧, ୨୧-୧୬ ଗେମରେ ରାଙ୍କିରେଡ୍ଡି-ଚିରାଗଙ୍କୁ ହରାଇଛନ୍ତି। ମହିଳା ଡବଲ୍‍ସ ଦ୍ୱିତୀୟ ରାଉଣ୍ଡରେ ଭାରତୀୟ ଯୋଡି ଅଶ୍ୱିନୀ ପୋନାପ୍ପା ଓ ସିକ୍କି ରେଡ୍ଡି ୧୪-୨୧, ୧୫-୨୧ ଗେମରେ ୨ୟ ସିଡ୍‍ ମାନ୍ୟତାପ୍ରାପ୍ତ ଜାପାନୀ ଯୋଡି ୟୁକି ଫୁକୁସିମା ଓ ସାୟାକା ହିରୋତାଙ୍କଠାରୁ ହାରିଯାଇଛନ୍ତି।

Leave A Reply