ପୁଲିସକୁ ଗୁଳି ମାରି କୁଖ୍ୟାତ ଅପରାଧୀକୁ ଛଡ଼ାଇ ନେଲେ

ମୁଜାଫରନଗର : ଉତ୍ତରପ୍ରଦେଶ ମୁଜାଫରନଗର କୋତୱାଲି ଅଞ୍ଚଳର ସଲାରପୁର ଗ୍ରାମ ନିକଟରେ ମଙ୍ଗଳବାର ପୁଲିସ୍‍କୁ ଗୁଳି ମାରି ଜଣେ କୁଖ୍ୟାତ ଅପରାଧୀକୁ ତାର ସାଥୀମାନେ ପୁଲିସ୍‍ ହେପାଜତରୁ ଛଡ଼ାଇ ନେଇଛନ୍ତି। କୁଖ୍ୟାତ ଅପରାଧୀ ଜଣକୁ କୋର୍ଟରେ ହାଜର କରି ଜେଲକୁ ଫେରାଇ ନିଆଯାଉଥିଲାବେଳେ ତାର ସାଥୀମାନେ ଏହି କାଣ୍ଡ ଭିଆଇଛନ୍ତି। ଆହତ ପୁଲିସ୍‍ କର୍ମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ୍‍ ଅଭିଯୁକ୍ତଙ୍କ ତଲାସୀ ଜାରି ରଖିଛି।
ସୂଚନା ଅନୁସାରେ ମିର୍ଜାପୁର ଜେଲରେ ବନ୍ଦୀ ଥିବା କୁଖ୍ୟାତ ଅପରାଧୀ ରୋହିତ ଓରଫ ସାଣ୍ଡୁକୁ ମଙ୍ଗଳବାର ଏକ ମାମଲାରେ ମୁଜାଫରନଗର କୋର୍ଟରେ ହାଜର କରିବା ପାଇଁ ଅଣାଯାଇଥିଲା। କୋର୍ଟରେ ହାଜର ହେବା ପରେ ଦିନ ପ୍ରାୟ ସାଢେ ୨ଟା ବେଳେ ରୋହିତଙ୍କୁ ହେପାଜତରେ ନେଇ ପୁଲିସ୍‍ ମିର୍ଜାପୁର ଜେଲକୁ ଫେରୁଥିଲା। ବାଟରେ ସଲାରପୁରସ୍ଥିତ ଏକ ହୋଟେଲରେ ଖାଇବାକୁ ପୁଲିସ୍‍ ଅଟକିଥିଲା। ଏହି ସମୟରେ ଏକ ଧଳା ରଙ୍ଗର କାରରେ ୪ରୁ ୫ ଜଣ ଅପରାଧୀ ସେଠାରେ ପହଞ୍ଚି ପୁଲିସ୍‍କୁ ଆକ୍ରମଣ କରିଥିଲେ। ସେମାନେ ପୁଲିସ୍‍ ଆଖିରେ ଲଙ୍କାଗୁଣ୍ଡ ପକାଇବା ପରେ ଗୁଳି ଚଳାଇଥିଲେ। ଏଥିରେ ମିର୍ଜାପୁର ପୁଲିସ୍‍ କର୍ମୀ ବିଜୟ ସଂହ ଆହତ ହୋଇଥିଲେ। ସଂଘର୍ଷ ମଧ୍ୟରେ କୁଖ୍ୟାତ ଅପରାଧୀ ରୋହିତକୁ ତାର ସାଙ୍ଗମାନେ ପୁଲିସ୍‍ ହେପାଜତରୁ ଖସାଇ ନେଇ ଫେରାର ହୋଇଯାଇଛନ୍ତି। ପୁଲିସ୍‍ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଚଳାଇଛି।

Comments are closed.