MEllora 950×100

ସକାଳ ୯ଟା ସୁଦ୍ଧା ୮.୫% ମତଦାନ; ଶାନ୍ତିଶୃଙ୍ଖଳାରେ ଚାଲିଛି ଭୋଟିଂ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଜାରି ହୋଇଛି ।  ସକାଳ ୯ଟା ସୁଦ୍ଧା ୮.୫% ମତଦାନ ହୋଇଥିବା ନେଇ ସିଇଓ ସୂଚନା ଦେଇଛନ୍ତି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ଣ ୪ଟା ଯାଏଁ ଭୋଟ ଗ୍ରହଣ କରାଯିବ । ମତଦାନ ଆରମ୍ଭରୁ ମାତ୍ର କିଛି ବୁଥରେ ସମାନ୍ୟ ଇଭିଏମ୍‌ ତ୍ରୁଟି ଦେଖାଦେଇଥିଲା । ପରେ ସମସ୍ତ ବୁଥରେ ସ୍ୱାଭାବିକ ଭାବେ ମତଦାନ ହେଉଛି । ଉପ ନିର୍ବାଚନ ପାଇଁ ମୋଟ୍‌ ୩୧୯ ବୁଥର ବ୍ୟବସ୍ଥା ହୋଇଛି ।

ସେଥିମଧ୍ୟରୁ ୩୦୬ଟିର ନାମ ପରିବର୍ତ୍ତନ କରାଯାଇଛି । ୧୫ଟି ମଡେଲ ବୁଥ ଏବଂ ୬ଟି ପିଙ୍କ ବୁଥ ବ୍ୟବସ୍ଥା କରିଛି ପ୍ରଶାସନ। ତାହାସହ ମଡେଲ ବୁଥ ଗୁଡିକରେ ପାନୀୟ ଜଳ, ସ୍ବତନ୍ତ୍ର ଧାଡି, ରାମ୍ପ ବ୍ୟବସ୍ଥା ହୋଇଥିବା ବେଳେ ସହରାଞ୍ଚଳ ଗୁଡିକରେ ପିଙ୍କ ବୁଥ କରାଯାଇଛି। ଭୋଟ୍‌ ଦେବାକୁ ଉତ୍ସାହର ସହ ଭୋଟର ମାନେ ଧାଡ଼ିରେ ଛିଡ଼ା ହୋଇ ଭୋଟ୍‌ ଦେଉଛନ୍ତି ।

ତାଲିମପ୍ରାପ୍ତ ମହିଳା ପୁଲିଂ ଅଧିକାରୀ ପିଙ୍କ ବୁଥରେ ନିୟୋଜିତ ହୋଇଛନ୍ତି। ୭୯ ସମ୍ବେଦନଶୀଳ ବୁଥ ଉପରେ ନଜର ରଖାଯାଇଛି। ୧୨୦ ବୁଥରେ ୱେବକାଷ୍ଟିଂ, ୬୭ ବୁଥରେ ସିସିଟିଭି ବ୍ୟବସ୍ଥା ହୋଇଛି । ମୋଟ୍‌ ୧୨୭୬ ପୁଲିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ବୁଥଠାରୁ ୧୦୦ମିଟର ପରିଧି ମଧ୍ୟରେ କେହି ରହିପାରିବେ ନାହିଁ ବୋଲି ନିର୍ଦେଶ ଦିଆଯାଇଛି । ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତଦାନ ସାବ୍ୟସ୍ତ କରିବେ।

ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୨୯ ହଜାର ୪୯୭ ପୁରୁଷ ଭୋଟର ଥିବାବେଳେ ୧ଲକ୍ଷ ୨୭ ହଜାର ୯୬୫ମହିଳା ଏବଂ ୧୨କିନ୍ନର ଭୋଟର ରହିଛନ୍ତି। ୧୨ଟି ପରିଚୟପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ଭୋଟ ଦେଇପାରିବେ ମତଦାତା। ଭିନ୍ନକ୍ଷମ ଭୋଟରଙ୍କ ପାଇଁ ୮୯ ଅଟୋରିକ୍ସା ଏବଂ ୯୭୭ ଗାଡିର ବ୍ୟବସ୍ଥା ହୋଇଛି । ଅନ୍ୟପଟେ ଆଜି ପାଇଁ ପଦ୍ମପୁର ଅଞ୍ଚଳ ପାଇଁ ସରକାରୀ ଛୁଟି ଘୋଷଣା ହୋଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇ ଥିବାବେଳେ ୧୪୧୩ ପୁଲିସ କର୍ମଚାରୀ ଏବଂ ୯ କମ୍ପାନୀ ସିଆରପିଏଫ ନିୟୋଜିତ ହୋଇଛନ୍ତି।

Comments are closed.