ଗ୍ରାମବାସୀଙ୍କ ଦ୍ୱାରା ବେଆଇନ ବାଲିବୋଝେଇ ଟ୍ରାକ୍ଟର ଜବତ 

0

ବଡ଼ସାହି : ବୁଢ଼ାବଳଙ୍ଗ ନଦୀ ସଂଲଗ୍ନ ଗମ୍ଭାରିଆ ଗ୍ରାମବାସୀ ଅଟକ ରଖିଥିବା ଏକ ବାଲି ବୋଝେଇ ଟ୍ରାକ୍ଟରକୁ ସ୍ଥାନୀୟ ଅତିରିକ୍ତ ତହସିଲଦାର ମାଧବ ଚନ୍ଦ୍ର ବିରୁଆ ଜବତ କରିଛନ୍ତି। ବୁଧବାର ‘ପୁଣି ବଡ଼ସାହିରେ ବାଲି ମାଫିଆ ସକ୍ରିୟ’ ନେଇ ବିସ୍ତୃତ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନଦୀ ସଂଲଗ୍ନ ଗମ୍ଭାରିଆ ଗ୍ରାମ ବେଆଇନ ବାଲି ଉତ୍ତୋଳନ ପାଇଁ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ମାଫିଆ ମାନେ ନଦୀର ଅପରପାର୍ଶ୍ବ ଡ଼ିଙ୍ଗିରା ଘାଟରୁ ଦିନରାତି ବାଲି ଉତ୍ତୋଳନ ପୂର୍ବ ଚାଲାଣ କରୁଥିଲେ। ତେବେ ବୁଧବାର ଗ୍ରାମବାସୀ ଏକ ବାଲି ବୋଝେଇ ଟ୍ରାକ୍ଟର (ନଂ ଓଆର୧୧ଜେ ୧୦୫୩/୫୪)କୁ ଅଟକ ରଖି ତହସିଲ କାର୍ଯ୍ୟାଳୟକୁ ଖବର ଦେଇଥିଲେ। ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ବିରୁଆ ପୁଲିସ୍‍ ସହିତ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରଟିକୁ ଜବତ କରିଥିଲେ। ଟ୍ରାକ୍ଟରଟିର ଦାବିଦାର କେହି ନଆସିବାରୁ ପୁଲିସ୍‍କୁ ହସ୍ତାନ୍ତର କରାଯାଇଛି।

Leave A Reply