ବଡ଼ସାହି ଥାନା:ବଢୁଛି ମାମଲା ସଂଖ୍ୟା କିନ୍ତୁ ବଢୁନି ଭିତ୍ତିଭୂମି

୨୫ଏକର ନିଜସ୍ୱ ଜମି ସତ୍ତ୍ବେ କର୍ମଚାରୀଙ୍କ ପାଇଁ କ୍ୱାଟର ଅଭାବ

ବଡ଼ସାହି (ମନୋଜ ପଣ୍ଡା): ମୟୂରଭଞ୍ଜ ଜିଲାର ସର୍ବ ବୃହତ୍ତ ଥାନା ବର୍ତ୍ତମାନ ସମସ୍ୟା ଘେରରେ। ସରକାର ୫-ଟି ଜରିଆରେ ଜନସାଧାରଣଙ୍କୁ ନ୍ୟାୟ ଦେବା ପାଇଁ ଯୋଜନା ପ୍ରଣୟନ କରୁଥିବା ବେଳେ ସମସ୍ୟା ଘେରରେ ରହିଛି ବଡସାହି ଥାନା। ଏହି ଥାନା ଅଧୀନରେ ରହିଛି ବଡ଼ସାହି ବ୍ଲକର ୨୭ଟି ପଞ୍ଚାୟତ। ୨୪୧.୩ବର୍ଗ କିମି ପରିଧି ମଧ୍ୟରେ ଥିବା ଥାନା ସୀମା ଶିମିଳିପାଳ ପାଦଦେଶରୁ ପଡ଼ୋଶୀ ବାଲେଶ୍ୱର ଜିଲା ପର୍ୟ୍ୟନ୍ତ ପରିବ୍ୟାପ୍ତ । ଜିଲାର ସୀମାନ୍ତ ଥାନା ହୋଇଥିବାରୁ ଅପରାଧୀକ କାର୍ୟ୍ୟକଳାପ ଏଠାରେ ଅଧିକ କିନ୍ତୁ ଆବଶ୍ୟକ ଭିତ୍ତିଭୂମି ବିକାଶର ଅଭାବ ସାଙ୍ଗକୁ କର୍ମଚାରୀ ମରୁଡ଼ି ପାଇଁ ଥାନା ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ।

ଥାନା କାର୍ୟ୍ୟାଳୟ ଓ ମହିଳା-ଶିଶୁ ଡ଼େସ୍କ କୋଠାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଗୃହ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଫାଇଲିନ ଓ ଫଣି ପରି ବାତ୍ୟାରେ ବିଶାଳ ଗଛ ପଡ଼ି କର୍ମଚାରୀଙ୍କ କ୍ୱାଟର ମଧ୍ୟ ଭାଙ୍ଗିରୁଜି ଯାଇଥିଲା। ଥାନାର ପୁରୁଣା କାର୍ୟ୍ୟାଳୟ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ବସବାସ ପାଇଁ ଅନୁପଯୁକ୍ତ ହୋଇ ପଡିରହିଛି। କ୍ୱାଟର ଅଭାବ ପାଇଁ ଅନେକ କର୍ମଚାରୀ ଏହି ଥାନାକୁ ବଦଳି ହୋଇ ଆସିବାକୁ ଅମଙ୍ଗ ହେଉଛନ୍ତି। ଯଦି ବି କେହି ଆସିଲେ ଭିତ୍ତିଭୂମି ସଠିକ ନଥିବାରୁ ଦୀର୍ଘ ଦିନ ବିଭିନ୍ନ ବାହାନା ଦେଖାଇ ଛୁଟିରେ ରହୁଛନ୍ତି। ସୀମିତ କର୍ମଚାରୀଙ୍କୁ ନେଇ ଅପରାଧ ନିୟନ୍ତ୍ରଣ ସମସ୍ୟା ସୃଷ୍ଟି କରୁଛି। ବିଗତ ୩ବର୍ଷରେ ଥାନାରେ ରୁଜୁ ମାମଲା ସଂଖ୍ୟା ବିଚାରକୁ କଲେ ୨୦୧୭ ମସିହାରେ ୧୧୩ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୮ ଓ ୨୦୧୯ମସିହାରେ ଯଥାକ୍ରମେ ୧୯୩ ଓ ୧୬୫ଟି ମାମଲା ରୁଜୁ ହୋଇଛି। ଏହି ମାମଲା ଗୁଡ଼ିକର ତଦନ୍ତ ପୂର୍ବକ ଆବଶ୍ୟକ ରିପୋର୍ଟ ଯଥା ସମୟରେ କୋର୍ଟରେ ଉପସ୍ଥାପନ ହେଉ ନଥିବାରୁ ତାହା ଅପରାଧି ମାନଙ୍କୁ ସୁହାଉଛି। ଫଳରେ ନ୍ୟାୟ ପାଇଁ ଅପେକ୍ଷାରେ ଥିବା ଅଭିଯୋଗକାରୀ ଓ ସେମାନଙ୍କ ପରିବାର ନ୍ୟାୟରୁ ବଞ୍ଚିତ ରହୁଛନ୍ତି।

ଯାହା କି ୫-ଟି ଭଳି ଯୋଜନାର ପ୍ରଣୟନର ବିଶ୍ୱସନୀୟତା ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହପରି ଏହି ଥାନା ଅଧୀନ ଶିମିଳିପାଳ ପାଦଦେଶରେ ଅପରାଧ ନିୟନ୍ତ୍ରଣ ପାଇଁ ବଡ଼ସାହିରୁ ପୁଲିସ୍ ଯାଇ ପହଞ୍ଚିବା ସମୟ ସାପେକ୍ଷ ଥିବାରୁ ସାନକେରକୋ, ଟଙ୍ଗାଶୋଳ, ଗୁଡ଼ିଆଲବନ୍ଧ, ନାଉପାଳ, ପୂର୍ଣ୍ଣଚନ୍ଦ୍ରପୁର, ଖାନୁଆ, ଜାରକାଣୀ ଓ ଯଦୁନାଥପୁର ୮ଟି ପଞ୍ଚାୟତକୁ ନେଇ ସାନକେରକ ଠାରେ ଏକ ଫାଣ୍ଡି ପ୍ରତିଷ୍ଠା ପାଇଁ ଦାବି ହେଉଛି।

Comments are closed.