ପୁଅକୁ ପଥରରେ ଛେଚି ହତ୍ୟା କଲା ବାପା

ବଡ଼ସାହି: ଗୁରୁବାର ରାତିରେ ମୟୂରଭଞ୍ଜ ଜିଲା ଅନ୍ତର୍ଗତ ବଡ଼ସାହି ଥାନା ଅଧୀନ ଯଦୁନାଥପୁର ପଞ୍ଚାୟତର ବେଲଡୁଙ୍ଗୁରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। କ୍ରୋଧର ବଶବର୍ତ୍ତୀ ହୋଇ ଜଣେ ବାପା’ ନିଜର ୫ବର୍ଷର ପୁଅକୁ ପଥରରେ ଛେଚି ହତ୍ୟା କରିଥିବା ଜଣାପଡ଼ିଛି। ବଡ଼ସାହି ପୁଲିସ ଅଭିଯୁକ୍ତ ବାପାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ଗିରଫ ପରେ କୋର୍ଟ ଚାଲାଣ କରିଛି।

ପୁଲିସ ପୁଅର ମୃତ ଦେହକୁ ଶବବ୍ୟବଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ଅଭିଯୋଗକାରୀ ସନାତନ ମହାନ୍ତଙ୍କ ଏତଲାରୁ ପ୍ରକାଶ ଯେ, କୁଳିଅଣା ଥାନା ଅଧୀନ ବାଲିଡିହା ଗ୍ରାମର ଚେପ ଦେହୁରୀଙ୍କ ପତ୍ନୀ, ପୁଅ ଓ ଝିଅକୁ ନେଇ ତାଙ୍କ ବାପଘର ବେଲଡ଼ୁଙ୍ଗୁରି ଗ୍ରାମର ବନମାଳୀ ଦେହୁରୀଙ୍କ ଘରେ ରହନ୍ତି। ଚେପ ମଧ୍ୟ ଅଧିକାଂଶ ଦିନ ଆସି ଶ୍ୱଶୁର ଘରେ ରହନ୍ତି। ତେବେ ଗୁରୁବାର ସକାଳେ ସେ ଆସି ପହଞ୍ଚିବା ପରେ ସ୍ତ୍ରୀ ଓ ଝିଅକୁ ପାଇନଥିଲେ। ଦିନତମାମ ଅପେକ୍ଷା ସତ୍ତ୍ବେ ସେମାନେ ଘରକୁ ନଫେରିବାରୁ କ୍ରୋଧରେ ଜର୍ଜରିତ ହୋଇ ରାତି ୨ଟାରେ ଅମାନୁଷିକ କାଣ୍ଡ ଭିଆଇଥିଲେ। ରାତିରେ ଆଈ କୋଳରେ ଶୋଇଥିବା ୫ବର୍ଷର ପୁଅକୁ ଘୋଷାଡ଼ି ଆଣି ମୁଣ୍ଡକୁ ପଥରରେ ଛେଚିଥିଲେ। ମରିଯିବା ଜାଣି ବାହରକୁ ପିଙ୍ଗିବା ପୂର୍ବରୁ ଖବର ପ୍ରଚାରିତ ହେବା ପରେ ତାଙ୍କୁ ଗ୍ରାମବାସୀ ବାନ୍ଧି ଥାନାକୁ ଜଣାଇଥିଲେ। ସୂଚନା ପାଇ ଥାନାଧିକାରୀ ଗୋପାଲ କୁମାର କର୍ଣ୍ଣ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ହତ୍ୟାକାଣ୍ଡ ଭିଆଇଥିବା ଚେପ ଦେହୁରୀଙ୍କ ଗିରଫ କରି ଥାନାକୁ ଆଣିଥିଲେ ଓ ଏହାପରେ କୋର୍ଟ ଚାଲାଣ କରିଥିଲେ।

Comments are closed.