ସଂକ୍ରମଣ ରୋକିବା ପାଇଁ ୫ଦିନ ବଡ଼ସାହି ବଜାର ବନ୍ଦ ନିଷ୍କତ୍ତିି:ସମସ୍ତ ଦୋକାନୀ କରିବେ ନିଜର କୋଭିଡ଼ ପରୀକ୍ଷା

ବଡ଼ସାହି: ମୟୂରଭଞ୍ଜ ଜିଲାରେ ୨୬ଟି ବ୍ଲକ ମଧ୍ୟରୁ ବଡ଼ସାହି ବ୍ଲକରେ ସର୍ବାଧିକ ୭୦୨ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି। ସେହିପରି ବଡ଼ସାହି ବ୍ଲକର ୩୦ଟି ପଞ୍ଚାୟତ ମଧ୍ୟରୁ ବଡ଼ସାହି ପଞ୍ଚାୟତର ସଂକ୍ରମିତଙ୍କ ସଂଖ୍ୟା(୧୨୨) ସର୍ବାଧିକ ଅଟେ। ବ୍ଲକର ମୁଖ୍ୟାଳୟ ହେଇଥିବାରୁ ବଡ଼ସାହିକୁ ସବୁ ପଞ୍ଚାୟତରୁ ଜନସାଧାରଣ ପ୍ରତ୍ୟେହ ଆସୁଥିବାରୁ ସଂକ୍ରମଣ ହାର ଦ୍ରୁତ ବୃଦ୍ଧି ପାଇଛି। ତାଲାବନ୍ଦ କଟକଣା ପ୍ରତ୍ୟାହାର ପରେ କେହି ସାମାଜିକ ଦୂରତା ମାନୁ ନଥିବାରୁ ସଂକ୍ରମଣ ରୋକିବା ଅସମ୍ଭବ ହୋଇଛି। ସରକାରୀ କାର୍ଯ୍ୟାଳୟର କର୍ମଚାରୀ ସଂକ୍ରମିତ ହୋଇଥିବା ବେଳେ ଦୋକାନୀ ଓ ସେମାନଙ୍କ ପରିବାର ସଦସ୍ୟ ସଂକ୍ରମିତ ବର୍ତ୍ତମାନ ମୁଣ୍ଡବ୍ୟଥା ପାଲଟିଛି। ଏହାକୁ ଦେଖି ଗୁରୁବାର ବଡ଼ସାହି ବଜାରର ବଣିକ ସଂଘ ପକ୍ଷରୁ ଜରୁରୀ ବୈଠକ ଆଗତ କରାଯାଇଥିଲା। ସଭାପତି ରବିନ୍ଦ୍ରନାଥ ବେହେରା ଓ ସମ୍ପାଦକ ସନ୍ୟାସୀ କୁମାର ଦାସ ସମସ୍ତ ସଦସ୍ୟ/ସଦସ୍ୟାଙ୍କ ସହିତ ଆଲୋଚନା ପରେ ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହୋଇଥିଲା। ୨୬ତାରିଖ ଶନିବାର ଠାରୁ ୩୦ତାରିଖ ବୁଧବାର ପର୍ଯ୍ୟନ୍ତ ୫ଦିନ ବଜାରରେ ଔଷଧ ଦୋକାନକୁ ଛାଡ଼ି ସମସ୍ତ ଦୋକାନ ବନ୍ଦ ରହିବ। ସେହିପରି ୧ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ଦୋକାନ ଗୁଡ଼ିକ ସକାଳ ୬ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ବଡ଼ସାହି ସାପ୍ତାହିକ ହାଟ ମଧ୍ୟ ୧ତାରିଖ ପାଖରୁ ବନ୍ଦ ରହିବା ସାଙ୍ଗକୁ ତାଲାବନ୍ଦ ସମୟ ଭଳି ତହସିଲ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ କେବଳ ପନିପରିବା ଦୋକାନୀ ସାମାଜିକ ଦୂରତା ରକ୍ଷା କରି ସକାଳ ସମୟରେ ବିକ୍ରିବଟା କରିପାରିବେ ବୋଲି ସର୍ବ ସମ୍ମତି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସବୁଠାରୁ ଉଲ୍ଲେଖନୀୟ ଗୃହୀତ ପ୍ରସ୍ତାବ ମଧ୍ୟରେ ବଜାର କମିଟିର ସମସ୍ତ ସଦସ୍ୟ/ସଦସ୍ୟା ୧ତାରିଖ ମଧ୍ୟରେ ନିଜନିଜର କୋଭିଡ଼ ପରୀକ୍ଷା କରିନେବେ ବୋଲି କୁହାଯାଇଛି।
ଗୁରୁବାର ବଡ଼ସାହି ବ୍ଲକରୁ ପୁଣି ୩୬ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହେବା ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୦୨ରେ ପହଞ୍ଚିଛି। ଯାହାକି ମୟୂରଭଞ୍ଜ ଜିଲାରେ ଯେ କୌଣସି ବ୍ଲକର ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ସର୍ବାଧିକ ରହିଛି। ଆଜିର ୩୬ଜଣ ସଂକ୍ରମିତଙ୍କ ମଧ୍ୟରୁ ଦେଉଳିଆ ପଞ୍ଚାୟତର ବଇଁଚା ଗ୍ରାମରୁ ସର୍ବାଧିକ ୧୧ଜଣ ଚିହ୍ନଟ ହୋଇଛନ୍ତି। ଗ୍ରାମରେ ୪୪ଜଣଙ୍କ ଆଣ୍ଟିଜେନ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ସେହିପରି ବଡ଼ସାହି ପଞ୍ଚାୟତରୁ ୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମାଣତ୍ରୀରୁ ୬ଜଣ, ବୀରେଶ୍ୱରପୁରରୁ ୩ଜଣ ଓ ନାଉପାଳରୁ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତତ୍‍ସହିତ ମାଧପୁର, କେନ୍ଦୁଡ଼ିହା, ପଟିସାରୀ, ଜାରକାଣୀ ଓ ଯୋଗୀନୂଆଗାଁ ପଞ୍ଚାୟତରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଫଳରେ ପଞ୍ଚାୟତୱାରୀ ଚିହ୍ନଟ ସଂଖ୍ୟା ଭିତ୍ତିରେ ଗୁରୁବାର ପର୍ଯ୍ୟନ୍ତ ବଡ଼ସାହିରୁ ସର୍ବାଧିକ ୧୨୨ଜଣ ଚିହ୍ନଟ ହୋଇଥିବା ବେଳେ ମାଣତ୍ରୀରୁ ୬୨, ମାନଗୋବିନ୍ଦପୁରରୁ ୪୯, ସାନକେରକୋରୁ ୪୨, କେନ୍ଦୁଡ଼ିହାରୁ ୩୩, ଯୋଗୀନୂଆଗାଁରୁ ୩୧, ଦେଉଳିଆରୁ ୨୮, ଦୁର୍ଗାପୁରରୁ ୨୬, ଚନ୍ଦନପୁରରୁ ୨୫, ବଳଭଦ୍ରପୁର ଓ ଖାନୁଆରୁ ୨୦ଜଣ ଲେଖାଏଁ, ତାଳପଦା ଓ କୋଚିଳାଖୁଣ୍ଟାରୁ ୧୯ଜଣ ଲେଖାଏଁ, ଭୀମିଦାରୁ ୧୮, ନାଉପାଳ ଓ ଗୁଡ଼ିଆଲବନ୍ଧରୁ ୧୭ଜଣ ଲେଖାଏଁ, ପଟିସାରୀ ଓ ମାଧପୁରରୁ ୧୫ଜଣ ଲେଖାଏଁ, ଜାରକାଣୀ ଓ ସୁହାଗପୁରରୁ ୧୪ଜଣ ଲେଖାଏଁ, ପୂର୍ଣ୍ଣଚନ୍ଦ୍ରପୁର ଓ ଶାଳଗାଁରୁ ୧୩ଜଣ ଲେଖାଏଁ, ପ୍ରତାପପୁର ଓ ପାଉଁଶିଆରୁ ୧୨ଜଣ ଲେଖାଏଁ, ବୀରେଶ୍ୱରପୁର ଓ ଛେଳିଆ(କ)ରୁ ୧୦ଜଣ ଲେଖାଏଁ, ଯଦୁନାଥପୁରରୁ ୯, ଶିଆଳିଘାଟୀରୁ ୪, ଟଙ୍ଗାଶୋଳରୁ ୩ ଏବଂ ଉଠାଣୀନୂଆଗାଁ ପଞ୍ଚାୟତରୁ ଜଣେ ସଂକ୍ରମିତ ଏଯାଏଁ ଚିହ୍ନଟ ହୋଇଛନ୍ତି।

Comments are closed.