ବଡସାହି: ପ୍ଲାଜମା ଦାନ ପାଇଁ ୧୯ଜଣଙ୍କୁ ମିଳିଲାଣି ସ୍ୱୀକୃତି

ବଡ଼ସାହି: ପ୍ରତିଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଟିଳ ରୋଗୀଙ୍କ ପାଇଁ ପ୍ଲାଜମା ଥେରାପିର ବ୍ୟବହାର ଫଳପ୍ରଦ ହେଉଥିବାରୁ ଏହା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଆରୋପ କରିଛନ୍ତି। ରାଜ୍ୟରେ ପ୍ରତ୍ୟେକ ଜିଲାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତ ମାନଙ୍କୁ ଏ ସମ୍ପର୍କରେ ସଚେତନ କରି ତାଙ୍କ ଠାରୁ ପ୍ଲାଜମା ସଂଗ୍ରହ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲାର ଦାୟିତ୍ୱ ପ୍ରଦାନ କରିଛନ୍ତି। ମୟୁରଭଞ୍ଜ ଜିଲାରେ ପଞ୍ଚାୟତରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଦାୟିତ୍ୱରେ ଥିବାବେଳେ ଜିଲା ଗସ୍ତରେ ଆସି ବିଭିନ୍ନ ବ୍ଲକର ସ୍ୱେଚ୍ଛାସେବୀ ମାନଙ୍କ ସହିତ ଆଲୋଚନା କରି ତା’ର କାର୍ଯ୍ୟଶୈଳୀ ଉପରେ ସଚେତନ କରିଥିଲେ। ପ୍ଲାଜମା ସଂଗ୍ରହର ନିୟମାବଳୀକୁ ଦୃଷ୍ଟିରେ ରଖି କିପରି ଅଧିକରୁ ଅଧିକ ସଂଗୃହିତ ହୋଇ ପାରିବ ତାହା ଉପରେ ଗୁରୁତ୍ୱ ଅରୋପ କରିଛନ୍ତି। ବଡ଼ସାହି ନିର୍ବାଚନ ମଣ୍ଡଳୀ ପକ୍ଷରୁ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ଓ ବଡ଼ସାହି ବ୍ଲକ ବିଜେଡ଼ି ଯୁବ ସଭାପତି ନିହାର ରଞ୍ଜନ ମହାପାତ୍ର ବ୍ଲକରୁ ସୁସ୍ଥ ହୋଇଥିବା ୪୬ ଜଣ ଆକ୍ରାନ୍ତଙ୍କୁ ଭେଟି ସେମାନଙ୍କୁ ସଚେତନ କରିବା ସହିତ ସେମାନଙ୍କୁ ପ୍ଲାଜମା ଦାନ ପାଇଁ ପ୍ରବର୍ତ୍ତାଇ ଥିବାର ଜଣାଯାଇଛି। ସେମାନେ ଅଦ୍ୟାବଧି ବଡସାହି ବ୍ଲକରୁ ୧୩ଟି, ବେତନଟୀ ବ୍ଲକ୍‍ରୁ ୩ଟି ଓ ବଡ଼ସାହିର ୪ ଜଣ କରୋନା ଯୋଦ୍ଧାଙ୍କୁ ମିଶାଇ ମୋଟ ୧୯ ଜଣଙ୍କର ସ୍ୱୀକୃତିପତ୍ର ମାନ୍ୟବର ମନ୍ତ୍ରୀଙ୍କ ନିକଟରେ ଦାଖଲ କରିଛନ୍ତିି।

ଏହି ସଂଖ୍ୟାକୁ ଆହୁରି ବୃଦ୍ଧି କରାଯିବ ବୋଲି ପୂର୍ବତନ ବିଧାୟକ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ପ୍ଲାଜମା ଦାନ ପାଇଁ କରୋନା ଆକ୍ରାନ୍ତ ପରେ ସୁସ୍ଥ ହୋଇଥିବା ଦାତାଙ୍କ ବୟସ ୧୮ରୁ ୬୦ ମଧ୍ୟରେ ହୋଇଥିବା ବେଳେ ଶରୀର ଓଜନ ୫୫ କିଗ୍ରାରୁ ଊର୍ଦ୍ଧ୍ବି ରହିବା ଜରୁରୀ। ସେହିପରି ପ୍ଲାଜମା ଦାନ କରୁଥିବା ବ୍ୟକ୍ତିଙ୍କର ଡାଇବେଟିସ, ରକ୍ତଚାପ, ହାଇପରଟେନସର, କ୍ୟାନସର, କ୍ରନିକ ଡିଜିଜ ଯଥା କିଡନି, ହାର୍ଟ ଓ ଲଙ୍ଗସ୍‍ ରୋଗ ନ ଥିବା ଆବଶ୍ୟକ। ଗର୍ଭବତୀ ଓ ଛୋଟ ପିଲା ଥିବା ମହିଳାମାନେ ପ୍ଲଜମା ଦାନ କରି ପାରିବେ ନାହିଁ ବୋଲି ଜଣାଯାଇଛି। ମାନବ ସେବା ହିଁ ମାଧବ ସେବା ହୋଇଥିବାରୁ ଅନ୍ୟ ସୁସ୍ଥ ଆକ୍ରାନ୍ତ ମାନେ ମଧ୍ୟ ପ୍ଲାଜମା ଦାନ କରିବାକୁ ଆଗେଇ ଆସିବାକୁ ଶ୍ରୀ ପାତ୍ର ନିବେଦନ କରିଛନ୍ତି।

Comments are closed.