ବଡ଼ଭାଇର ଠେଙ୍ଗା ମାଡ଼ରେ ସାନଭାଇ ମୃତ

ବଡ଼ସାହି : ବଡ଼ଭାଇ ଠେଙ୍ଗା ମାଡ଼ରେ ଗୁରୁତର ସାନଭାଇର ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଦେଉଳିଆ ପଞ୍ଚାୟତ ମଜୁରାସାହି ଗ୍ରାମର ଟେରା ସିଂ(୫୫)। ବଡ଼ସାହି ପୁଲିସ୍‍ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ବଡ଼ଭାଇ ହାଗ ସିଂ(୫୮)କୁ ଗିରଫ କରିଛି।

ସୂଚନା ଅନୁସାରେ, ଗତ ଶନିବାର ଦିନ ଘରେ ଦୁଇଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ବଡ଼ଭାଇ ଏକ ଠେଙ୍ଗାରେ ସାନଭାଇ ମୁଣ୍ଡକୁ ବାଡ଼େଇ ଦେବାରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ତାଙ୍କୁ ପ୍ରଥମେ ବଡ଼ସାହି ଡ଼ାକ୍ତରଖାନା ପରେ ବାରିପଦା ମେଡ଼ିକାଲକୁ ନିଆଯାଇଥିଲା। ପତ୍ନୀ ତାଙ୍କୁ ଜଗି ଥିବା ବେଳେ ଆହାତ ଟେରା ମଙ୍ଗଳବାର ପୂର୍ବାହ୍ଣରେ ସେଠାରୁ ପଳାଇଯାଇଥିଲେ। ରାସ୍ତା ପାର୍ଶ୍ବରେ ସେ ପଡ଼ିଥିବା ବେଳେ ୧୦୮ ଆମ୍ବୁଲାନ୍ସ ଚାଳକ ଉଦ୍ଧାର କରି ପୁଣି ଡ଼ାକ୍ତରଖାନାକୁ ନେଇଥିଲେ। ତେବେ ଅପରାହ୍ଣରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଗ୍ରାମବାସୀ ଅଭିଯୁକ୍ତକୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ପୁଲିସ୍‍ ଠେଙ୍ଗାକୁ ଜବତ କରି ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୁରୁବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଜୟନ୍ତ କୁମାର ବେହେରା କହିଛନ୍ତି।

Comments are closed.