ଜାତୀୟ ରାଜପଥ ଟୋଲଗେଟ ଶୁଳ୍କ ମୟୁରଭଞ୍ଜବାସୀଙ୍କ ପାଇଁ କୋହଳ ଦାବି

ବଡ଼ସାହି(ମନୋଜ ପଣ୍ଡା) : ଜାତୀୟ ରାଜପଥ ୫ନଂ (ବର୍ତ୍ତମାନ ୧୮ନଂ) ଝାରପୋଖରିଆ-ନହରପାଟଣା ଦୋହରିକରଣ ପ୍ରକ୍ରିୟା ବର୍ତ୍ତମାନ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ୮୧କିମିରୁ ଊର୍ଦ୍ଧ୍ବ ଏହି ରାଜପଥର ରାସ୍ତା କାର୍ଯ୍ୟ ସରିଥିବା ବେଳେ ବୈଶିଙ୍ଗା ଓ ବେତନଟୀ ଠାରେ ଗଳାପୋଲ(ଅଣ୍ଡରପାସ), ପାଲବଣି, ତଖତପୁର, ଦାରଗାଡ଼ାହି ଓ ମୁର୍ଗାବାଡ଼ି ଠାରେ ଉଡ଼ନ୍ତା ପୋଲ(ପ୍ଲାଏ ଓଭର) ଓ ଆଗ୍ରିଆ, କେସିପୁର, ପାଲବଣି, ଦାମଦୋରପୁର ଏବଂ ବୁଡାମରା ଠାରେ ରେଲୱେ ଓଭରବ୍ରିଜ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ଆଇରନ ଟ୍ରାଇଏଙ୍ଗଲ ସଂସ୍ଥା ପକ୍ଷରୁ ଏହି କାର୍ଯ୍ୟ କରାଯାଉଥିବା ବେଳେ ବର୍ତ୍ତମାନ ୮୦ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ନିୟମ ଅନୁଯାୟୀ ଭାରତ ସରକାରଙ୍କ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଉକ୍ତ ରାଜପଥରୁ ଟୋଲଗେଟ ମାଧ୍ୟମରେ ଶୁକ୍କ ଆଦାୟ କରିପାରିବେ। ଏଥିପାଇଁ ଏହି ରାଜପଥର କୁଳିଅଣା ନିକଟ ଶୁକୁଆପଡ଼ା(୧୨.୯୦୦କିମି ) ଠାରେ ଓ ବୈଶିଙ୍ଗା ନିକଟ ପଦ୍ମଲାଭପୁର(୭୩.୪୩୮କିମି) ଠାରେ ଦୁଇଟି ସ୍ଥାନରେ ଟୋଲଗେଟ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ସମ୍ଭବତଃ ଅପ୍ରେଲ ମାସରୁ ଟୋଲ ଗେଟ ଶୁଳ୍କ ଆଦାୟ ଶୁଭାରମ୍ଭ ହେବା ନେଇ ପ୍ରସ୍ତୁତିରୁ ଜଣାପଡ଼ିଲାଣି। ଉଭୟ ଟୋଲଗେଟର ୨୦କିମି ପରିସୀମାରେ ଥିବା ଜନସାଧାରଣ ମାସିକିଆ ଏକକାଳୀନ ୧୯୦ଟଙ୍କା ଶୁଳ୍କ ଦେଇ ଯାତାୟାତ କରିପାରିବେ ବୋଲି ଫଳକରେ ସୂଚନା ଦିଆ ସରିଲାଣି। ଭାରତୀୟ ପ୍ରତିରକ୍ଷା ଯାନ, ସଶସ୍ତ୍ର ବଳ ଯାନ, ଅର୍ଦ୍ଧ ସାମରିକ ବଳ ଓ ପୁଲିସ୍‍ ଯାନ, କାର୍ଯ୍ୟକାରୀ ବିଚାରପତିଙ୍କ ଯାନ, ଅଗ୍ନିଶମ ଯାନ, ରାଜମାର୍ଗ ପାଇଁ ନିୟୋଜିତ ଯାନ, ରୋଗୀ ସେବା ଯାନ, ଶବ ବାହନ, ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ନିର୍ମିତ ଶୁଳ୍କ ମୁକ୍ତ ଯାନ ପରିବର୍ତ୍ତେ ଅନ୍ୟ ଯାନବାହାନ ପାଇଁ କର୍ତ୍ତୃପକ୍ଷ ଧାର୍ଯ୍ୟ ଦର ଉଲ୍ଲେଖ କରିନଥିଲେ ହେଁ ଗୋଟିଏ ଜିଲାରେ ୨-୨ଟି ଟୋଲଗେଟ ହେଉଥିବାରୁ ଶୁଳ୍କ ପରିମାଣ କୋହଳ ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ଆରମ୍ଭ ହେଲାଣି। ଜାତୀୟ ରାଜପଥ ନିୟମାନୁଯାୟୀ ଅତିକମରେ ୬୦କିମି ଦୂରତାରେ ଗୋଟିଏ ଲେଖାଏଁ ଟୋଲଗେଟ ସ୍ଥାପନ ହୋଇପାରିବ। ମାତ୍ର ପରିତାପର ବିଷୟ ଜାତୀୟ ରାଜପଥ ୧୮ର ପଦ୍ମଲାଭପୁର(ବୈଶିଙ୍ଗା) ଟୋଲଗେଟ ଠାରୁ ଜାତୀୟ ରାଜପଥ ୧୬ର ଶେରଗଡ଼ ଟୋଲଗେଟ ଦୂରତ୍ୱ ୨୦କିମି। ମୟୁରଭଞ୍ଜ ଜିଲାବାସୀ ଏହି ରାସ୍ତାରେ ଯାତାୟତ ପାଇଁ ୨୦କିମି ଦୂରତ୍ୱରେ ୨-୨ଥର ଟୋଲଗେଟ ଶୁଳ୍କ ଦେବେ। ଯାହାକି ଜିଲାବାସୀଙ୍କ ପାଇଁ ଏକ ପ୍ରକାରର ଶୋଷଣ। ଭାରତ ସରକାରଙ୍କ ଜାତୀୟ ରାଜପଥ କର୍ତ୍ତୃପକ୍ଷ ମୁଖ୍ୟ ପରିଚାଳକ(ବୈଷୟିକ) ତଥା ପ୍ରକଳ୍ପ ନିର୍ଦେଶକ ନାଗେଶ୍ୱର ରାଓଙ୍କ କହିବା ଅନୁଯାୟୀ ଅଦ୍ୟାବଧି ଗେଜେଟ ପ୍ରକାଶ ପାଇ ନଥିବାରୁ ଯାନ ପ୍ରତି ଶୁଳ୍କର ପରିମାଣ ଓ ଟୋଲ ଆଦାୟ ତାରିଖ ଜଣାପଡ଼ିନାହିଁ। ଶେରଗଡ଼ ଓ ପଦ୍ମଲାଭପୁର ଗେଟ୍‍ ଜାତୀୟ ରାଜପଥର ଭିନ୍ନ ଭିନ୍ନ (୧୮ନଂ ଓ ୧୬ନଂ) ଅଂଶରେ ଥିବାରୁ ୬୦କିମି ଦୂରତା ନିୟମ ପ୍ରଜୁଯ୍ୟ ହେଉନାହିଁ ବୋଲି କହିଛନ୍ତି। ତେବେ ଟୋଲଗେଟ ସ୍ଥାନ ନିରୁପଣ ସମୟରେ ପଦ୍ମଲାଭପୁର ପରିବର୍ତ୍ତେ ଶେରଗଡ଼ ଠାରୁ ୬୦ କିମି ଦୂରରେ ଗେଟ୍ ପାଇଁ ସ୍ଥାନ ନିରୁପଣ କରାଯାଇଥିଲେ ଉଚିତ ହୋଇଥାନ୍ତା ବୋଲି ପୂର୍ବତନ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର କହିଛନ୍ତି। ବଡ଼ସାହି ବିଧାୟକ ସନାତନ ବିଜୁଳି ସମସ୍ତଙ୍କୁ ସୁହାଇବା ପରି ଟୋଲ ଶୁଳ୍କ ଧାର୍ଯ୍ୟ ପାଇଁ ରାଜପଥ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ବେତନଟୀ-ବଡ଼ସାହି-ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକକୁ ନେଇ ଗଠିତ ବିକାଶ ମଞ୍ଚର ଆବାହକ ହରିଶ୍ଚନ୍ଦ୍ର ନନ୍ଦଗୋସ୍ୱାମୀ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମୁଖ୍ୟ ପରିଚାଳକ ଓ ମୟୁରଭଞ୍ଜ ଏବଂ ବାଲେଶ୍ୱର ସାଂସଦଙ୍କୁ ଭେଟି ତାଙ୍କ ଜରିଆରେ ଟୋଲଗେଟ୍‍ ଶୁଳ୍କ ପରିମାଣ କୋହଳ ପାଇଁ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ଓ ସଚିବଙ୍କ ଉଦେଶ୍ୟରେ ପୃଥକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି।

Comments
Loading...