୪ଟି ଚୋରା ଭ୍ୟାନ ଜବତ, ୨କାଠ ବ୍ୟବସାୟୀ ଅଟକ

ବଡ଼ସାହି : ବାଲେଶ୍ୱର ଶିଳ୍ପାଞ୍ଚଳ ପୁଲିସ୍‍ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇ ବେତନଟୀ ଓ ବଡ଼ସାହି ଥାନା ଇଲାକାରୁ ୪ଟି ପିକଅପ୍‍ ଭ୍ୟାନ ଜବତ କରାଯାଇଛି। ଏହି ଭ୍ୟାନଗୁଡ଼ିକ ଚୋରି ହୋଇଥିବା ବେଳେ କାଠ ବ୍ୟବସାୟରେ ବିନିଯୋଗ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୨ଜଣ ଯୁବ କାଠ ବ୍ୟବସାୟୀଙ୍କୁ ପୁଲିସ୍ ଥାନାରେ ଅଟକ ରଖି ତଦନ୍ତ ପାଇଁ ଅଧିକ ପଚରା ଉଚୁରା ଜାରି ରହିଥିବା ଜଣାପଡ଼ିଛି। ଶୁଖିଲାହାର ଗ୍ରାମର ଅଟକ ଥିବା କାଠ ବ୍ୟବସାୟୀଙ୍କ ନିକଟରୁ ୨ଟି ଭ୍ୟାନ ଜବତ ହୋଇଥିବା ବେଳେ ବଡ଼ସାହି ଥାନା ତେନ୍ତୋଳ ଗ୍ରାମର କାଠବ୍ୟବସାୟୀଙ୍କ ନିକଟରୁ ଗୋଟିଏ ଓ ଅନ୍ୟ ଏକ ସ୍ଥାନରୁ ଗୋଟିଏ ଭ୍ୟାନ ଜବତ ହୋଇଛି। ବ୍ୟବସାୟୀ ଦ୍ୱୟ ପୁରୁଣା ଭ୍ୟାନ ବାଲେଶ୍ୱରରୁ କିଣି ବ୍ୟବସାୟରେ ନିୟୋଜିତ କରିଥିବା ଜଣାପଡ଼ିଛି। ଜାନୁଆରୀ ମାସରେ ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ନିକଟରୁ ଏକ ଫର୍ଣ୍ଣିଚର ବୋଝେଇ ଟ୍ରକ ଅପହରଣ ପରେ ଚୋରାକାଠ ଚାଲାଣରେ ବ୍ୟବହାର କରାଯାଉଥିବା ବେଳେ ନୀଳଗିରି ବନବିଭାଗ ଜବତ କରିଥିଲା। ଆଇନକାନୁନ ଫାଙ୍କିବା ପାଇଁ ଚୋରା ବ୍ୟବସାୟୀ ଚୋରା ଗାଡ଼ି ବ୍ୟବହାର କରୁଥିବା ପୁଲିସ୍‍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ରେମୁଣା, ବୈଶିଙ୍ଗା ଓ ବଡ଼ସାହି ଅଞ୍ଚଳରେ ଏପରି ଆହୁରି ଏକାଧିକ ସ୍ଥାନରେ ଏପରି ଚୋରା ଗାଡ଼ିରେ କାଠବ୍ୟବସାୟ ଚାଳିଥିବା ପୁଲିସ୍‍ ଜାଣିବାକୁ ପାଇଛି।

Comments are closed.