ଆସନ୍ତାକାଲି ଠାରୁ ୪ଦିନିଆ ହିଙ୍ଗୁଳା ମେଳା ଆରମ୍ଭ

ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ

ବଡ଼ସାହି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ତଥା ମୟୁୂରଭଞ୍ଜ ଜିଲା ବଡ଼ସାହି ନିକଟ କଉଡ଼ିଖଣି ଶାଳଜଙ୍ଗଲରେ ପୂଜା ପାଉଥିବା ମା’ ହିଙ୍ଗୁଳାଙ୍କ ବାର୍ଷିକ ବା ବଡ଼ପୂଜା ମେଳା ଶନିବାର ଠାରୁ ଆରମ୍ଭ ହେଉଛି। ପୂର୍ବରୁ ଏହି ମେଳା ଦିନକ ପାଇଁ ଅନୁଷ୍ଠିତ ହେଉଥିଲା। ତେବେ ଭିଡ଼ ଓ ଟ୍ରାଫିକ ବ୍ୟବସ୍ଥା ତଥା ଭକ୍ତଙ୍କ ଦାବି ପାଇଁ କମିଟି ପକ୍ଷରୁ ଚଳିତ ଥର ମେଳା ୪ଦିନ ପାଇଁ ଅନୁଷ୍ଠିତ ହେଉଛି। ଏଥିପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପୂଜା ତଥା ମେଳାପାଇଁ ମା’ଙ୍କ ପୀଠ ଚଳଚଞ୍ଚଳ ହୋଇ ଉଠିଛି। ପୂର୍ବ ବର୍ଷ ମାନଙ୍କରେ ଗୋଟିଏ ଦିନ ମେଳାରେ ୬-୭ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ମା’ଙ୍କର ଲୋକପ୍ରିୟତାକୁ ପ୍ରମାଣ କରିଥାଏ। ମେଳା ପାଇଁ ମା’ଙ୍କ ସୁରକ୍ଷା ଟ୍ରଷ୍ଟ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚୁଢ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମେଳାରେ ପାନୀୟ ଜଳ, ପରିମଳ, ଆଲୋକ, ସ୍ୱାସ୍ଥ୍ୟ ଓ ଜରୁରୀ କାଳୀନ ସେବା ଶିବିର ବ୍ୟବସ୍ଥା କରାଯାଇଛି। ଆମ୍ବୁଲାନ୍ସ ଓ ଦମକଳ ବାହିନୀ ସହିତ ଦମକଳ ଗାଡ଼ି ମେଳାସ୍ଥଳରେ ରଖାଯିବ। ଭିଡ଼ ବୃଦ୍ଧିକୁ ଆଖିରେ ରଖି ପୂର୍ବବର୍ଷ ପରି ସୂଚନା କେନ୍ଦ୍ର ସହିତ ସ୍ୱେଚ୍ଛାସେବୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ପୁଲିସ୍‍ ବିଭାଗ ପକ୍ଷରୁ ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥାକୁ ପୂର୍ବପରି କଡ଼ାକଡ଼ି କରାଯାଇଛି। ବେତନଟୀ ଏସଡ଼ିପିଓ ଲଳିତ ପଟ୍ଟନାୟକ ଓ ବଡ଼ସାହି ଥାନାଧିକାରୀ ଜୟନ୍ତ କୁମାରେ ବେହେରା ପରିଦର୍ଶନ ପୂର୍ବକ ସମସ୍ତ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ପର୍ଯ୍ୟାପ୍ତ ପୁଲିସ୍‍ ମୁତୟନ ସାଙ୍ଗକୁ ଅଭିଜ୍ଞ ଅଫିସର ଓ ସାଧା ପୋଷାକଧାରୀ କିଛି ଅଫିସରଙ୍କୁ ସାମିଲ କରାଯାଇଛି। ପୂର୍ବ ବର୍ଷ ପରି ପୀଠରେ ଏକ ଅସ୍ଥାୟୀ କଣ୍ଟ୍ରୋଲରୁମ୍‍ ଖୋଲାଯାଉଛି। ମା’ଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଟ ବ୍ୟବସ୍ଥା ଓ ୱାଚ୍‍ ଟାୱାର ବ୍ୟବସ୍ଥା ରହିଛି। ମେଳାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଯାନବାହାନ ଚଳାଚଳକୁ ସୁନିୟନ୍ତ୍ରିତ ପାଇଁ ବ୍ୟବସ୍ଥା କରାଯାଇଛି। ଦିନିକିଆ ମେଳାର ଭିଡ ପାଇଁ ଟ୍ରାଫିକ ନିୟନ୍ତ୍ରଣ ଅଣାୟତ୍ତ ହେଉଥିବାରୁ ଚଳିତ ଥର ଠାରୁ ତାହା ଶୃଙ୍ଖଳିତ ହୋଇପାରିବ ବୋଲି ସବୁ ମହଲରେ ମତପ୍ରକାଶ ପାଇଛି। ମହାଯଜ୍ଞ ୪ଦିନ ବୃଦ୍ଧି ହୋଇ ଥିବାରୁ ମାନସିକ ରଖିଥିବା ଭକ୍ତ ଶୃଙ୍ଖଳିତ ଭାବରେ ଧାଡ଼ିରେ ଯାଇ ପଲିଥିନ ପରିବର୍ତ୍ତେ ଶାଳପତ୍ର ଠୋଲାରେ ନିଜର ନୈବେଦ୍ୟ ସମର୍ପଣ କରିବେ। ମେଳାରେ ମଧ୍ୟ ପଲିଥିନ ଓ ଥର୍ମକୋଲ ଖଲିଦୋନା, କପ୍‍ ଏବଂ ଗ୍ଲାସ ବ୍ୟବହାରକୁ ନିଷିଦ୍ଧ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Comments are closed.