ଖାନୁଆରେ ‘ମୋ ତହସିଲ ମୋ ଗାଁରେ’ କାର୍ଯ୍ୟକ୍ରମ

ବଡସାହି: ଶୁକ୍ରବାର ବଡସାହି ତହସିଲ ପକ୍ଷରୁ ଖାନୁଆ ଗ୍ରାମରେ ‘ମୋ ତହସିଲ ମୋ ଗାଁରେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାଜସ୍ୱ ବିଭାଗ ୫-ଟି କାର୍ଯ୍ୟକ୍ରମରେ ଅର୍ନ୍ତଭୁକ୍ତ ହେବା ପରେ ଏପରି ଏକ କାର୍ଯ୍ୟକ୍ରମ ବା ରାଜସ୍ୱ ମେଳା ତହସିଲଦାର ଅମୀୟ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ପରିଡା, ରାଜସ୍ୱ ପରିଦର୍ଶକ ନରହରି ଦାଶ ଓ ରାଜସ୍ୱ ନିରୀକ୍ଷକ କାର୍ତ୍ତିକ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଖାନୁଆ ପଞ୍ଚାୟତରେ ଥିବା ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିଥିଲେ। ଜବରଦଖଲ ସଂକ୍ରାନ୍ତୀୟ ୨୦ଟି ମାମଲା, ୮ଟି ମିସ୍ ସାର୍ଟିଫିକେଟ, ଗୋଟିଏ ଘରବାଡି ପଟ୍ଟା ଓ ୯୫ଜଣ ଭୂମିହୀନ ଲୋକଙ୍କ ଆପତ୍ତି ଅଭିଯୋଗର ଶୁଣାଣି ହୋଇଥିଲା। ସେହିପରି ଘରବାଡି କିସମ ପରିବର୍ତ୍ତନ ଓ ଜମି ଭାଗ ସଂକ୍ରାନ୍ତୀୟ ମାମଲା ଗୁଡିକର ସରଜମିନ ତଦନ୍ତ କରାଯାଇଥିଲା। ଗାଁକୁ ଗାଁ ଓ ଦ୍ୱାରକୁ ଦ୍ୱାର ବୁଲି ରାଜସ୍ୱ ସଂକ୍ରାନ୍ତୀୟ ଅଭିଯୋଗ ଓ ସମସ୍ୟାର ସମାଧାନ କରାଯିବ ବୋଲି ବିଭାଗ ସୂତ୍ରରୁ ଆରମ୍ଭ ନୂତନ ପ୍ରୟାସକୁ ସମସ୍ତେ ପ୍ରଶଂସା କରିବା ସହିତ ମୋ ସରକାର କାର୍ୟ୍ୟକ୍ରମର ସଫଳ ରୂପାୟନ ହୋଇପାରିବ ବୋଲି କହିଛନ୍ତି।

Comments are closed.